Saturday, October 10, 2026
22.4 C
Odisha

    ଖାଦ୍ୟକୁ ମହଙ୍ଗା କରିବ ଜଳବାୟୁ ପରିବର୍ତ୍ତନ: ଗହମ, ଦୁଗ୍ଧ, ମାଛ ଉତ୍ପାଦନ କମିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି କମିବାରେ ଲାଗିଛି। ଏହା ସତ୍ତ୍ବେ ସାଧାରଣ ଲୋକଙ୍କ ଦରଦାମ ଚିନ୍ତା ଦୂର ହେବନାହିଁ। କାରଣ ଖାଦ୍ୟ ବାବଦରେ ଏ‌ମାନଙ୍କୁ ଆଗାମୀ ଦିନରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। ଅତ୍ୟଧିକ ଗରମ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ସ୍ଥିତି ଉପୁଜିବ।
    ସଂପ୍ରତି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଲୋକମାନେ ସିଧାସଳଖ ଅନୁଭବ କରୁଛନ୍ତି। ପ୍ରତିବର୍ଷ ଗରମ ପୂର୍ବବର୍ଷ ତୁଳନାରେ ଅଧିକ ହେଉଛି। ଚଳିତବର୍ଷ ‌ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ ବୋଲି ଯଦିଓ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ତଥାପି ଗତ କିଛିଦିନ ହେଲା ଲୋକମାନେ ପ୍ରଚଣ୍ଡ ତାତିରେ ଆଉଟୁପାଉଟୁ ହେଉଛନ୍ତି। ଦେଶର ଅନେକ ରାଜ୍ୟରେ ହିଟ୍‌ୱେଭର ପ୍ରକୋପ ଦେଖିବାକୁ ମିଳିଛି। ପାଣିପାଗ ବିଭାଗର କହିବାନୁଯାୟୀ, ଚଳିତବର୍ଷ ହିଟ୍‌ୱେଭ ଦିନ ସଂଖ୍ୟା ୧୦ରୁ ୨୦ ଦିନ ଅଧିକ ରହିପାରେ। ଗତବର୍ଷ ତୁଳନାରେ ଏହା ପ୍ରାୟ ଦୁଇଗୁଣା।

    ପ୍ରଚଣ୍ଡ ଗରମର ପ୍ରଭାବ କେବଳ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିବ ନାହିଁ ଲୋକଙ୍କ ଖାଦ୍ୟ ସାମଗ୍ରୀର ଯୋଗାଣ ଏବଂ ଦର ଉପରେ ମଧ୍ୟ ପ୍ରଭାବ ପକାଇବ। ବିଶେଷଜ୍ଞଙ୍କ କହିବାନୁଯାୟୀ ହିଟ୍‌ୱେଭ ଯୋଗୁ ଗହମ, ଦୁଗ୍ଧ ଏବଂ ମାଛ ଆଦି ଉତ୍ପାଦନ ବାଧାପ୍ରାପ୍ତ ହେବ। ଫଳରେ ବଜାରରେ ଏସବୁ ସାମଗ୍ରୀର ଉପଲବ୍ଧତା ହ୍ରାସ ପାଇବ। ଆଉ ଏହାର ସିଧାସଳଖ ‌ପ୍ରଭାବ ଲୋକଙ୍କ ଖାଦ୍ୟ ଥାଳି ଉପରେ ପଡ଼ିବ।

    ଅନଚାର୍ଟେଡ ୱାଟର୍ସ ନାମକ ଏକ ସଂସ୍ଥାର ଗବେଷଣାରୁ ଜଣାଯାଇଛି ଯେ ଅତ୍ୟଧିକ ଖରାଦିନ ପରେ ଅତ୍ୟଧିକ ଥଣ୍ଡାଦିନ ଆସିଲେ ଗହମ ଉତ୍ପାଦନ ପ୍ରମୁଖ ଉତ୍ପାଦନକାରୀ ସ୍ଥାନଗୁଡ଼ିକରେ ପ୍ରାୟ ୨୦ ପ୍ରତିଶତ କମି ଯାଇଥାଏ। ଏଥିଯୋଗୁ ଦେଶରେ ସାମଗ୍ରିକ ଗହମ ଉତ୍ପାଦନ ୫ରୁ ୧୦ ପ୍ରତିଶତ କମିଯାଇପାରେ।
    କେବଳ ଗହମ ନୁହେଁ ପନିପରିବା ଠାରୁ ଆରମ୍ଭ କରି ଡାଲି ଫସଲ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବ। ଏଥିସହିତ କଫି ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ। ତେଣୁ ଏସବୁକୁ ଦେଖିଲେ ଧନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଖାଦ୍ୟ ମଧ୍ୟ ମହଙ୍ଗା ହୋଇଯିବ। ବିଶେଷକରି ୮୦ କୋଟି ଲୋକଙ୍କୁ ମାଗଣା ରାସନ୍‌ ଯୋଗାଇ ଦିଆଯାଉଥିବା ଭାରତ ଭଳି ଦେଶରେ ସ୍ଥିତି ଗମ୍ଭୀର ରୂପ ନେଇପାରେ। ଦୀର୍ଘମାସ ପରେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୫ ପ୍ରତିଶତ ତଳକୁ ଖସି ମାର୍ଚ୍ଚ ମାସରେ ୪.୮୫ ପ୍ରତିଶତ ରହିଛି। ତେବେ ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ୪ ପ୍ରତିଶତ ଲକ୍ଷ୍ୟ ଠାରୁ ଏହା ଅଧିକ ରହିଛି। ପ୍ରତିକୂଳ ପାଣିପାଗ କେବଳ ଖାଦ୍ୟ ସାମଗ୍ରୀର ଉତ୍ପାଦନକୁ ନୁହେଁ ବରଂ ଏହାର ସଂରକ୍ଷଣ ଏବଂ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଥାଏ। ଶୀତଳ ଭଣ୍ଡାର ଅଭାବ କାରଣରୁ ଖାଦ୍ୟ, ପନିପରିବା ଏବଂ କ୍ଷୀର ଆଦି ସାମଗ୍ରୀ ଶୀଘ୍ର ନଷ୍ଟ ହୋଇଯାଇଥାଏ। ତେଣୁ ଜଳବାୟୁ ପରିବର୍ତ୍ତନ ଦେଶର ଅର୍ଥନୀତି ଏବଂ ଲୋକଙ୍କ ସାମାଜିକ ସ୍ଥିତିକୁ ଦୁର୍ବଳ କରି ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ