ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ ରେ ଚାକିରି ଦେବା ନାଁରେ ଠକେଇ । ଚାକିରି କରାଇ ଦେବାକୁ କହି ୬୦ ହଜାର ଓ ଜାଲ ନିଯୁକ୍ତିପତ୍ର ଦେଇ ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା । ଏଭଳି ଦୁଇ ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ଏହି ରାକେଟରେ ବଡ଼ବଡ଼ିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।
ବାଲେଶ୍ଵର ଜିଲ୍ଳା ସଦର ବ୍ଲକ୍ ଗୋଷେଇଁ ପାଟଣା ଗାଁର ଗୋପୀନାଥ ଗାହାଣ ଏବଂ ତାଙ୍କ ସ୍ତ୍ରୀ ସ୍ଥାନୀୟ ରମେଶ ଚନ୍ଦ୍ର ନାୟକଙ୍କ ଝିଅକୁ ଚାକିରି କରେଇ ଦେବା ନାଁରେ ୧ଲକ୍ଷ ୫ ହଜାର ଟଙ୍କା ନେଇ ଜାଲ୍ ନିଯୁକ୍ତିପତ୍ର ଦେଇଥିଲେ । ସେହିଭଳି ସ୍ଥାନୀୟ ସୁଦର୍ଶନ ପାକଳଙ୍କ ପୁଅ ଏବଂ ବୋହୂଙ୍କୁ ଚାକିରି କରେଇ ଦେବ କହି ଗୋପୀନାଥ ଗାହାଣ ୬୦ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ ଗୋପୀନାଥକୁ ଫୋନ୍ କରି ଉଭୟେ ପଚାରିଥିଲେ। ରମେଶ ଏବଂ ସୁଦର୍ଶନକୁ ଗୋପୀନାଥ ଟଙ୍କା ଫେରସ୍ତ ପାଇଁ ବାଲେଶ୍ଵର କଚେରି ନିକଟକୁ ଡାକିଥିଲେ । ଗୋପୀନାଥଙ୍କ ସହ ଆସିଥିବା ଜଣେ ଓକିଲ ବ୍ଲାଙ୍କ କୋର୍ଟ ପେପରରେ ଦସ୍ତଖତ କରି ୨୦ ହଜାର ଟଙ୍କା ଲେଖାଏଁ ନେବାକୁ କହିଥିଲେ । ଠକାମୀର ଶିକାର ହୋଇଥିବା ଜାଣି ରମେଶ ଓ ସୁଦର୍ଶନ ବାଲେଶ୍ଵର ସଦର ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଓକିଲ ଏବଂ ଗୋପୀନାଥ ଫେରାର ହୋଇଯାଇଛନ୍ତି।