Thursday, September 19, 2024
25.2 C
Odisha

    ଗୁରୁ ଦକ୍ଷ ଓ ବ୍ୟାସଦେବ

    ଆଗକୁ ପଢନ୍ତୁ

    ମହର୍ଷି ବ୍ୟାସଦେବ ମହାଭାରତ ରଚନା କରିଥିଲେ । ସେ ଜଣେ ମହାଜ୍ଞାନୀ ଓ ପଣ୍ଡିତ ଭାବରେ ବେଶ ଜଣାଶୁଣା ଥିଲେ । ଠାରେ ବ୍ୟାସଦେବ ନୈମିଷାରଣ୍ୟରେ ଯାଉଥିଲେ । ସେଠାରେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିଲେ । ଜଣେ ଚମାର ଭୂମିରେ ବସି ମନ୍ତ୍ରପାଠ କରୁଛି । ସଙ୍ଗେ ସଙ୍ଗେ ଖଜୁରୀ ବୃକ୍ଷ ତଳକୁ ନଇଁ ଆସୁଛି । ସେ ଫଳ ତୋଳିନେବା ପରେ ପୁନର୍ବାର ମନ୍ତ୍ରପାଠ ଦ୍ଵାରା ଗଛ ଠିଆ ହୋଇଯାଉଛି । ଏହାଦେଖଇଉ ବ୍ୟାସଦେବ ଆଶ୍ଚର୍ଯ ହୋଇଗଲେ । ଚମାର ପାଖକୁ ଯାଇ କହିଲେ,”ହେ ମହାନୁଭବ! ମୁଁ ସମସ୍ତ ଶାସ୍ତ୍ର ପାଠ କରିଛି । ହେଲେ ଏହି ବିଦ୍ୟା ମୋତେ ଜଣାନାହିଁ । ଆପଣ ମୋତେ ଏହି ବିଦ୍ୟା ଶିଖାଇଦେଲେ ମୁଁ ସର୍ବଦା ଆପଣଙ୍କୁ ଗୁରୁଭାବରେ ସମ୍ମାନ କରିବି ଓ ଉପକୃତ ହେବି ।”

    ଚମାର ବ୍ୟାସଦେବଙ୍କ ପରିଚୟ ଜାଣିଲା । ସେ ଏପରି ଜଣେ ଗୁଣୀ, ଜ୍ଞାନୀ, ପଣ୍ଡିତଙ୍କୁ ବିଦ୍ୟା ଶିକ୍ଷା ଦେଇ ଗୁରୁ ହେବାକୁ ଚାହିଁଲା ନାହିଁ । କାରଣ ଜଣେ ନିଚ୍ଚ ଜାତିର ଚମାରକୁ ସେ କଣ ଗୁରୁଭାବରେ ସମ୍ମାନ ଦେବେ? ଗୁରୁଙ୍କୁ ଅସମ୍ମାନିତ କଲେ ବିଦ୍ୟା ଫଳବତୀ ହୋଇନପାରେ । ତେଣୁ ସେ ଛଳନାରେ କହିଲା, ଆପଣ ଶୁଭ ଦିବସ ଦେଖି ମୋ ପାଖକୁ ଆସନ୍ତୁ । ମୁଁ ଏ ମନ୍ତ୍ର ଆପଣଙ୍କୁ ପ୍ରଦାନ କରିବି ।

    ବ୍ୟାସଦେବ ଫେରିଗଲେ । କିଛିଦିନ ପରେ ଶୁଭ ଦିବସ ଦେଖି ଚମାରର ଗୃହରେ ଉପସ୍ଥିତ ହେଲେ । ବ୍ୟାସଦେବଙ୍କର ଆଗମନ ଦେଖି ଚମାର ନିଜ ଗୃହ ମଧ୍ୟରେ ଲୁଚିଗଲା । ସେ ଉପସ୍ଥିତ ନାହିଁ ବୋଲି ଜାଣି ବ୍ୟାସଦେବ ପ୍ରତ୍ୟାଗମନ କଲେ ଓ ପୁଣି କିଛି ଦିନ ପରେ ଚମାର ଗୃହକୁ ଗଲେ । ପୂର୍ବପରି ଏଥର ମଧ୍ୟ ଚମାର ତାଙ୍କୁ ଦଖା ଦେଲା ନାହିଁ । ଏପରି ଅନେକବାର ହେଲା । ବ୍ୟାସଦେବ ତାଙ୍କ ଗୃହକୁ ବାରମ୍ବାର ଆସିବାର କାରଣ ଚମାରର ପୁଅ ଦକ୍ଷ ଜାଣିପାରିଲା । ସେ ମଧ୍ୟ ନିଜ ପିତାଙ୍କର ଉକ୍ତ ମନ୍ତ୍ରବିଦ୍ୟା ବିଷୟରେ ଅବଗତ ଥିଲା । ବ୍ୟାସଦେବଙ୍କ ମଧୁର ଜ୍ଞାନପୂର୍ଣ୍ଣ କଥାରେ ମୋହିତ ହୋଇ ସେ ତାଙ୍କୁ ମନ୍ତ୍ରଶିକ୍ଷା ଦେବାକୁ ରାଜି ହେଲା । ଦକ୍ଷ ବ୍ୟାସଦେବଙ୍କୁ ଗୋଟିଏ ନିର୍ଜନ ସ୍ଥାନକୁ ନେଇ ସେହି ସିଦ୍ଧମନ୍ତ୍ର ପ୍ରଦାନ କଲା । ବ୍ୟାସଦେବ ମନ୍ତ୍ରକୁ ବୃକ୍ଷମାନଙ୍କ ଉପରେ ପରୀକ୍ଷା କରି ସଫଳ ହୋଇ ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ଦକ୍ଷକୁ ଗୁରୁରୂପେ ସ୍ଵୀକାର କରି ସେଠାରୁ ଫେରିଗଲେ ।

    ଦକ୍ଷର ପିତା ଯେତେବେଳେ ଏକଥା ଜାଣିଲେ,ସେ ନିଜ ପୁତ୍ର ଉପରେ ବିରକ୍ତ ହେଲେ । କହିଲେ,”ଆମେ ଖୁବ ନିଚ୍ଚ ଜାତିର ଲୋକ । ବ୍ୟାସଦେବଙ୍କ ପରି ମହାମାନୀ ପଣ୍ଡିତ ସାଧକ କ’ଣ ତୋତେ ଗୁରୁର ମାନ୍ୟତା ଦେବେ? ଗୁରୁଙ୍କୁ ସମ୍ମାନ ନକଲେ ଏହି ବିଦ୍ୟା ଫଳପ୍ରଦ ହେବ ନାହିଁ । ଏହା ଭାବି ମୁଁ ତାଙ୍କୁ ମନ୍ତ୍ରଶିକ୍ଷା ଦେବାକୁ ରାଜି ନଥିଲି । କାରଣ ଏ ମନ୍ତ୍ର ତିନିଭୁବନରେ ଦୁର୍ଲଭ । ବ୍ରହ୍ମା,ଇନ୍ଦ୍ର,ରୁଦ୍ର ମଧ୍ୟ ଏ ବିଦ୍ୟା ବିଷୟରେ ଜାଣନ୍ତି ନାହିଁ ।

    କିଛିଦିନ ଗତାନ୍ତେ ଚମାର ନିଜର ପୁତ୍ର ଦକ୍ଷକୁ ବ୍ୟାସଙ୍କ ନିକଟକୁ ପରୀକ୍ଷା ନିମନ୍ତେ ପ୍ରେରଣ କଲେ । ବ୍ୟାସ ଦୂରରୁ ନିଜ ଗୁରୁ ଦକ୍ଷକୁ ଦେଖି ତାଙ୍କୁ ପାଛୋଟି ନେବାକୁ ନିଜ ଆସନରୁ ଉଠିଆସିଲେ । କମଣ୍ଡଳରୁ ଜଳ ଆଣି ଦକ୍ଷଗୁରୁଙ୍କ ପାଦ ଧୋଇ ଦେଲେ ଓ ଛାଲ ଆସନରେ ବସାଇଲେ । ତତ୍ପରେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ । ଏହାଦେଖି ଚମାର ଦକ୍ଷ ମନେ ମନେ ସାମାନ୍ୟ ସଙ୍କୋଚବୋଧ କଲେ ।

    ବ୍ୟାସଦେବ ଭକ୍ତିର ସହ କହିଲେ,”ହେ ମୋର ମନ୍ତ୍ରଦାତା ଗୁରୁ, ଆପଣଙ୍କୁ ଅମାନ୍ୟ କଲେ ମୁଁ ଜାଣେ, ମନ୍ତ୍ର ଫଳବତୀ ନହୋଇ ଶିଷ୍ୟର ପାପ ହୋଇଥାଏ । ଗୁରୁଙ୍କୁ କାୟୋ-ମନୋ-ବାକ୍ୟରେ ସେବା ନକଲେ ମୁଁ ବ୍ରହ୍ମହତ୍ୟା ପାପର ଭାଗୀ ହେବି । ତାପରେ ବ୍ୟାସଦେବ ଦକ୍ଷ ଗୁରୁଙ୍କୁ ନାନାଦି ସୁମିଷ୍ଟ ଫଳ ଖାଦ୍ୟ ଭବେ ସମର୍ପଣ କଲେ । ଗୁରୁ ମହାତ୍ମା ବର୍ଣ୍ଣନା କରି ବ୍ୟାସଦେବ ନିଜର ଚମାର ଗୁରୁଙ୍କୁ ଅନେକ ସୁନା,ହୀରା,ମୋତି ଦକ୍ଷିଣା ରୂପରେ ଦାନ କରି ମେଲାଣି ଦେଲେ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ