ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲାର କାଳସୀ ଅଞ୍ଚଳର ହିମାଚଳ ପ୍ରଦେଶର ଏକ ଯାତ୍ରବାହୀ ବସଟି ଗଭୀର ଘାଟିରେ ଘସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ ୩୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୬ ରୁ ୭ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ଜଣାପଡିଛି । ସୂଚନା ପାଇବା ପରେ ଏବଂ SDRF କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀଙ୍କ ନିର୍ଦ୍ଦେଶରେ, ଡାକପଥର, ଚକ୍ରତା, ମୋରି ଏବଂ ଟୁନିର SDRF ଦଳଗୁଡ଼ିକୁ ତୁରନ୍ତ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା ।
ଅନ୍ୟପଟେ ଏହି ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିଛନ୍ତି । ଏଥି ସହ ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଚିକିତ୍ସା କେନ୍ଦ୍ରକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି । ଆବଶ୍ୟକ ହେଲେ ଗୁରୁତର ଆହତ ଯାତ୍ରୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ବିମାନରେ ସ୍ଥାନାନ୍ତର କରାଯିବ ।

