Friday, September 20, 2024
24.1 C
Odisha

    କାଶିଆ-କପିଳା

    ଆଗକୁ ପଢନ୍ତୁ

     

    କାଶିଆ,କପିଳା । ଓଡ଼ିଶାର ଜନମାନସରେ ପରିଚିତ ନାମ । ବନ୍ଧୁତାର ନିବିଡ଼ତା ପ୍ରଦର୍ଶନ କରିବାକୁ ଏଇ ନାମଦ୍ଵୟର ଉଦାହରଣ ନିଆଯାଏ । ଏହା କପୋଳକଳ୍ପିତ ନାମ ନୁହେଁ । ଜଗନ୍ନାଥ ସଂସ୍କୃତି ବିଜଡିତ ଦୁଇ ଜଗନ୍ନାଥ ଭକ୍ତଙ୍କ ବାସ୍ତବ ନାମ । ଗୋଟିଏ ଅନାମଧେୟ ଛୋଟ ରାଜ୍ୟର ରାଜା ଯୋଗେଶ୍ଵର । ତାଙ୍କ ପୁତ୍ର କପିଳା । ତା’ ସାଙ୍ଗ ହେଲା ଗାଈଆଳ ପିଲା କାଶୀ । ଦୁହେଁ ସାଙ୍ଗ ହୋଇ ଖେଳନ୍ତି,ବୁଲନ୍ତି । ଦୁହେଁ ମିଶି ଗାଈ ମଧ୍ୟ ଚରେଇ ନିଅନ୍ତି । ଦିନେ ଖରାବେଳେ କପିଳା ଗୋଟିଏ ଗଛମୂଳରେ ଶୋଇଥାଏ । ନାଗ ସାପଟିଏ ଆସି ତା ମଥା ଉପରେ ଫଣା ଟେକି ଛାଇ କରୁଥାଏ । ସାଙ୍ଗ ପାଖରେ ସାପ ଦେଖି କାଶିଆ ଦୌଡିଆସିଲା । ଶବ୍ଦ ଶୁଣି ସାପ ପଳାଇଗଲା । କପିଳାକୁ ନିଦରୁ ଉଠାଇ କାଶିଆ ଏକଥା କହିବା ପରେ କପିଳା ପ୍ରଥମେ ଭୟ ପାଇଲା । ତା’ପରେ କାଶିଆ କହିଲା- ସାଙ୍ଗ, ମୁଁ ଶୁଣିଛି ନାଗସାପ ମଥା ଉପରେ ଫଣା ଟେକିଲେ ଏକ ବଡ଼ ରାଜ୍ୟର ରାଜା ହେବାର ସୌଭାଗ୍ୟ ମିଳେ । କପିଳା କହିଲା- ସବୁ ସେଈ ଜଗନ୍ନାଥଙ୍କ ଇଚ୍ଛା । ସେ ଚାହିଁଲେ,କୃପା କଲେ ମୁଁ ରାଜା ହେବି ନାହିଁ କାହିଁକି ! ମୁଁ ରାଜା ହେଲେ ତୁ ହେବୁ ମୋ ମନ୍ତ୍ରୀ ।

    କିଛିଦିନ ପରେ କପିଳା ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସି ପୁରୀରେ ରହିଗଲା । ସମ୍ମାନ କ୍ଷୁର୍ଣ୍ଣ ହେବା ଆଶଙ୍କାରେ ଭିକ୍ଷା ନମାଗି ଭଙ୍ଗା ଅବଢା କୁଡୁଆରେ ଲାଗିଥିବା ଅନ୍ନ ଖାଇ ଜୀବିକା ନିର୍ବାହ କଲା । ଓଡ଼ିଶାର ରାଜା ନିଶଙ୍କ ଭାନୁଦେବଙ୍କର କେହି ଉତ୍ତରାଧିକାରୀ ନଥିଲେ । ତେଣୁ ତାଙ୍କ ଅନ୍ତେ ପାଟହସ୍ତୀ ଶୁଣ୍ଢରେ କଳସ ଧରାଇ ଦିଆଗଲା ଓ ତାକୁ ନେଇ ରାଜ୍ୟରେ ଭ୍ରମଣ କରାଗଲା । ଏହି ସମୟରେ କପିଳା ସିଂହଦ୍ଵାରରେ ବସିଥାଏ । ହାତୀ ତା’ରି ଆଡକୁ ଆଗେଇ ଆସି ତା’ ମୁଣ୍ଡରେ କଳସ ପାଣି ଢାଳିଲା । କପିଳା ଏବେ ହୋଇଗଲା ଓଡ଼ିଶାର ରାଜା କପିଳେଶ୍ଵର ବା କପିଳେନ୍ଦ୍ର ଦେବ । ସେ ରାଜା ହେବା ପରେ ତାଙ୍କ ପ୍ରିୟ ମିତ୍ର କାଶିଆକୁ ଡକାଇ ମନ୍ତ୍ରୀ କରାଇଲେ । କାଶିଆ ହେଲା ମହାମନ୍ତ୍ରୀ କାଶୀନାଥ ।

    କପିଳେନ୍ଦ୍ର ଦେବ ଜଗନ୍ନାଥଙ୍କର ବଡ଼ ଭକ୍ତ ଥିଲେ । ତାଙ୍କ ଯୋଗୁଁ ଓଡ଼ିଶାର ପାଇକ ସେନା ଶକ୍ତିଶାଳୀ ହୋଇ ଉଠିଥିଲେ । ଓଡ଼ିଶା ଆକ୍ରମଣ କରି ପରାସ୍ତ ହୋଇଥିଲେ ବଙ୍ଗଳାର ସୁଲତାନ ନାସିରୁଦ୍ଦିନ । କଥିତ ଅଛି,ଦୁଇଜଣ ପାଇକ କଳାଘୋଡ଼ା,ଧଳାଘୋଡ଼ା ଚଢି ଯୁଦ୍ଧରେ ଶତ୍ରୁମାନଙ୍କୁ ଛିନଛତ୍ର କରିଦେଲେ । ସେ ଦୁଇଜଣ ପ୍ରକୃତରେ ଥିଲେ ସ୍ଵୟଂ ମହାପ୍ରଭୁ ଜଗା ବଳିଆ । ସୁଲତାନ ଆଲ୍ଲାଉଦ୍ଦୀନ ମହମ୍ମଦ ମଧ୍ୟ ଓଡ଼ିଶା ଆକ୍ରମଣ କରି ଭକ୍ତ ରାଜା କପିଳେନ୍ଦ୍ର ଦେବଙ୍କଠାରୁ ପରାସ୍ତ ହୋଇଥିଲେ । ଓଡ଼ିଶା ରାଜ୍ୟର ସୀମା ଗଙ୍ଗାଠାରୁ ଗୋଦାବରୀ ଧରି ସାରା ଦକ୍ଷିଣ ଭାରତକୁ ଲମ୍ବିଥିଲା । ଗୁଜୁରାଟର ଅଧେ ମଧ୍ୟ ଓଡ଼ିଶା ରାଜ୍ୟରେ ମିଶିଥିଲା । ଭକ୍ତ ରାଜା କପିଳେନ୍ଦ୍ର ଦେବଙ୍କ ଜଗନ୍ନାଥ ଭକ୍ତି ଓ ବୀରତ୍ଵ ଦେଖି ସମସ୍ତେ ତାଙ୍କର ଜୟଗାନ କଲେ । ତାଙ୍କ ଯୋଗୁଁ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ମାନ ବୃଦ୍ଧି ପାଇଲା । କାଶିଆ କପିଳାଙ୍କ ନିବିଡ ସମ୍ପର୍କ ଅତୁଟ ରହିଥିଲା ଜୀବନର ଶେଷ ମୂହୁର୍ତ୍ତ ଯାଏଁ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ