ବାଲେଶ୍ୱର :ଦିନକୁ ଦିନ ବାଲେଶ୍ୱର ସୋର ଅଞ୍ଚଳରେ ଡକାୟତି ବଢ଼ି ଚାଲିଛି। ମୁହଁରେ କପଡା ବାନ୍ଧି ରାତି ପ୍ରାୟ ୨ଟା ସମୟରେ ଘରେ ପଶିଲେ ୪ ଜଣ ଦୁର୍ବୃତ୍ତ । ପରସ୍ପର ଭିତରେ ଅଣ ଓଡ଼ିଆରେ କଥାବାର୍ତ୍ତା ହେଉଥାନ୍ତି । ଏପଟେ ରାତି ଅଧାରେ ଘରେ ଏଭଳି ଅଜଣା ଲୋକଙ୍କୁ ଦେଖି ଘରେ ଥିବା ଦମ୍ପତି ପୁରା ଭୟଭୀତ ହୋଇଯାଇଥିଲେ । କିଛି ବୁଝିବା ଆଗରୁ ଉଭୟଙ୍କ ଆଖିରେ କଳା ପଟ୍ଟୀ ଏବଂ ହାତ ଗୋଡ ବାନ୍ଧି ଦେଇଥିଲେ । ଆଖିରେ ପଟି ବାନ୍ଧି ମୁଣ୍ଡରେ ଲୁହା ରଡ଼ ଲଗାଇ ଏକ ଦମ୍ ଫିଲ୍ମ ଷ୍ଟାଇଲରେ କରିଥିଲେ ଲୁଟ । ହଁ ଆଜ୍ଞା, ପୋଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଜ ଦେଇ ପୋଷ୍ଟ ମାଷ୍ଟରଙ୍କ ଘରୁ ଲୁଟ ।
ବାଲେଶ୍ୱର ଜିଲ୍ଲା ଅନନ୍ତପୁର ଫାଣ୍ଡି ତେଣ୍ଟେଇ ଗ୍ରାମର ପୋଷ୍ଟ ମାଷ୍ଟର ବଟକୃଷ୍ଣ ମଳିକ ଘରୁ ହୋଇଛି ଏଭଳି ଡକାୟତି । ଘର ଲୋକଙ୍କ ହାତ ଗୋଡ଼ ବାନ୍ଧି ପୋଷ୍ଟ ମାଷ୍ଟରଙ୍କ ଘରୁ ଲୁଟ ନେଲେ ନଗଦ ଟଙ୍କା ସହ ସୁନା ଅଳଙ୍କାର । ଘରେ ଥିବା ୫ ଲକ୍ଷ ଟଙ୍କା, ସୁନା ହାର, ଦୁଇ ହଳ କାନଫୁଲ ଏବଂ ପ୍ରାୟ ୨ ଶହ ଗ୍ରାମର ରୂପା ଅଳଙ୍କାର ଲୁଟ କରିଛନ୍ତି ଦୁର୍ବୃତ୍ତ । ଅନ୍ୟପଟେ ଏହି ଲୁଟେରାମାନେ ଅଣ ଓଡ଼ିଆରେ କଥା ହେଉଥିବା ଯୋଗୁଁ ଦମ୍ପତି କିଛି ବୁଝିପାରିନଥିଲେ ସେମାନେ କଣ କଥା ହେଉଛନ୍ତି । କେବଳ ସେତିକିରେ ସରିନଥିଲା ଏ ଲୁଟେରାଙ୍କ ଦାଦାଗିରି ପୋଷ୍ଟ ମାଷ୍ଟର ବଟକୃଷ୍ଣ ଓ ସ୍ତ୍ରୀ ସୁରତୀଙ୍କ ହାତ ଓ ଆଖି ବାନ୍ଧିବା ପରେ ହତ୍ୟା ଧମକ ମଧ୍ୟ ଦେଇଥିଲେ ଦୁର୍ବୃତ୍ତ । ଏପଟେ ଏତେ ପରିମାଣର ନଗଦ ଟଙ୍କା ସହ ସୁନା ଅଳଙ୍କାର ଚୋରି ହେବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ।
ତୁରନ୍ତ ଏଥିରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ କାବୁ କରି ସମସ୍ତଙ୍କ ସୁନା ଅଳଙ୍କାରକୁ ଫେରାଇ ଆଣିବା ସହ ଲୁଟେରାମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଗତ ଦୋଳ ପୂର୍ଣ୍ଣିମା ଦିନ ସେହି ଗାଁ ରାମଚନ୍ଦ୍ର କର ଘରେ ଡକାୟତ ପସି ହାତ ଗୋଡ଼ ବାନ୍ଧି ସୁନା ଗହଣା ଓ ଟଙ୍କା ଲୁଟ କରି ନେଇଥିଲେ । ଉଭୟ ଘଟଣା ପରେ ଏବେ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି ।