ଭୁବନେଶ୍ୱର : ଦୁର୍ବଳ ହେଲା ଭୀଷଣ ବାତ୍ୟା ମୋନ୍ଥା । ବର୍ତ୍ତମାନ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଭିତରେ ଗତି କରୁଛି । ଘଣ୍ଟାକୁ ୧୦ କିମି ବେଗରେ ଗତି କରୁଛି ବାତ୍ୟା ‘ମୋନ୍ଥା’ । ସକାଳ ୧୧ଟା ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବ । ତେବେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ରାତି ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିଥିଲା ମୋନ୍ଥା । ଆନ୍ଧ୍ରପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ୍ ମଧ୍ୟରେ କାକିନାଡ଼ାର ଦକ୍ଷିଣରେ ନରସାପୁର ନିକଟ ଦେଇ ଅତିକ୍ରମ କରିଥିଲା ବାତ୍ୟା ମୋନ୍ଥା । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୯୦ରୁ ୧୧୦ କିମି ରହିଥିଲା । କିଛି ସ୍ଥାନରେ ସମୁଦ୍ର ଜୁଆର ୨ଶହରୁ ୫ଶହ ମିଟର ଭିତରକୁ ମାଡ଼ି ଆସିଥିଲା । ନରସାପୁରରେ ଲ୍ୟାଣ୍ଡଫଲ ହୋଇଥିବାରୁ ସେଠାରେ ଅଧିକ କ୍ଷୟକ୍ଷିତ ଦେଖିବାକୁ ମିଳିଛି ।
ଚିଲକଲାପୁଡି ଓ କୋନା ଗାଁରେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି । ବହୁ ସଂଖ୍ୟାରେ ଗଛ ଉପୁଡିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ମାଲକାପୁରମ ଓ ଗାଜୁବାକରେ ମଧ୍ୟ ବାତ୍ୟାର ଧ୍ୱଂସ ଲୀଳା ଦେଖିବାକୁ ମିଳିଛି । ଶହଶହ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଛି । କୋନସୀମା ଜିଲ୍ଲାରେ ୨ ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ଏହି ଜିଲ୍ଲାର ମକନାଗୁଡେମରେ ଗଛ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ସୂଚନା ରହିଛି । କାକିନାଡାର ପୋଡାମପେଟାଠାରେ ମଧ୍ୟ ଅନେକ ଘର ଭାଙ୍ଗିଥିବା ଜଣାପଡିଛି । ବିଜୟୱାଡା-ବିଶାଖପାଟଣା ରାସ୍ତାର ୮ଟି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇ ରହିଛି । କାକିନାଡା ବନ୍ଦରର ମଧ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ ସରକାର ୭ଟି ଜିଲ୍ଲାରେ ରାତ୍ରୀକାଳୀନ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଥିଲା । ଆଜି ସକାଳ ୬ଟା ଯାଏ କ୍ରିଷ୍ଣା, ଏଲୁର, ଇଷ୍ଟ ଗୋଦାବରୀ, ୱେଷ୍ଟ ଗୋଦାବରୀ, କାକିନାଡା, କୋନାସୀମା ଏବଂ ଆଲୁରୁ ସୀତାରାମ ରାଜୁ ଜିଲ୍ଲାର କିଛି ଅଂଚଳରେ ଜାରି ହୋଇଥିଲା କଟକଣା ।

