ବଜାରରେ ମିଳୁଥିବା ସବୁଜ ପନି ପରିବା ମଧ୍ୟରେ ଛଚିନ୍ଦ୍ରା ଅନ୍ୟତମ ଓ ସବୁଠୁ ଅଧିକ ଲୋକ ପ୍ରିୟ । ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ତରକାରୀ ସାଙ୍ଗକୁ ଏହା ଭଜା ମଧ୍ୟ ଅନେକଙ୍କୁ ଭଲ ଲାଗିଥାଏ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଛଚିନ୍ଦ୍ରା କେବଳ ଏକ ପରିବା ନୁହେଁ ଏଥିରେ ଔଷଧିୟ ଗୁଣ ମଧ୍ୟ ରହିଛି । ଏହାକୁ ଖାଇବାର ଅନେକ ଲାଭ ଅଛି । ମଧୁମେହ ଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ବ୍ୟକ୍ତି ମାନେ ଏହାକୁ ଖାଇ ପାରିବେ । ସାପ ଭଳି ଦିଶୁଥିବା ଏହି ପରିବା ଶରୀରର ଚର୍ବି ତରଳାଇବାର କାମ କରିବ । ତେବେ ଛଚିନ୍ଦ୍ରାର ଔଷଧିୟ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।
ମଧୁମେହ ପାଇଁ ଉପକାରୀ: ଅନେକ ଲୋକ ମଧୁମେହ ରୋଗରେ ଶିକାର ହେଉଛନ୍ତି । ଏପରି ବ୍ୟକ୍ତିଙ୍କ ପାଇଁ ଛଚିନ୍ଦ୍ରା ଏକ ଔଷଧ ରୂପେ କାର୍ଯ୍ୟ କରିଥାଏ । ଏଥିରେ ଥିବା କ୍ୟାଲୋରୀ ପରିମାଣ ବହୁତ କମ୍ । ଟେବୁ ମଧୁମେହ ରୋଗର ଚିକିତ୍ସା ପାଇଁ ଛଚିନ୍ଦ୍ରା କୁ ହର୍ବାଲ୍ ଥେରାପିରେ ମଧ୍ୟ ବ୍ୟବହୃତ ହୁଏ ।
ୟୁରିକ୍ ଏସିଡ୍ ସ୍ତରକୁ କମାଏ: ଯଦି ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ପାଉଛି ତେବେ ଖାଦ୍ୟରେ କିଛିଟା ପରିବର୍ତ୍ତନ କରନ୍ତୁ । ଏହାର ସୁଫଳ ଆପଣ ନିଶ୍ଚିତ ଭାବରେ ପାଇବେ । ଖାସ୍ କରି ଖାଦ୍ୟରେ ପରିବା ସାମିଲ କରିବାକୁ ଡାକ୍ତର ମଧ୍ୟ ପରାମର୍ଶ କରିଥା’ନ୍ତି । ପ୍ରତିଟି ପରିବାରେ କିଛି ନା କିଛି ଔଷଧୀୟ ଗୁଣ ଗଚ୍ଛିତ ହୋଇ ରହିଥାଏ । ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ଏମିତି ହିଁ ଗୋଟିଏ ପରିବା ହେଉଛି ଛଚିନ୍ଦ୍ରା । ଫାଇବରରେ ଭରପୂର ଛଚିନ୍ଦ୍ରା ପାଣିଯୁକ୍ତ ପରିବା ହୋଇଥିବାରୁ ବୃଦ୍ଧି ହୋଇଥିବା ପ୍ୟୁରିନ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ । ଫାଇବରରେ ଭରପୂର ଛଚିନ୍ଦ୍ରା ଉଚ୍ଚ ୟୁରିକ୍ ଏସିଡ୍ ସ୍ତରକୁ ହ୍ରାସ କରିବାରେ ଏବଂ ଏହି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିପାରେ ।
କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ: କେବଳ ୟୁରିକ୍ ଏସିଡ୍ ସ୍ତରକୁ କମାଇବାରେ ନୁହେଁ ଛଚିନ୍ଦ୍ରା କୋଷ୍ଠକାଠିନ୍ୟ ପାଇଁ ମଧ୍ୟ ରାମବାଣ ଭଳି କାମ କରେ । ଏହି ପରିବା ଫାଇବର ମେଟାବୋଲିଜିମକୁ ତ୍ୱରାନ୍ୱିତ କରେ ଏବଂ ପାଚନ ଓ ଅନ୍ତନଳୀ କାର୍ଯ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଛଚିନ୍ଦ୍ରା ଖାଇବା ଦ୍ବାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ । ଏଥିସହ ଆଜିକାଲିର ଗୋଟିଏ ସାଧାରଣ ସମସ୍ୟା ହେଉଛି ଫ୍ୟାଟି ଲିଭର୍ । ଫ୍ୟାଟି ଲିଭର୍ ଭଳି ସମସ୍ୟା ପାଇଁ ମଧ୍ୟ ଛଚିନ୍ଦ୍ରା ଏକ ଉତ୍ତମ ଖାଦ୍ୟ ।
ହାର୍ଟ ରୋଗ ପାଇଁ ଉପକାରୀ: ଛଚିନ୍ଦ୍ରା ହାର୍ଟ ରୋଗୀଙ୍କ ପାଇଁ ଉତ୍ତମ ପରିବା । ଏପରି ବ୍ୟକ୍ତି ମାନେ ଏହାର ଜୁସ କିମ୍ବା ଏହାକୁ ଖାଦ୍ୟରେ ସାମିଲ କରିପାରିବେ । ଯାହା ଦ୍ଵାରା ଦୀର୍ଘ ଦିନ ପର୍ଯ୍ୟନ୍ତ ହାର୍ଟ ସୁସ୍ଥ ରହିପାରିବ । ତେଣୁ ତରକାରୀ, ଭଜା କିମ୍ବା ଅନ୍ୟ ଉପାୟରେ ନିଜ ଖାଦ୍ୟରେ ଛଚିନ୍ଦ୍ରାକୁ ସାମିଲ କରିପାରିବେ । ତେବେ କୌଣସି ରୋଗର ଚିକିତ୍ସା ପାଇଁ କେବଳ ଛଚିନ୍ଦ୍ରା ଉପରେ ନିର୍ଭର ନକରି, ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
