ଗଞ୍ଜାମ : ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର କରିବେ ଅନୁଧ୍ୟାନ । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ପୁରୁଷୋତ୍ତମପୁର ଓ ଛତ୍ରପୁରରେ ଫସଲ କ୍ଷତି ଦେଖିବା ସହ ପୁନରୁଦ୍ଧାର ଓ ସହାୟତା ପ୍ୟାକେଜ୍ ର କରିବେ ସମୀକ୍ଷା । ବାତ୍ୟା ଓ ଭୟଙ୍କର ବନ୍ୟାରେ ପ୍ରଭାବିତ ଗଞ୍ଜାମ ଜିଲ୍ଲାର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଗଞ୍ଜାମରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ରେ ପହଞ୍ଚିବା ପରେ ତାଙ୍କର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଲଗାତାର ଦୁଇଟି ବାତ୍ୟା ଅର୍ଣ୍ଣବ ଓ ଅକଭାନ ପ୍ରଭାବରେ ଜିଲ୍ଲାରେ ହୋଇଥିବା ଫସଲ କ୍ଷୟକ୍ଷତି, ବନ୍ୟା ପରବର୍ତ୍ତୀ ସ୍ଥିତି ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରଙ୍ଗେଇଲୁଣ୍ଡାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସଡ଼କପଥରେ ପୁରୁଷୋତ୍ତମପୁର ବ୍ଲକର ହଣ୍ଡିଘର ଗାଁ ଅଭିମୁଖେ ଯାତ୍ରା କରିବେ। କ୍ଷତିଗ୍ରସ୍ତ ଫସଲ ଅନୁଧ୍ୟାନ କରିବା ସହ ଚାଷୀଙ୍କ ସମସ୍ୟା ବୁଝିବେ । ଛତ୍ରପୁର ବ୍ଲକର ବଉଳଗାଁରେ ପହଞ୍ଚି ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ଅକ୍ଟୋବର ଶେଷଭାଗରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଶେଷକରି ଆସିକା ଓ ସୋରଡ଼ା ଅଞ୍ଚଳରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଥିଲା ।
ଋଷିକୁଲ୍ୟା ଓ ବଡ଼ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଆସିକାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିଲା । ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେବା ସହ ଅନେକ ଘରେ ପାଣି ପଶିଥିଲା । ଯାନବାହନ ପାଣିରେ ବୁଡ଼ି ରହିଥିବା ବେଳେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ସେହିପରି ସୋରଡ଼ା ବ୍ଲକର ଅନେକ ଗାଁରେ ବନ୍ୟାଜଳ ପଶିବାରୁ ଲୋକେ ଦୁର୍ଦ୍ଦଶା ଭୋଗିଥିଲେ । ଚାଷଜମି ଜଳମଗ୍ନ ହେବା ସହ ଧାନ ଓ ଅନ୍ୟାନ୍ୟ ଫସଲ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଭଞ୍ଜନଗର ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତି ଘଟିଥିଲା ।
ଗସ୍ତରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବେ । ବୈଠକରେ ସହାୟତା ପ୍ୟାକେଜ୍ ବଣ୍ଟନ, ଫସଲ କ୍ଷତି ଆକଳନ ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଉପରେ ଆଲୋଚନା ହେବ । ବିଶେଷକରି କ୍ଷତିଗ୍ରସ୍ତ ଚାଷୀଙ୍କୁ କେବେ ଏବଂ କିଭଳି ସହାୟତା ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଲଗାତାର ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଗଞ୍ଜାମର ଚାଷୀ ଓ ବନ୍ୟା ପ୍ରଭାବିତ ପରିବାର ଏହି ଗସ୍ତରୁ ବଡ଼ ଆଶା ରଖିଛନ୍ତି। ସମୀକ୍ଷା ବୈଠକ ଶେଷ କରି ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୪୫ରେ ରଙ୍ଗେଇଲୁଣ୍ଡାରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବାର କାର୍ଯ୍ୟସୂଚୀ ରହିଛି ।
