ଭୁବନେଶ୍ୱର : ଓଡ଼ିଶାରେ ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁବ୍ୟବସ୍ଥିତ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଏକ ବଡ଼ ପଦକ୍ଷେପ । ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ନେଇ ଗଠିତ ଅର୍ଥନୈତିକ ଅଞ୍ଚଳ ପାଇଁ ପ୍ରସ୍ତୁତ ହେବ ସମନ୍ୱିତ ଆଞ୍ଚଳିକ ଗମନାଗମନ ଯୋଜନା ବା Comprehensive Regional Mobility Plan (CRMP) । ଏହି ଯୋଜନା ପ୍ରସ୍ତୁତିର ଅଂଶସ୍ୱରୂପ ଆସନ୍ତା ୨୩ ନଭେମ୍ବରରୁ ଆରମ୍ଭ ହେବ ଘରୋଇ ଯାତାୟାତ ସର୍ଭେ ।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସର୍ଭେ କରାଯିବ । ଲୋକମାନେ ପ୍ରତିଦିନ କେଉଁଠାକୁ ଯାଉଛନ୍ତି, କେଉଁ ମାଧ୍ୟମରେ ଯାତାୟାତ କରୁଛନ୍ତି ଏବଂ ଯାତ୍ରା ସମୟରେ କେଉଁ ସମସ୍ୟାର ସାମ୍ନା କରୁଛନ୍ତି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏହାଦ୍ୱାରା ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ କେଉଁଠି ସୁଧାର ଆବଶ୍ୟକ, ତାହା ଜାଣିବା ସହଜ ହେବ ।
ଏହି ସର୍ଭେ ପାଇଁ ଅଧିକୃତ ଟିମ୍ ଚୟନ କରାଯାଇଥିବା ଘରଗୁଡ଼ିକୁ ଯାଇ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବେ । ଘରେ କେତୋଟି ଯାନବାହନ ରହିଛି, ଦୈନନ୍ଦିନ ଯାତାୟାତର ମାଧ୍ୟମ କ’ଣ, ଯାତ୍ରାର ଉଦ୍ଦେଶ୍ୟ କ’ଣ, କେତେ ସମୟ ଲାଗୁଛି ଏବଂ କେତେ ଖର୍ଚ୍ଚ ହେଉଛି, ସେ ସମ୍ପର୍କରେ ପଚରାଯିବ । ଏହାସହ ଯାତାୟାତ ସମୟରେ ଲୋକେ ସାମ୍ନା କରୁଥିବା ସମସ୍ୟା ଏବଂ ଏହାର ସମାଧାନ ପାଇଁ ସେମାନଙ୍କ ପରାମର୍ଶ ମଧ୍ୟ ନିଆଯିବ । ସର୍ଭେରୁ ମିଳୁଥିବା ତଥ୍ୟ କେବଳ ଯୋଜନା ପ୍ରସ୍ତୁତି ପାଇଁ ବ୍ୟବହାର ହେବ ।
ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଏକ ସୁବ୍ୟବସ୍ଥିତ ଯାତାୟାତ ବ୍ୟବସ୍ଥା ଗଠନ ପାଇଁ ଲୋକଙ୍କ ଦୈନନ୍ଦିନ ଯାତ୍ରା ସମ୍ପର୍କିତ ଆବଶ୍ୟକତାକୁ ବୁଝିବା ଜରୁରୀ । ଏହି ସର୍ଭେ ମାଧ୍ୟମରେ ଲୋକଙ୍କ ଯାତାୟାତ ଢାଞ୍ଚା, ସମସ୍ୟା ଏବଂ ଆଶା ଆକାଂକ୍ଷା ସମ୍ପର୍କରେ ମୂଲ୍ୟବାନ ତଥ୍ୟ ମିଳିପାରିବ। ତେଣୁ ଏଥିରେ ଅଞ୍ଚଳବାସୀ ସକ୍ରିୟ ଭାବେ ଭାଗ ନେବାକୁ ସେ ଅନୁରୋଧ କରିଛନ୍ତି । ଲୋକଙ୍କ ମତାମତ ଭବିଷ୍ୟତରେ ଏକ ସୁରକ୍ଷିତ, ସୁଗମ, ସୁଲଭ ଓ ସମନ୍ୱିତ ପରିବହନ ବ୍ୟବସ୍ଥା ଗଠନରେ ସହାୟକ ହେବ ।
CRMP ଯୋଜନା ଏହି ଅଞ୍ଚଳରେ ଲୋକଙ୍କ ଯାତାୟାତ ସହ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ମଧ୍ୟ ଦୀର୍ଘକାଳୀନ ଦିଗ୍ଦର୍ଶନ ଦେବ । ଏଥିପାଇଁ ଘରୋଇ ସର୍ଭେ ସହ ଟ୍ରାଫିକ୍ ଓ ପରିବହନ ସର୍ଭେ, ସାର୍ବଜନୀନ ପରିବହନ ବ୍ୟବସ୍ଥାର ମୂଲ୍ୟାଙ୍କନ, ମାଲ ପରିବହନ ଓ ଲଜିଷ୍ଟିକ୍ସ ସମ୍ପର୍କିତ ଅଧ୍ୟୟନ କରାଯିବ । ଏହାସହ ନାଗରିକ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ମଧ୍ୟ ଆଲୋଚନା କରାଯିବ ।
ଯାତାୟାତ ଭିଡ଼ ହ୍ରାସ କରିବା, ଦୈନନ୍ଦିନ ଯାତ୍ରାକୁ ସୁରକ୍ଷିତ ଓ ସହଜ କରିବା ସହ ସୁଲଭ ପରିବହନ ବ୍ୟବସ୍ଥା ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ପଦକ୍ଷେପକୁ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ADB)ର ସହଯୋଗରେ ଗୃହ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟକାରୀ କରୁଛି ।
ତେଣୁ ଚୟନ ହୋଇଥିବା ଘରଗୁଡ଼ିକର ବାସିନ୍ଦାମାନେ ସର୍ଭେ ଟିମ୍ ଘରକୁ ଆସିବା ସମୟରେ ସହଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଲୋକଙ୍କ ମତାମତ ଆଧାରରେ କେଉଁଠି ଅଧିକ ସୁରକ୍ଷିତ ରାସ୍ତା, ଉନ୍ନତ ସାର୍ବଜନୀନ ପରିବହନ ଏବଂ ଭଲ ଆଞ୍ଚଳିକ ସଂଯୋଗୀକରଣର ଆବଶ୍ୟକତା ରହିଛି, ତାହା ଚିହ୍ନଟ କରାଯାଇପାରିବ ।
