ଉତ୍ତରାଖଣ୍ଡ : କେଦାରନାଥ ଧାମକୁ ହେଲିକାପ୍ଟରରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ବଡ଼ ଝଟକା । ଆର୍ଥିକ ସମସ୍ୟାର ସମ୍ମୁଖୀନ କରିବେ ଶ୍ରଦ୍ଧାଳୁ । ଉତ୍ତରାଖଣ୍ଡ ନାଗରିକ ଉଡାଣ ବିକାଶ ପ୍ରାଧିକରଣ(UCADA) ହେଲିକାପ୍ଟର ଭଡାକୁ ୪୯% ବୃଦ୍ଧି କରିଛି ।
ସୂଚନାନୁଯାୟୀ, ବେସାମରିକ ନାଗରିକ ଉଡାଣର ମହାନିର୍ଦ୍ଦେଶାଳୟ(DGCA)ଙ୍କ ଅନୁମତି କ୍ରମେ ଏହା ସେପ୍ଟେମ୍ବର ୧୫ରୁ ଲାଗୁ କରାଯିବ । ଏଥି ସହିତ IRCTC ଅନୁମତି କ୍ରମେ ସେପ୍ଟେମ୍ବର ୧୦ରୁ ୱେବସାଇଟରେ ଅନଲାଇନ୍ ଟିକେଟ୍ ବୁକିଂ ମଧ୍ୟ ଆରମ୍ଭ ହେବ । ପ୍ରଥମ ହେଲି ସେବା ମଧ୍ୟ ସେପ୍ଟେମ୍ବର ୧୫ ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ନୂଆ ଭଡ଼ା ଅନୁଯାୟୀ ଗୁପ୍ତକାଶୀରୁ କେଦାରନାଥ ପର୍ଯ୍ୟନ୍ତ ରାଉଣ୍ଡ ଟ୍ରିପ୍ ଭଡ଼ା ୧୨,୪୪୪ ଟଙ୍କା ଧାର୍ଯ୍ୟ କରାଯାଇଛି । ଫାଟାରୁ ଭଡ଼ା ୮,୯୦୦ ଟଙ୍କା ଏବଂ ସିରସିରୁ ୮,୫୦୦ ଟଙ୍କା ହେବ । ପୂର୍ବରୁ ଗୁପ୍ତକାଶୀରୁ ୮୫୦୦ ଟଙ୍କା ଥିବାବେଳେ ଫାଟା ଏବଂ ସିରସିରୁ ୬୫୦୦ ଟଙ୍କାରେ ଟିକେଟ୍ ମିଳୁଥିଲା । ବର୍ତ୍ତମାନ କିନ୍ତୁ ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା ୪ ରୁ ୫ ହଜାର ଟଙ୍କା ଅଧିକ ଦେବାକୁ ପଡିବ । ବାରମ୍ବାର ବିମାନ ଦୁର୍ଘଟଣା ଏବଂ ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି । ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ହେଲିକପ୍ଟର ସେବାରେ ବୈଷୟିକ ଉନ୍ନତି କରାଯାଉଛି ବୋଲି UCADA ସିଇଓ ଆଶିଷ ଚୌହାନ କହିଛନ୍ତି । ଏହା ବ୍ୟତୀତ PTG କ୍ୟାମେରା, ATC, VHF ସେଟ୍ ଏବଂ ସିଲୋମିଟର ଲଗାଯିବ । ଦୁଇଟି ନିୟନ୍ତ୍ରଣ କକ୍ଷ ମଧ୍ୟ ନିର୍ମାଣ କରାଯିବ । ଗୋଟିଏ ଡେରାଡୁନର ସହସ୍ତ୍ରଧାରାରେ ଏବଂ ଅନ୍ୟଟି ସିରସିରେ । ଗ୍ରାଉଣ୍ଡ କଣ୍ଟ୍ରୋଲ ପାଇଁ ୨୨ ଜଣ ଅପରେଟର ଟିମକୁ ନିୟୋଜିତ କରାଯିବ । ଫଳରେ ବିମାନର ଯାଞ୍ଚ କରାଯାଇପାରିବ । ବଦ୍ରିନାଥ ଏବଂ ଗଙ୍ଗୋତ୍ରୀ ରାସ୍ତାରେ ହେଲିକପ୍ଟର ଦୁର୍ଘଟଣା ପରେ ଡିଜିସିଏ ରାଜ୍ୟ ସରକାରଙ୍କୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦିଓ ହଠାତ୍ ଭଡ଼ା ବୃଦ୍ଧି ସାଧାରଣ ଭକ୍ତଙ୍କ ପକେଟ ଉପରେ ବୋଝ ବୃଦ୍ଧି କରିବ । ପ୍ରଶାସନ ଦାବି କରୁଛି ଯେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସ୍ଥା ସହିତ ହେଲିକପ୍ଟର ସେବା କେବଳ ସୁରକ୍ଷିତ ନୁହେଁ ବରଂ ପୂର୍ବ ଅପେକ୍ଷା ଅଧିକ ସଂଗଠିତ ହେବ ।