ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୩ ବର୍ଷ । ହେଲେ ଏବେ ବି ଅସମାପ୍ତ ରହସ୍ୟ । କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନି। ପରିବାର ଲୋକ CBI ତଦନ୍ତ ଦାବି କରିଛନ୍ତି । ୨୯ ଜାନୁଆରୀ ୨୦୨୩ରେ, ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ସାଧାରଣ ସଭାରେ ଯୋଗଦେବାକୁ ବ୍ରଜରାଜନଗର ଯାଇଥିଲେ । ବ୍ରଜରାଜନଗରର ଗାନ୍ଧୀଛକ ଠାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିବାକୁ ଯିବା ପୂର୍ବରୁ ଝାରସୁଗୁଡ଼ା ସରବାହାଲ କିଷାନପଡ଼ା ଠାରେ ଏକ ସଭାରେ ଯୋଗ ଦେଇଥିଲେ । ଝାରସୁଗୁଡାରେ କାର୍ଯ୍ୟକ୍ରମ ସାରି ପ୍ରାୟ ଦିନ ୧୨ଟାରେ ବ୍ରଜରାଜନଗରରେ ପହଞ୍ଚିଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ । ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ପୋଲିସ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲା । ତୁରନ୍ତ ମନ୍ତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ଵର ଏୟାର ଲିଫ୍ଟ କରାଯାଇଥିଲା ନବ ଦାସଙ୍କୁ । ଘରୋଇ ହସ୍ପିଟାଲରେ କରାଯାଇଥିଲା ଅସ୍ତ୍ରୋପଚାର । ତଥାପି ଜୀବନ ବଞ୍ଚାଇ ପାରି ନଥିଲେ ଡାକ୍ତର । ସନ୍ଧ୍ୟା ପ୍ରାୟ ୭.୩୫ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କ୍ରାଇମବ୍ରାଞ୍ଚ ନିଜ ରିପୋର୍ଟରେ ଦର୍ଶାଇଥିଲା ଯେ ଗୋପାଳଙ୍କର ମନ୍ତ୍ରୀଙ୍କ ପ୍ରତି ଏକ ବ୍ୟକ୍ତିଗତ ଘୃଣା ବା ‘ପର୍ସନାଲ ଗ୍ରଜ୍’ ଥିଲା, ଯେଉଁଥିପାଇଁ ସେ ଏକୁଟିଆ ଏହି ହତ୍ୟାକାଣ୍ଡ ଘଟାଇଥିଲା ।

