ଖରାଦିନ ହେଉ କି ପୂଜାପାର୍ବଣ, ନଡ଼ିଆର ଚାହିଦା ସବୁବେଳେ ରହିଛି। ଆମେ ସମସ୍ତେ ନଡ଼ିଆ ଦେଖିଛେ, ଖାଇଛେ, ଏହାର ପାଣି ମଧ୍ୟ ପିଇଛେ। କିନ୍ତୁ କେବେ ଭାବିଛନ୍ତି କି, ନଡ଼ିଆ ଉପରେ ତିନୋଟି ଆଖି ଭଳି ଚିହ୍ନ କାହିଁକି ରହିଥାଏ? ଆଉ ସେହି ତିନୋଟି ଆଖି ମଧ୍ୟରୁ ଗୋଟିଏ କାହିଁକି ଏତେ ନରମ ଯେ ସହଜରେ କଣା କରିହୁଏ? କେବଳ ସେତିକି ନୁହେଁ, ନଡ଼ିଆ ଭିତରେ ଭରପୂର ପାଣି କେଉଁଠୁ ଆସେ? କ’ଣ ଏହି ଆଖି ବାଟ ଦେଇ ପାଣି ଭିତରକୁ ପ୍ରବେଶ କରେ? ନା ଏହା ପଛରେ ରହିଛି ଆଉ କିଛି ବୈଜ୍ଞାନିକ କାରଣ? ଆସନ୍ତୁ ଜାଣିବା ନଡ଼ିଆର ତିନି ଆଖି ପଛର ରୋଚକ ରହସ୍ୟ।
ହଁ ଆଜ୍ଞା ଯାହାକୁ ଆମେ ସାଧାରଣ ଫଳ ବୋଲି ଭାବୁଛେ, ତାହା ଭିତରେ ଲୁଚି ରହିଛି ପ୍ରକୃତିର ଏକ ଅଦ୍ଭୁତ ବୈଜ୍ଞାନିକ କାହାଣୀ। ଆସନ୍ତୁ ଖୋଲିବା ନଡ଼ିଆର ତିନି ଆଖିର ରହସ୍ୟ। ଦେଖିବାକୁ ତିନୋଟି ଆଖି ଭଳି… ହେଲେ ଏଗୁଡ଼ିକ ପ୍ରକୃତ ଆଖି ନୁହେଁ। ନଡ଼ିଆର ଏହି ତିନୋଟି ଚିହ୍ନ ପଛରେ ରହିଛି ଏହାର ଜନ୍ମ ଓ ବିକାଶର କାହାଣୀ। ଉଦ୍ଭିଦ ବିଜ୍ଞାନ ଅନୁସାରେ ନଡ଼ିଆ ଫୁଲରେ ତିନୋଟି ଅଣ୍ଡାଣୁ ବା ଓଭ୍ୟୁଲ୍ ରହିଥାଏ। ଫଳ ବିକାଶ ସମୟରେ ସାଧାରଣତଃ ସେଥିମଧ୍ୟରୁ କେବଳ ଗୋଟିଏ ସମ୍ପୂର୍ଣ୍ଣ ବିକଶିତ ହୋଇ ମଞ୍ଜିର ଭ୍ରୂଣ ଗଠନ କରେ। ଅନ୍ୟ ଦୁଇଟିର ବିକାଶ ଆରମ୍ଭରୁ ହିଁ ଅଟକିଯାଏ। ଆଉ ଏହି ତିନୋଟି ସ୍ଥାନର ବାହ୍ୟ ଚିହ୍ନ ହିଁ ଆମକୁ ଦେଖାଯାଏ ନଡ଼ିଆର ତିନି ଆଖି ଭାବେ।
କିନ୍ତୁ ଅସଲ ରହସ୍ୟ ତ ଏବେ ଆରମ୍ଭ! ତିନୋଟି ଆଖି ଦେଖିବାକୁ ପ୍ରାୟ ସମାନ। ହେଲେ ଗୋଟିଏ ଆଖି ଏତେ ନରମ କାହିଁକି? କାହିଁକି ସେହି ସ୍ଥାନରେ ସହଜରେ କଣା କରିହୁଏ? ଏହାର କାରଣ ହେଉଛି ନଡ଼ିଆର ଭବିଷ୍ୟତ! ଯେଉଁ ଆଖି ତଳେ ଭ୍ରୂଣ ବା ଏମ୍ବ୍ରିଓ ରହିଥାଏ, ସେହି ସ୍ଥାନରେ ଖୋଳ ଅପେକ୍ଷାକୃତ ପତଳା ଓ କୋମଳ ହୋଇଥାଏ। କାରଣ ସେହି ଭ୍ରୂଣରୁ ହିଁ ଦିନେ ଜନ୍ମ ନେବ ଏକ ନୂଆ ନଡ଼ିଆ ଗଛ। ଅନ୍ୟ ଦୁଇଟି ଆଖି ତଳେ ଭ୍ରୂଣ ନଥିବାରୁ ସେହି ସ୍ଥାନର ଖୋଳ ଅଧିକ କଠିନ ରହିଥାଏ। ଅର୍ଥାତ୍ ନଡ଼ିଆର ଗୋଟିଏ ଆଖି କେବଳ ନରମ ନୁହେଁ, ଏହା ଏକ ନୂଆ ଜୀବନର ଆରମ୍ଭ ସ୍ଥାନ ।
ଏବେ ଆସନ୍ତୁ ଜାଣିବା ନଡ଼ିଆର ସବୁଠାରୁ ରୋଚକ ରହସ୍ୟ । ନଡ଼ିଆ ଭିତରେ ଥିବା ପାଣି କ’ଣ ଏହି ତିନୋଟି ଆଖି ବାଟ ଦେଇ ଭିତରକୁ ଯାଇଥାଏ? ନା! ଏହା ହେଉଛି ଅନେକଙ୍କ ମନରେ ଥିବା ଏକ ଭୁଲ ଧାରଣା। ବାସ୍ତବରେ ନଡ଼ିଆ ଭିତରେ ପାଣି ଭରିବା ପ୍ରକ୍ରିୟା ଗଛ ଭିତରେ ହିଁ ହୋଇଥାଏ। ନଡ଼ିଆ ଗଛର ଚେର ମାଟିରୁ ଜଳ ଓ ଖଣିଜ ପଦାର୍ଥ ଶୋଷଣ କରେ। ପରେ ଗଛର ସଂବହନୀ ତନ୍ତ୍ର ଦେଇ ଏହା ଫଳରେ ପହଞ୍ଚେ। ଏହି ତରଳ ପଦାର୍ଥ ନଡ଼ିଆ ଭିତରେ ସଞ୍ଚିତ ହୋଇ ରହିଥାଏ। ବିଜ୍ଞାନ ଭାଷାରେ ଏହାକୁ ଲିକ୍ୱିଡ୍ ଏଣ୍ଡୋସ୍ପର୍ମ କୁହାଯାଏ। ଆଉ ନଡ଼ିଆ ପାଚିବା ସହିତ ଏହି ପାଣିର କିଛି ଅଂଶ ଧୀରେ ଧୀରେ ଶସରେ ପରିଣତ ହୁଏ।
ଭାବନ୍ତୁ ତ… ଗୋଟିଏ ଛୋଟ ଫଳ ଭିତରେ କେତେ ବଡ଼ ବିଜ୍ଞାନ ଲୁଚି ରହିଛି । ତିନୋଟି ଚିହ୍ନ, ଗୋଟିଏ ଜୀବନ୍ତ ଭ୍ରୂଣ, ଗୋଟିଏ ନରମ ଆଖି ଆଉ ଭିତରେ ଭରପୂର ପାଣି। ସବୁକିଛି ପ୍ରକୃତିର ଏକ ସୁନ୍ଦର ଜୈବିକ ବ୍ୟବସ୍ଥାର ଅଂଶ। ଯାହାକୁ ଆମେ ପ୍ରତିଦିନ ଦେଖୁଛେ, ତାହାରି ଭିତରେ ଲୁଚି ରହିଛି ଏତେ ବଡ଼ ରହସ୍ୟ । ତେବେ ପରବର୍ତ୍ତୀ ଥର ଯେତେବେଳେ ଆପଣ ନଡ଼ିଆ ହାତକୁ ନେବେ, ଏହାର ତିନୋଟି ଆଖିକୁ ଦେଖି ନିଶ୍ଚିତ ମନେ ପଡ଼ିବ ଏହି ବୈଜ୍ଞାନିକ ରହସ୍ୟ। କାରଣ ପ୍ରକୃତିର ପ୍ରତ୍ୟେକ ସୃଷ୍ଟି ପଛରେ ରହିଛି ଏକ ନିଆରା କାହାଣୀ। ଆଉ ନଡ଼ିଆର ଏହି ତିନି ଆଖି ତାହାର ଏକ ଜୀବନ୍ତ ଉଦାହରଣ।
