Wednesday, March 25, 2026
25.5 C
Odisha

    ଗନ୍ଧମାର୍ଦ୍ଦନ ଗର୍ଭ ସମ୍ପତ୍ତି ଉପରେ ଅଦାନୀ ନଜର

    ଆଗକୁ ପଢନ୍ତୁ

    ବଲାଙ୍ଗିର : ଗନ୍ଧମାର୍ଦ୍ଦନରେ ଖଣି ଖନନ ଓ କମ୍ପାନୀ ଦ୍ୱାରା ବିଭିନ୍ନ ସ୍ଥାନରେ ଜମି କିଣା ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଥମିବାର ନାଁ ନେଉନି। ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରା ଯାଉଛି। ଏହି କ୍ରମରେ ସୋମବାର ଖପ୍ରାଖୋଲ ତହସିଲ ଆଗରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ବିଧାନସଭାରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ମଧ୍ୟ ଦାବି କରିଛି । ଅନ୍ୟପକ୍ଷରେ ଉପରେ ଉପରେ ସବୁ ଶାନ୍ତ ଦେଖାଯାଉଥିବା ବେଳେ ଭିତରରେ କିଛି ବଡ଼ ଧରଣର ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ପଷ୍ଟ ହୋଇଛି । ଗୋଟିଏ ପଟେ ଏମ୍‌ଇସିଏଲ ପକ୍ଷରୁ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣି ଖନନକୁ ନେଇ ଗବେଷଣା କରୁଥିବାବେଳେ ବଲାଙ୍ଗିର ଜିଲ୍ଲା ଖଣି ଅଧିକାରୀଙ୍କୁ ବରଗଡ଼ରେ ବିରୋଧ କରାଯାଉଛି । ସେହିପରି ଜିଲ୍ଲାପାଳ ଖଣି ବିଭାଗର ସମୀକ୍ଷା କରିବା, ବିଜେପି ନେତା ରହସ୍ୟମୟ ଭାବେ ନୀରବ ରହିବା ଏକ ବଡ଼ ଷଡଯନ୍ତ୍ରର ଆଭାସ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି । ବଲାଙ୍ଗିର – ବରଗଡ଼ ସୀମାରେ ଥିବା ଗନ୍ଧମାର୍ଦ୍ଦନରେ ଖଣି ଖନନକୁ ନେଇ କିଛିଦିନ ହେଲା ବଲାଙ୍ଗିର ଓ ବରଗଡ଼ ରାଜନୀତି ସରଗରମ ହୋଇଛି । ଅଦାନୀ କମ୍ପାନୀ ନଜରରେ ଏହି ଅଞ୍ଚଳ ଭୂଗର୍ଭରେ ଥିବା ସମ୍ପତ୍ତିକୁ ହାତେଇବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି । ସୋମବାରଠାରୁ ଖପ୍ରାଖୋଲ ତହସିଲ ଆଗରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ପକ୍ଷରୁ ଧାରଣା ଆରମ୍ଭ ହୋଇଛି । ୨୬ ତାରିଖରେ ବିଧାନସଭା ଅଧିବେଶନ ବସୁଥିବାରୁ ସଂଗ୍ରାମ ପରିଷଦ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଦାବି କରିଛି । ଏହା ସହିତ ଅଦାନୀ ହାତକୁ ଗନ୍ଧମାର୍ଦ୍ଦନ ଟେକିଦେବା ପାଇଁ ହେଉଥିବା ଉଦ୍ୟମ ଆଲୋଚନାଉପରେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ଦେଉ ନ ଥିବାବେଳେ ବିଧାନସଭାରେ ସ୍ପଷ୍ଟୀକରଣ ଦେବା ପାଇଁ ଦାବି ହୋଇଛି । ଅନ୍ୟପକ୍ଷରେ ଗନ୍ଧମାର୍ଦ୍ଦନ ଓ ବଲାଙ୍ଗିର – ବରଗଡ଼ ଜିଲ୍ଲାରେ ଭରି ରହିଥିବା ମାଙ୍ଗାନିଜ ଓ ଗ୍ରାଫାଇଟ ଉପରେ ମଧ୍ୟ ଅଦାନୀ ନଜର ରହିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ଦିନ ଭିତରେ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଥିବା ଦୃଶ୍ୟ ହିଁ ଆଲୋଚନାକୁ ଖୋରାକ ଯୋଗାଇଛି । କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲାପାଳ ଜିଲ୍ଲା ଖଣି ବିଭାଗର ଅଧିକାରୀମାନଙ୍କ ସହ ଏକ ବୈଠକର ଆୟୋଜନ କରିଥିଲେ । ଏଥିରେ କେଉଁ ବିଷୟରେ ଆଲୋଚନା ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାର ଦୁଇ ଦିନ ପରେ ଖଣି ବିଭାଗର କିଛି ଅଧିକାରୀ ବରଗଡ଼ ଜିଲ୍ଲାର ଝାରବନ୍ଧ ଅଞ୍ଚଳରେ ଖଣି ଗବେଷଣାକୁ ନେଇ ବିରୋଧର ସାମ୍ନା କରିଥିଲେ । କୁହାଯାଉଛି ଗ୍ରାଫାଇଟ ଖଣି ଗବେଷଣାକୁ ନେଇ ଏହି ଦୁଇ ଅଧିକାରୀ ବରଗଡ ଜିଲ୍ଲାକୁ ଯାଇଥିବା ସୂଚନା ମିଲିଛି । ଗତ କିଛି ବର୍ଷ ହେଲା ଏମଇସିଏଲ ବଲାଙ୍ଗିର – ବରଗଡ଼ ଜିଲ୍ଲାର ସୀମାରେ ଖଣି ସନ୍ଧାନକୁ ନେଇ ଗବେଷଣା କରିଆସୁଛି । ଏହି ସମୟରେ ଅଦାନୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି କିଣିବା, ସରକାର ବଦଲିବା ପରେ ଏହି ସବୁ ଜମି ପଞ୍ଜିକରଣ ହେବା, ନିର୍ବାଚନ ସରୁ ସରୁ ଉପମୁଖ୍ୟମନ୍ତ୍ରୀ ଅଦାନୀ କମ୍ପାନୀର ଉପର ଅଧିକାରୀଙ୍କୁ ଭେଟିବା କିଛି ଅନ୍ୟ ଦିଗକୁ ସୂଚାଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    64 %
    2.1kmh
    39 %
    Wed
    26 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ