ଅନ୍ୟ ଏକ ବଡ଼ କଥାକୁ ନେଇ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସଫେଇ ସଂସ୍ଥାର ଠିକା ଅବଧି ଗତ ଫେବ୍ରୁଆରିରୁ ଶେଷ ହୋଇସାରିଛି। ଏହା ସତ୍ତ୍ୱେ ୧୦ ମାସ ଧରି ଠିକା ଅବଧିକୁ ବଢ଼ାଇ ଦିଆଯାଇଛି। ନୂଆ ଠିକାସଂସ୍ଥା ଚୟନ ହୋଇପାରୁନାହିଁ। ତେଣୁ ପୁରୁଣା ସଂସ୍ଥା ହାତରେ ହିଁ ଦାୟିତ୍ୱ ରହିଛି ଏବଂ ସେ ମନମାନି କରୁଛି। ୧୦ମାସ ହେଲା ଉକ୍ତ ସଂସ୍ଥାକୁ କ’ଣ ପାଇଁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ପ୍ରଶ୍ନ ଉଠିଲାଣି। ନୂଆ ଠିକାସଂସ୍ଥା ଚୟନ ବିଳମ୍ବ ପଛରେ କାହାର ହାତ ରହିଛି ବୋଲି ମଧ୍ୟ ଲୋକେ ସଂଗିନ ଅଭିଯୋଗ ଉଠାଇଲେଣି। ନୂଆ ଠିକାସଂସ୍ଥା ଚୟନ ପାଇଁ ପିଜିଆଇ କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଏଯାଏଁ ଚୂଡ଼ାନ୍ତ ହୋଇପାରିନାହିଁ। ଟେଣ୍ଡର ଆହ୍ବାନ ସରିଛି, ମାତ୍ର ବିଡ୍‌ ଖୋଲାଯାଉନାହିଁ। ଏହି ପ୍ରକ୍ରିୟା ଜାରି ରହିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ଦିନ ଗଡ଼ିଗଡ଼ି ଯାଉଛି। ଖୁବ୍‌ଶୀଘ୍ର ନୂଆ ସଂସ୍ଥା ସଫେଇ ଦାୟିତ୍ବ ବହନ କରିବ ବୋଲି କର୍ତ୍ତୃପକ୍ଷ ପୂର୍ବ ଭଳି ଦୋହରାଉଛନ୍ତି।