ଆମେରିକାର ଟେକ୍ସାସରେ ଏକ ସପିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୦୦ରୁ ଅଧିକ ପ୍ରାଣୀ ମରିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛୋଟ ପକ୍ଷୀ । ଶୁକ୍ରବାର ସକାଳେ ଡଲାସରେ ଥିବା ଏହି ସପିଂ ସେଣ୍ଟରରେ ନିଆଁ ଲାଗିଯାଇଥିଲା ।
ଡାଲାସ୍ ଫାୟାର-ରେସକ୍ୟୁ ଅଧିକାରୀ ଜେସନ ଇଭାନ୍ସ କହିଛନ୍ତି, ଉତ୍ତର ପଶ୍ଚିମ ଡଲାସର ପ୍ଲାଜା ଲାଟିନାସ୍ଥିତ ଏକ ପୋଷା ପ୍ରାଣୀ ଦୋକାନରେ ନିଆଁ ଲାଗିଯାଇଥିଲା । ଫଳରେ ଧୂଆଁରେ ଅଣନିଃଶ୍ୱାସୀ ହୋଇ ଘଟଣାସ୍ଥଳରେ ୫୭୯ ପ୍ରାଣୀଙ୍କର ମୃତ୍ୟୁ ଘଟିଥିଲା । ଇଭାନ୍ସ କହିଛନ୍ତି, ନିଆଁ ପ୍ରାଣୀମାନଙ୍କ ପାଖରେ ପହଞ୍ଚିପାରି ନ ଥିଲା । ମୃତ ପ୍ରାଣୀମାନଙ୍କ ମଧ୍ୟରେ ଅଛନ୍ତି କୁକୁଡ଼ା, ହାମଷ୍ଟର, ଦୁଇଟି କୁକୁର ଏବଂ ଦୁଇଟି ବିଲେଇ ।
ନିଆଁ ଏତେ ଭୟାବହ ଥିଲା ଯେ ଏହାକୁ ଲିଭାଇବା ପାଇଁ ପାଖାପାଖି ଦୁଇ ଘଣ୍ଟା ସମୟ ଲାଗିଥିଲା । ପ୍ରାୟ ୪୫ ଜଣ ଅଗ୍ନିଶମ କର୍ମଚାରୀ ଦିନ ୧୧ଟା ପର୍ଯ୍ୟନ୍ତ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ ।
ଇଭାନ୍ସ କହିଛନ୍ତି, କର୍ମଚାରୀମାନେ ରେସକ୍ୟୁ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଦୋକାନରେ ଥିବା ସମସ୍ତ ପ୍ରାଣୀ ଧୂଆଁ ଯୋଗୁ ମରିଯାଇଥିଲେ । ଏହି ଅଗ୍ନିକାଣ୍ଡରେ କୌଣସି ଲୋକ ଆହତ ହୋଇନାହାନ୍ତି । ଏଥିରେ ସପିଂ ସେଣ୍ଟରର ଏକ ମହଲା ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି । ନିଆଁ ଲାଗିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଘଟଣାର ତଦନ୍ତ ଚାଲିଛି ବୋଲି ଇଭାନ୍ସ କହିଛନ୍ତି ।