ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ଯାନିଯାତ୍ରା ଭିତରୁ ବୁଢି ମା’ ଠାକୁରାଣୀ ବା ହରଗୈାରୀ ଯାତ୍ରାର ଆଜି ବି ବିଶେଷ ମହତ୍ଵ ରହିଛି । ସୋନପୁର ଗଡଯାତ ରାଜା ନୀଳାଦ୍ରି ସିଂହଦେଓଙ୍କ ଅମଳରୁ ଢେରା ସମ୍ପ୍ରଦାୟର ଲୋକେ ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି । ଆଶ୍ଵିନ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ଦିନ ସଂନ୍ଧ୍ୟାରେ ଏହି ସମ୍ପ୍ରଦାୟର ଇଷ୍ଟଦେବୀ ବୁଢୀମାଁ ଠାକୁରାଣୀଙ୍କ ପିଠିରେ ଦକ୍ଷିଣ ଭାରତୀୟ ପରମ୍ପରାରେ ପୂଜା କରି ଏହିଯାତ୍ରା ପାଳନ କରାଯାଇଥାଏ । ଏହି ଦିନ ସୁବର୍ଣ୍ଣପୁରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ନିଜସ୍ଵ ଜମିରୁ ଗଉରୀ ବା ଗଉରମା ଋପରେ ଧାନ ଗଛକୁ ଅଣାଯାଇ ଯାତ୍ରାପାଇଁ ତିଆରି ହୋଇଥିବା ସ୍ଵତନ୍ତ୍ର ମଞ୍ଚରେ ସ୍ଥାପନା କରାଯାଇଥାଏ । ସେହିପରି ଗୌରୀଙ୍କ ପଦାର୍ପଣ ପରେ ସୋନପୁରର ଏକ ବଣିଆ ଘରୁ ମହାଦେବ ବା ଏରଭାର୍ଦୃତୁ ସ୍ଵାମୀଙ୍କୁ ଅଣାଯାଇ ଗୈାରୀଙ୍କ ପାଖରେ ସ୍ଥାପନା କରାଯାଇଥାଏ । ଏହିଯାତ୍ରାରେ ଦକ୍ଷିଣ ଭାରତୀୟ ପିଠାପଣା ପ୍ରତିଦିନ ଏଠାରେ ଭୋଗ କରାଯାଇଥାଏ ।
ମା’ ପ୍ରତିଦିନ ଗମ୍ଭିରାରୁ ବାହାରି ଢେରାପଡାରେ ନଅର ପରିକ୍ରମା କରିବା ସହ ଦେବାଙ୍ଗଳୁ ସମ୍ପ୍ରଦାୟର ଘର ଅଗଣାରେ ଗୋଡ ଧୋଇ ଭୋଗ ଲାଗି ହୋଇଥାଏ । ଏହି ଯାତ୍ରାର ଏକ ବିଶେଷ ଆକର୍ଷଣ ହେଲା ଜଳପୂର୍ଣ୍ଣ ପରି ଗରିଆର ଉପରି ଭାଗରେ ତେଲଢାଳି ଦୀପ ପ୍ରଜ୍ଜଳନ କରାଯାଇଥାଏ । ବିଶ୍ଵାସ ରହିଛି କି ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ବର୍ଷ ତମାମ ପରିବାର ସୁଖ ଶାନ୍ତି ମିଳିଥାଏ । ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ହରଗୈାରୀ ଯାତ୍ରା ନଅ ଦିନ ଧରି ଅନୁଷ୍ଠିତ ହୋଇଥାଏ ।
ପରମ୍ପରା ଅନୁସାରେ ପରିବାରର ଯିଏ ଯେତେ ଦୂରରେ ଥିଲେ ମଧ୍ୟ ସମସ୍ତେ ଘରକୁ ଆସିଥାନ୍ତି । ହରଗୈାରୀ ବିରାଜିତ ହେବା ପରେ ପ୍ରତିଦିନ ସଂନ୍ଧ୍ୟାରେ ସାହିର ଯୁବକମାନଙ୍କ ଦ୍ଵାରା ବାଡିଖେଳ ହୋଇଥାଏ । ପରେ ଏକ ବାଢାଣ୍ୟ ପରିବେଶ ଭିତରେ ପଞ୍ଚବାଦ୍ୟରେ ଏକ ବିରାଟ ପଟୁୁଆରରେ ହର ଏବଂ ଗୈାରୀଙ୍କୁ ଧରି ସାହି ପରିକ୍ରମା କରିଥାନ୍ତି ଦୁଇଜଣ ବିବାହିତ ମହିଳା । ପ୍ରତିଟି ଦୁଆର ଅଗଣାରେ ହରଗୈାରୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।
ଏହି ସମୟରେ ଦାଣ୍ଡକୁମୁ ବା ତେଲୁଗୁ ସ୍ତୋତ୍ର ଗାନ କରାଯାଇ ଏକ ଖଣ୍ଡାଦ୍ଵାରା ଦେବ ଦେବୀଙ୍କୁ ବନ୍ଦାଣ କରାଯାଇଥାଏ । ସାହିର ଯୁବକମାନେ ମା’ଙ୍କ ପଛେ ପଛେ ଯାଇଥାନ୍ତି । ଲୋକଙ୍କ ମନୋରଞ୍ଜନ ସକାଶେ ପରେ ପରେ ବୁଢିମା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସଂସ୍କୃତି ସମ୍ପର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲାରେ ଦେବାଙ୍ଗୁଳୁ ସମ୍ପ୍ରଦାୟାର ବୁଢିମାଁ ଯାତ୍ରା ବା ହରଗୈାରୀ ଯାତ୍ରା ଯେତିକି ନିଆରା ତାଠୁ ବଳି ଏଠାରେ ବସବାସ କରୁଥିବା ଲୋକଙ୍କ ଚାଲିଚଳଣ, ଐତିହ୍ୟ ଓ ପରମ୍ପରା ସେତିକି ମହାନ ।