ସୁସ୍ଥ ରହିବାକୁ କିଏ ବା ନ ଚାହେଁ । ବର୍ତ୍ତମାନ ସମୟରେ ବହୁତ ଲୋକେ ଅନେକ ରୋଗର ଶୀକାର ହେଉଛନ୍ତି । ଆଜିକାଲି ସମସ୍ତଙ୍କ ପାଖରେ କିଛି ନା କିଛି ରୋଗ ଦେଖିବାକୁ ମିଳୁଛି । ଯାହାଦ୍ବାରା ଲୋକେ ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟକୁ ଆପଣାଇଥାନ୍ତି ।
ଆମ ରୋଷେଇ ପାଇଁ ଅନେକ ଜିନିଷ ଆମେ ବ୍ୟବହାର କରିଥାଉ । ଯାହା ଖାଦ୍ୟର ସ୍ବାଦ ବଢାଇବା ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ରୋଷେଇ ଘରେ ଅନେକ ମସଲା ଥାଏ ସେଥି ମଧ୍ୟରୁ ମିଳୁଥିବା ଜୁଆଣୀ ହେଉଛି ଅନ୍ୟତମ । ଯାହା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ । ଅନେକ ଲୋକଙ୍କୁ ଜୁଆଣୀ ପସନ୍ଦ ନଥାଏ । କିନ୍ତୁ ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ । ଏହା ଛଡ଼ା ଜୁଆଣୀ ଔଷଧୀୟ ଗୁଣରେ ଭରପୁର । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଭିଟାମିନ୍, ମିନେରାଲ୍ସ, ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ବ୍ୟତୀତ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଖାସ୍ କରି ଏହାକୁ ଖାଲି ପେଟରେ ଏହାର ପାଣିକୁ ପିଇବା ଦ୍ବାରା ବିଶେଷ ଲାଭ ମିଳିଥାଏ । ତେବେ ଏହି ଜୁଆଣୀ ପାଣିର ଉପକାରିତା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।
ଆପଣ କ’ଣ ଓଜନକୁ ନେଇ ଚିନ୍ତାରେ ରହିଛନ୍ତି କି? ତେବେ ଏଥି ପାଇଁ ଆମେ ଆପଣଙ୍କୁ ସରଳ ଉପାୟ ବତାଇବୁ । ଯାହା ଆପଣଙ୍କ ଓଜନ ଯାତ୍ରାକୁ ସହଜ କରିଦେଇପାରିବ । ଓଜନ କମାଇବା ପାଇଁ ଜୁଆଣୀ ପାଣି ଅଧିକ ଫଳପ୍ରଦ ହୋଇଥାଏ । ଯାହାକୁ ପିଇବା ସହିତ ବ୍ୟାୟାମ କରିବା ମଧ୍ୟ ଉଚିତ୍ । ସକାଳେ ଖାଲି ପେଟରେ ଏହାକୁ ପିଇବା ଦ୍ବାରା ଆମ ଦେହରେ ଥିବା ଚର୍ବିକୁ ହ୍ରାସ କରି ଓଜନକୁ କମାଇଥାଏ ।
ଗ୍ୟାସ ରୋଗୀଙ୍କ ପାଇଁ ଜୁଆଣୀ ପାଣି ଲାଭଦାୟକ ହୋଇଥାଏ । ଯାହାକୁ ସକାଳେ ଖାଲି ପେଟରେ ପିଇବା ଦ୍ବାରା ଏହି ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ । ଜୁଆଣିରେ ମିଳୁଥିବା ପୋଷକ ତତ୍ତ୍ୱ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ । କେବଳ ଏତିକି ନୁହେଁ ଜୁଆଣି ପାଣି ପିଇବା ଦ୍ୱାରା ଶ୍ୱାସ, ଗଳା ଏବଂ ନାକ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ । ଜୁଆଣିର ପ୍ରକୃତି ଗରମ ହୋଇଥାଏ ଯାହା ଆସ୍ଥମା ରୋଗୀଙ୍କ ପାଇଁ ଏକ ଔଷଧ ଭାବରେ କାମ କରେ । ଏହି ଜୁଆଣୀ ପାଣି ପିଇବା ଫଳରେ ପେଟ ଯନ୍ତ୍ରଣା, ପାଇଲ୍ସ ଆଦି କଷ୍ଟରୁ ଆରାମ ପ୍ରଦାନ କରିଥାଏ ।
ଉଚ୍ଚ କୋଲେଷ୍ଟ୍ରୋଲଙ୍କୁ ନିୟନ୍ତ୍ରଣ କରିବାରେ ସହାୟକ କରିଥାଏ ଜୁଆଣୀ ପାଣି । ଯାହା ସୁସ୍ଥ ହାର୍ଟ ପାଇଁ ଫଳପ୍ରଦ ବୋଲି ବିବେଚନା କରାଯାଏ । ତେଣୁ ଏହାକୁ ନିୟମିତ ଭାବେ ଖାଲି ପେଟରେ ସକାଳେ ପିଇବାକୁ ଅଭ୍ୟାସ କରନ୍ତୁ । ଯାହା ଆପଣଙ୍କୁ ଖୁବ୍ କମ୍ ମୂଲ୍ୟରେ ରୋଗରୁ ରକ୍ଷା କରିବ । ତେବେ ଏହାକୁ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା ।
ପ୍ରଥମେ ଏକ ପ୍ୟାନରେ ଅଧଚାମଚ ଜୁଆଣୀ ସହିତ ଗୋଟିଏ ଗ୍ଲାସ୍ ପାଣି ନିଅନ୍ତୁ । କିଛି ସମୟ ପାଇଁ ଏହାକୁ ଭଲ ଭାବରେ ଫୁଟାନ୍ତୁ । ଏହି ପାଣି ଫୁଟିଯିବା ପରେ ଏହି ପାଣିକୁ ଛାଣି ନିୟମିତ ପିଅନ୍ତୁ । ଯାହା ଆପଣଙ୍କ ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇବ ।