Thursday, September 19, 2024
25.2 C
Odisha

    ଧନାଶକ୍ତ ନୁହେଁ ଧର୍ମାଶକ୍ତ

    ଆଗକୁ ପଢନ୍ତୁ

     

    ରାମାୟଣର କଥାବସ୍ତୁ । ଭକ୍ତ ହନୁମାନ ଓ ଅନ୍ୟମାନଙ୍କ ସହାୟତା ନେଇ ପରମ ପୁରୁଷ ରାମ ସତୀ ମାତା ସୀତାଙ୍କୁ ରାବଣ ବଧନାନ୍ତେ ଉଦ୍ଧାର କଲେ । ତତ୍ପରେ ସମସ୍ତଙ୍କ ସହିତ ଏକ ଦିବ୍ୟ ଅନ୍ନଯଜ୍ଞ (ସମୂହ ଭୋଜି) ର ଆୟୋଜନ କଲେ । ଉକ୍ତ ଭୋଜି କାର୍ଯ୍ୟ ସମ୍ପନ୍ନ ହେବାପରେ ଭଗବାନ ଶ୍ରୀରାମ ଅତି ଆପଣାର ଲୋକ ବା ଅତିଥିମାନଙ୍କୁ ଦାନାନ୍ତେ ଦକ୍ଷିଣାପରି କିଛି ଦ୍ରବ୍ୟ ଦେବାର ବ୍ୟବସ୍ଥା କରିଥାନ୍ତି ।

    ଅତିପ୍ରିୟ ଭକ୍ତ ହନୁମାନଙ୍କୁ ଏକ ବହୁମୂଲ୍ୟ ନବରତ୍ନ ଖଚିତ ମାଳ ଶ୍ରୀରାମ ସ୍ଵହସ୍ତରେ ପ୍ରଦାନ କଲେ । ତା’ପରେ ଏକ ଆଶ୍ଚର୍ଯ୍ୟ ଧରଣର ଘଟଣା ଘଟିଲା । ଶ୍ରୀ ହନୁମାନ ଏହି ମାଳକୁ ଧରି ଏକ ବୃକ୍ଷ ଉପରକୁ ଚଢିଗଲେ । କିଛିକ୍ଷଣ ନିରୀକ୍ଷଣ କରି ମାଳଟିକୁ ଛିଣ୍ଡାଇ ଟିକିଟିକି କରି ତଳକୁ ପକାଇ ଦେଲେ । ଏ ଦୃଶ୍ୟ ଦେଖି କିଏ କେତେ ପ୍ରକାର ମତ ଦେଲେ । କିଏ କହିଲା “ମାଙ୍କଡ ହାତରେ ବା ଗଳାରେ ରତ୍ନମାଳା ଶୋଭା ପାଇବ କୁଆଡୁ ।” କିଏ କହିଲା,”ମାଙ୍କଡ ହାତରେ ଶାଳଗ୍ରାମ,ନଚାଇ ନଚାଇ ନିଏ ପ୍ରାଣ ।” କିନ୍ତୁ ଭଗବାନ ଶ୍ରୀରାମଚନ୍ଦ୍ର ଏବେବି ନିରବ ଥାଆନ୍ତି । ସେ ସବୁ କାରଣର କାରଣ । ସବୁ ବିସ୍ମୟର ବିସ୍ମୟ । ହେଲେ ବି ନିଜେ ହନୁମାନଙ୍କୁ ପାଖକୁ ଡାକି ସର୍ବସମ୍ମୁଖରେ ଏହାର କାରଣ ପଚାରିଲେ । ହନୁମାନ କହିଲେ,“ପ୍ରଭୁ ଭକ୍ତ ନିକଟରେ ଭଗବାନଙ୍କ ନାମ,ମୂର୍ତ୍ତି,ଗୁଣ କୀର୍ତ୍ତନ ଓ ସାନ୍ନିଧ୍ୟ ହିଁ ସବୁଠାରୁ ବଳି ଶ୍ରେୟ,ଧେୟ ଓ ସଂଗ୍ରହଣୀୟ । ଯେଉଁ ମାଳରେ ପ୍ରଭୁ ଶ୍ରୀରାମଙ୍କ ନାମ,ମୂର୍ତ୍ତି ବା ଚର୍ଚ୍ଚା ନାହିଁ,ସେପରି ମାଳ କୁ ବହୁମୂଲ୍ୟ କହି ସାଇତି ରଖିବାର ତାତ୍ପର୍ଯ୍ୟ କ’ଣ? ଏହି ମାଳା ପ୍ରଭୁ ଶ୍ରୀରାମଙ୍କ ସ୍ଵହସ୍ତ ପ୍ରଦତ୍ତ ହେଲେବି ଏଥିରେ ପ୍ରଭୁଙ୍କର କିଛି ଚିହ୍ନବର୍ଣ୍ଣ ନାହିଁ । ତାକୁ ସାଇତି ରଖିବାକୁ ମୋତେ ମଧ୍ୟ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡିବ । ଅନ୍ତତଃ ସେହି ସମୟତକ ମୁଁ ମୋର ପ୍ରଭୁଙ୍କର ନାମ,ଗୁଣ,କୀର୍ତ୍ତନ କରିବାରେ ବିନିଯୋଗ କରି ପ୍ରଭୁଙ୍କ ଦୁଃପ୍ରାପ୍ୟ ସାନିଧ୍ୟ କୃପାଲାଭ କରିପାରିବି ।“

    ଧନୀକ ଶ୍ରେଣୀୟ ଲୋକମାନେ ଧନପ୍ରାପ୍ତି ଓ ତାକୁ ସୁରକ୍ଷା,ସଂରକ୍ଷଣ ନିମନ୍ତେ ଏମିତି ବ୍ୟସ୍ତ ଯେ, ତାଙ୍କୁ ସୁନିଦ୍ରା ଓ ମାନସିକ ପବିତ୍ରତା ମିଳିବା କଷ୍ଟହୁଏ । ହା’ ଧନ-ହା’ ଧନ ହୋଇ ସେମାନେ ପ୍ରଭୁଙ୍କ ଚିନ୍ତନ,ମନନ,ସ୍ମରଣର ସୁଯୋଗ ପାଇନପାରି ଦୁର୍ଲଭ ମାନବ ଜୀବନର ପ୍ରକୃତ ମୂଲ୍ୟ ବୁଝିପାରନ୍ତି ନାହିଁ । ମନୁଷ୍ୟ ଜୀବନର ପ୍ରକୃତ ଶାନ୍ତିଲାଭ କରିନପାରି ସେମାନେ,ମହୁମାଛି ମହୁ ସଂଗ୍ରହ କରି ନିଜେ ଭୋଗ କରି ନପାରିଲା ଭଳି ମୃତ୍ୟୁପରେ ପରପାଇଁ ଦାନୀ ସାଜନ୍ତି । ଈଶ୍ଵରଙ୍କ ସାନ୍ନିଧ୍ୟ ଲାଭଠାରୁ ବିଶେଷ ସୁଖଶାନ୍ତି, ଧନ ପରି ନଶ୍ଵର ଓ କ୍ଷଣସ୍ଥାୟୀ ସମ୍ପତ୍ତିରେ ପାଇ ହୁଏନାହିଁ । ଏଣୁ ଧନାଶକ୍ତ ନହୋଇ ଧର୍ମାଶକ୍ତ ବା ବିଭୁ ଆସକ୍ତ ହେଲେ ଜୀବନ ସାର୍ଥକ ହୁଏ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ