ଭୁବନେଶ୍ୱର : ନଦୀକୁ ଡେଇଁଥିବା ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଙ୍କୁଆଳ ନିକଟ କୁଆଖାଇ ନଦୀରୁ ମୃତଦେହ ମିଳିଛି । ଦୁଇ ଦିନ ଧରି ନିଖୋଜ ଥିଲେ ଅଟୋ ଡ୍ରାଇଭର ସଞ୍ଜୟ ସ୍ବାଇଁ । ଆଜି ଓଡ୍ରାଫ ଓ ଅଗ୍ନିଶମ ବାହିନୀର ଅପରେସନ ବେଳେ ମୃତଦେହ ମିଳିଛି । ଦୁଇଦିନ ତଳେ ପୁତୁରା ଯେଉଁଠି ଜୀବନ ହାରିଥିଲେ ,ସେହିଠାରୁ ହିଁ ଦାଦା ସଞ୍ଜୟଙ୍କ ମୃତଦେହ ମିଳିଛି । ମୃତକ ହେଲେ ଓଲ୍ଡ ଟାଉନ ହରଚଣ୍ଡୀ ସାହିର ସଞ୍ଜୟ ସ୍ବାଇଁ । ସୋମବାର ରାତିରେ ବ୍ରିଜ୍ ଉପରେ ଅଟୋ ଓ ମୋବାଇଲ୍ ରଖି ନଦୀକୁ ଡେଇଁ ପଡ଼ିଥିଲେ।
ସୂଚନା ଅନୁସାରେ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ସଞ୍ଜୟ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଥିଲା । ଟଙ୍କପାଣି ବ୍ରିଜ୍ ଉପରେ ଅଟୋ ଛିଡ଼ା ହୋଇଥିବା ବେଳେ ତା’ ନିକଟରେ ଚପଲ ପଡ଼ିରହିଥିବା ଦେଖିବାକୁ ମିଳିଥିଲା । ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋଟିକୁ ଜବତ କରିଥିଲା । ଯାଞ୍ଚରୁ ଗାଡ଼ିଟି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା । ନଦୀରେ ଅଗ୍ନିଶମ ବାହିନୀ ବୋଟ୍ ସାହାଯ୍ୟରେ ବ୍ୟାପକ ଖୋଜାଖୋଜି ଜାରି ରଖିଥିଲେ ।
