ବର୍ଲିନ : ରୁଷ ଯୁକ୍ରେନ ଯୁଦ୍ଧ ଏବେ ମହାକାଶକୁ ବ୍ୟାପିବା ପରି ମନେ ହେଉଛି। ଜର୍ମାନ ଗୁଇନ୍ଦା ସଂସ୍ଥାର ଏକ ବିଶ୍ଳେଷଣ ଅନୁଯାୟୀ, ରୁଷ ଡିସେମ୍ବର ସୁଦ୍ଧା ପୃଥିବୀ କକ୍ଷପଥରେ ଏକ ପରମାଣୁ ସଶସ୍ତ୍ର ଉପଗ୍ରହ ସ୍ଥାପନ କରିପାରେ। ଏହା ଦ୍ବାରା ମହାକାଶରେ ପରମାଣୁ ଅସ୍ତ୍ର ନିୟୋଜନକୁ ନିଷିଦ୍ଧ କରୁଥିବା ଅନ୍ତର୍ଜାତୀୟ ଚୁକ୍ତିନାମାର ଉଲ୍ଲଂଘନ ହେବ। ଏହା ବିଶ୍ୱର ଉପଗ୍ରହ ନେଟୱାର୍କ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଯୋଗାଯୋଗ, ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିପାରେ। ଗୁପ୍ତ ରିପୋର୍ଟ ନେଇ ୩୨ ଦେଶକୁ ନେଇ ଗଠିତ ସାମରିକ ମେଣ୍ଟ ନାଟୋ ଏବଂ ରୁଷ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ରୁଷ ମହାକାଶକୁ ଏଭଳି ଉପଗ୍ରହ ଉତ୍କ୍ଷେପଣ କରିବାକୁ ପ୍ରସ୍ତୁତ ହେଉଥିବା ରିପୋର୍ଟ ନେଇ ନାଟୋ ଚିନ୍ତା ପ୍ରକାଶ କରିଛି। ଜର୍ମାନୀର ବିଦେଶୀ ଗୁଇନ୍ଦା ସଂସ୍ଥା ବିଏନଡି ଏବଂ ସାମରିକ ବାହିନୀ ଏ ବିଷୟରେ ସୂଚନା ପାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ, ରୁଷ କିଛି ବର୍ଷ ପୂର୍ବରୁ ସ୍ପୁଟନିକ୍-ଏସ୍ ନାମକ ଏକ ଉପଗ୍ରହ ବିକଶିତ କରିଥିଲା। ଏହା ମସ୍କୋରେ ସଂରକ୍ଷିତ ଅଛି। ନଭେମ୍ବର ମାସ ଆରମ୍ଭରେ ମିଳିଥିବା ସୂଚନା ଅନୁସାରେ, ଏହାକୁ ୬୦ ଦିନ ମଧ୍ୟରେ ମହାକାଶକୁ ପଠାଯିବ ଏବଂ ଉତ୍କ୍ଷେପଣ ହେବାର କିଛି ସମୟ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ତେବେ ରିପୋର୍ଟକୁ ରୁଷ ପକ୍ଷରୁ ନିଶ୍ଚିତ କରାଯାଇ ନାହିଁ।
ଜର୍ମାନ ରିପୋର୍ଟ ଅନୁଯାୟୀ, ନଭେମ୍ବର ଆରମ୍ଭରେ ଅନେକ ନାଟୋ ଦେଶର ଗୁପ୍ତଚର ସଂସ୍ଥା ଏହି ଉପଗ୍ରହ ବିଷୟରେ ସୂଚନା ଅଂଶୀଦାର କରିଥିଲେ। ଜର୍ମାନ ସେନାର ସ୍ପେସ୍ କମାଣ୍ଡ ଆକଳନ କରିଛି ଯେ, ଏହାକୁ ଡିସେମ୍ବରରେ ଉତ୍କ୍ଷେପଣ କରାଯିବ।
ଜର୍ମାନ ଗୁଇନ୍ଦା ରିପୋର୍ଟ ନେଇ ନାଟୋର ବଢ଼ିଲା ଚିନ୍ତା
ଏହି ଉପଗ୍ରହରେ ଏକ ପରମାଣୁ ବିସ୍ଫୋରଣ ପୃଥିବୀର ନିମ୍ନ କକ୍ଷପଥରେ ଥିବା ଉପଗ୍ରହଗୁଡ଼ିକୁ ପ୍ରଭାବିତ କରିପାରେ। ଏହା ଜନସାଧାରଣ, ସରକାର ଏବଂ ସେନା ଦ୍ୱାରା ବ୍ୟବହୃତ ନାଭିଗେସନ୍, ଦୂରସଂଚାର ଏବଂ ପାଣିପାଗ ସେବାକୁ ବାଧା ଦେଇପାରେ। ଜର୍ମାନ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏତେ ବଡ଼ ଧରଣର ସାଟେଲାଇଟ୍ ବିଭ୍ରାଟର ମୁକାବିଲା କରିବା ପାଇଁ ଜର୍ମାନୀର ପ୍ରସ୍ତୁତି ପର୍ଯ୍ୟାପ୍ତ ନୁହେଁ।
ମହାକାଶରେ ପରମାଣୁ ବିସ୍ଫୋରଣର ପ୍ରଭାବ କେବଳ ଗୋଟିଏ ସାଟେଲାଇଟ୍ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଫଳସ୍ୱରୂପ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ପଲ୍ସ ନିକଟବର୍ତ୍ତୀ ସାଟେଲାଇଟ୍ର ଇଲେକ୍ଟ୍ରୋନିକ୍ ସିଷ୍ଟମ୍କୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ଏହା ସହିତ ବିସ୍ଫୋରଣ ଦ୍ୱାରା ଉତ୍ପାଦିତ ବିକିରଣ ମହାକାଶରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ଏବଂ ଅନ୍ୟ ସାଟେଲାଇଟ୍କୁ ପ୍ରଭାବିତ କରିପାରେ। ଆମେରିକାର ଅଧିକାରୀମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ଯେ, ରୁଷ ଷ୍ଟାରଲିଙ୍କ୍ ଭଳି ସାଟେଲାଇଟ୍ ନେଟୱାର୍କକୁ ଟାର୍ଗେଟ କରିପାରେ। ଯୁଦ୍ଧ ସମୟରେ ୟୁକ୍ରେନୀୟ ସେନା ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସେବା ବ୍ୟବହାର କରିଆସୁଛି।
ରୁଷ ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ବୋଲି କହିଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ କହିଛନ୍ତି ଯେ, ଏପରି ରିପୋର୍ଟ ଉପରେ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ। ଜର୍ମାନୀରେ ଥିବା ରୁଷ ଦୂତାବାସ ମଧ୍ୟ ଏହି ଅଭିଯୋଗଗୁଡ଼ିକୁ ଅପପ୍ରଚାର ବୋଲି କହି ଖଣ୍ଡନ କରି କହିଛି, ରୁଷର ମହାକାଶ କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ କରାଯାଉଛି।
ରୁଷିଆର ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରି ମେଦଭେଦେବ ଦାବି କରିଛନ୍ତି, ୟୁକ୍ରେନ ଏବଂ ନାଟୋ ଦେଶଗୁଡ଼ିକର କାର୍ଯ୍ୟକଳାପ ଯୋଗୁଁ ଅନେକ ଥର ଏଭଳି ପରିସ୍ଥିତି ଆସିଛି ଯେତେବେଳେ ରୁଷ ପରମାଣୁ ଅସ୍ତ୍ର ବ୍ୟବହାର କରିବା ନେଇ ବିଚାର କରିଛି। ରୁଷୀୟ ସମାଚାର ଏଜେନ୍ସି ଟାସ୍ ଅନୁଯାୟୀ, ସେ ତାଙ୍କ ଲେଖାରେ କହିଛନ୍ତି ଯେ, ରୁଷ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ହୋଇଥିବା କ୍ଷତି ଏବଂ ଏହାର ଅନୁପାତର ମୂଲ୍ୟାଙ୍କନ କରିଥାଏ।
ନାଟୋ ମୁଖ୍ୟ ମାର୍କ ରୁଟ୍ କହିଛନ୍ତି ଯେ, ମିଳିତ ସଂଗଠନ ନିରନ୍ତର ଏହାର ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାର ମୂଲ୍ୟାଙ୍କନ କରୁଛି। ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ବର୍ଲିନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନାଟୋ ମହାକାଶ ସୁରକ୍ଷା ସମେତ ନିଜର କ୍ଷେତ୍ରର ପ୍ରତ୍ୟେକ ଅଂଶକୁ ରକ୍ଷା କରିବ।
ସୂଚନାଯୋଗ୍ୟ,ମହାକାଶରେ ପରମାଣୁ ଅସ୍ତ୍ର ନିୟୋଜନ ଆନ୍ତର୍ଜାତୀୟ ଆଇନ ବିରୋଧ। ୧୯୬୭ ମସିହାର ବାହ୍ୟ ମହାକାଶ ଚୁକ୍ତିନାମା କୌଣସି ଦେଶକୁ ପୃଥିବୀ କକ୍ଷପଥରେ ପରମାଣୁ ଅସ୍ତ୍ର କିମ୍ବା ଅନ୍ୟାନ୍ୟ ଗଣବିଧ୍ୱଂସକାରୀ ଅସ୍ତ୍ର ରଖିବାରୁ ନିଷେଧ କରିଥାଏ। ରୁଷ ଏହି ଚୁକ୍ତିନାମାର ଜଣେ ସଦସ୍ୟ। ଏହା ସହିତ ୧୯୬୩ ମସିହାର ଆଂଶିକ ପରୀକ୍ଷଣ ନିଷେଧ ଚୁକ୍ତିନାମା ମହାକାଶରେ ପରମାଣୁ ବିସ୍ଫୋରଣକୁ ନିଷେଧ କରିଥାଏ।
