Sunday, October 18, 2026
23.2 C
Odisha

    ସାମୂହିକ ହିତ

    ଆଗକୁ ପଢନ୍ତୁ

    ରାମକୃଷ୍ଣ ପରମହଂସ ମହାନ ମାତୃ ଉପାସକ । ତାଙ୍କର ଅଲୌକିକ ଐକାନ୍ତିକ ସମର୍ପିତ ଭକ୍ତି ବଳରେ ସେ କାଳୀ ମାତାଙ୍କ ଦର୍ଶନ ଲାଭ କରିପାରୁଥିଲେ । ତାଙ୍କ ସହିତ କଥାବାର୍ତ୍ତା ବି କରୁଥିଲେ । ତାଙ୍କ ଆଶ୍ରମକୁ ଏକଦା ଜଣେ ମହାନ ସାଧକ ସାକ୍ଷାତ ପାଇଁ ଆସିଲେ । ସେହି ସାଧକ ରାମକୃଷ୍ଣ ପରମହଂସଙ୍କୁ ପ୍ରଶ୍ନ କଲେ – “ହେ ଦେବୀ ସାଧକ! ଆପଣ ଦେବୀଙ୍କର ନିଷ୍ଠାବାନ ଉପାସକ । ମୋତେ କୁହନ୍ତୁ,ଦେବୀ ପୂଜକ ହୋଇ ଆପଣ କି କି ଅଲୌକିକ ଶକ୍ତି ହାସଲ କରିଛନ୍ତି, ଯାହାକି ଜନମାନସକୁ ଆଶ୍ଚର୍ଯ୍ୟଚକିତ କରିଦେଇପାରେ ।”

    ରାମକୃଷ୍ଣ ଉତ୍ତରରେ କହିଲେ,“ନାଇଁ ମହାଶୟ । ସେପରି କୌଣସି ଅଲୌକିକ ଶକ୍ତି ମୁଁ ହାସଲ କରିନାହିଁ । ଖାଲି ଯାହା ପୁଅ ପରି ମା’ଙ୍କର ଉପାସନା କରିଆସିଛି । ସମସ୍ତଙ୍କ ମଙ୍ଗଳ ନିମନ୍ତେ ମାତାଙ୍କ ଠାରୁ ଆଶିଷ ଭିକ୍ଷା କରୁଛି । କିନ୍ତୁ ଆପଣ କିଛି ବିସ୍ମୟଜନକ ସାଧନାରେ ସିଦ୍ଧିଲାଭ କରିଥିବେ ନିଶ୍ଚୟ । ତେବେ ପ୍ରକାଶ କରନ୍ତୁ ।“ ସଙ୍ଗେ ସଙ୍ଗେ ଆଗନ୍ତୁକ ସାଧକ ନିଜକୁ ଗର୍ବିତ ମନେକରି କହିଲେ,“ମହାଶୟ ! ମୁଁ ଦୀର୍ଘ ୧୪ ବର୍ଷ କାଳ ତପ ଆଚରଣ କରି ଏପରି ଏକ ଅଦ୍ଭୁତ ବିଦ୍ୟା ହାସଲ କରିଛି ଯେ, ମୁଁ ପାଣି ଉପରେ ଚାଲିପାରିବି । ଯେତେ ଗଭୀର ପାଣି ହୋଇଥାଉ ପଛେ ମୁଁ ବୁଡ଼ି ନଯାଇ ଜଳ ଉପରେ ଅକ୍ଲେଶରେ ଚାଲିପାରିବି ।” ରାମକୃଷ୍ଣ ପରମହଂସ ସ୍ମିତ ହାସ୍ୟ ଖେଳେଇ କହିଲେ,“ହେ ସାଧକ ଆପଣଙ୍କ ସେହି ସିଦ୍ଧି ଜନସମାଜର ସାମୂହିକ ହିତରେ ଲାଗିପାରିବ କି? ଯେଉଁ ସାଧନା ବଳରେ ଅନ୍ୟର ହିତ ସାଧନ ହୋଇପାରେନା ତାକୁ ନେଇ ଏତେ ଅହଙ୍କାର କାହିଁକି?”

    ଆଗନ୍ତୁକ ସାଧକ ତଳକୁ ମୁହଁ ପୋତି ସବୁ ଶୁଣୁଥାନ୍ତି । ରାମକୃଷ୍ଣ ପରମହଂସ କହିଲେ,”ଦେଖନ୍ତୁ,ଗୃହତ୍ୟାଗୀ ସନ୍ନ୍ୟାସୀ,ତପସ୍ଵୀ ବାୟାବାବା ବାରବର୍ଷ ନୀରବତା ବ୍ରତ ଅବଲମ୍ବନ ପୂର୍ବକ ତପ ଆଚରଣ କରିଥିଲେ । ଫଳସ୍ଵରୂପ ସେ ଅନ୍ନପୂର୍ଣ୍ଣା ସାଧନାରେ ସିଦ୍ଧିଲାଭ କଲେ । କୌଣସି ଅନ୍ନଯଜ୍ଞ ବା ପ୍ରସାଦସେବନ ସ୍ଥାନରେ ସୀମିତ ରୋଷେଇ ହୋଇଥିଲେ ମଧ୍ୟ ଅନେକ ଭକ୍ତ ଖାଇସାରି ବି ଆହୁରି ବଳିଥାଏ । ହଣ୍ଡାରେ ମୁଠିଏ ମାତ୍ର ଅନ୍ନ ଥାଇ ଯଦି ସେ ଅନ୍ନପୂର୍ଣ୍ଣା ବିଦ୍ୟା ବଳରେ ହଣ୍ଡାରେ ମନ୍ତ୍ରପାଣି ସିଞ୍ଚନ କରିଦିଅନ୍ତି,ତେବେ ଯେତେ ବ୍ୟକ୍ତି ପ୍ରସାଦ ସେବନ କଲେବି ଖାଦ୍ୟ ସରେନି । ଏହା ଏକ ସାମୂହିକ ହିତ । ପ୍ରସାଦପ୍ରେମୀ ଭକ୍ତ,ଦରିଦ୍ର ନାରାୟଣଙ୍କ ସେବାରେ ନିୟୋଜିତ ହୋଇପାରିଲା ଭଳି ଅଲୌକିକ ଶକ୍ତି ତୁମ ଶକ୍ତିଠାରୁ ଢେର ଗୁଣ ମହାନ । ଢେର ସେବା ମନୋଭାବର । ତେଣୁ ଯଦି କିଛି ଅଲୌକିକ ଶକ୍ତି ହାସଲ କରି ଜନସମାଜର ହିତାର୍ଥେ ଲଗେଇ ପାରିଲ,ତେବେ ସେ ସାଧନା ଯଥାର୍ଥ । ଏପରି ସାମୂହିକ ହିତରେ ସକଳଆତ୍ମା ଉପକୃତ ହୋଇପାରିବା ସହିତ ପରମାତ୍ମା ଖୁସି ହୁଅନ୍ତି ଓ ଆଶିଷ ଦାନ କରନ୍ତି । ଏହା ଶୁଣି ଆଗନ୍ତୁକ ସାଧକ ପରମହଂସଙ୍କ କହିବାର ଅର୍ଥ ବୁଝି ନିଜ ଗର୍ବ ଓ ଅହଂକାର ପାଇଁ ଲଜ୍ଜିତ ହେଲେ । ନିଜ ଜୀବନର ଅବଶିଷ୍ଟ ସମୟକୁ ଜନହିତ,ଜନସେବାରେ ନିୟୋଜିତ କରିବା ପାଇଁ ପରମହଂସଙ୍କ ନିକଟରେ ଶପଥ କଲେ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ