ମହାରାଷ୍ଟ୍ର : ଛିଅ ଡାକ୍ତରୀ ପାଠ ପଢ଼ିବ ଏବଂ ବଡ଼ ହେଲେ ଡାକ୍ତର ହେବ ବୋଲି ବାପା ଆଶ ରଖିଥିଲେ । ଏଥିପାଇଁ ଝିଅକୁ ପ୍ରସ୍ତୁତ ବି କରୁଥିଲେ । କିନ୍ତୁ ରାଗ ହେଲା ବ୍ରହ୍ମ ଚଣ୍ଡାଳ । ଝିଅ ନିଟ୍ ମକ୍ ଟେଷ୍ଟରେ କମ୍ ମାର୍କ ରଖିବାରୁ ବାପା ରାଗରେ ଝିଅକୁ ବହୁତ ପିଟିଥିଲେ । ଝିଅକୁ ଏତେମାତ୍ରାରେ ପିଟିଲେ ଯେ ଝିଅର ପ୍ରାଣବାୟୁ ଉଡ଼ିଗଲା । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ କଥାଟି ସତ ।
ମହାରାଷ୍ଟ୍ରର ସାଙ୍ଗଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସାଧନା ଭୋଂସଲେ ଦଶମ ପରୀକ୍ଷାରେ ୯୨.୬୦ ପ୍ରତିଶତ ମାର୍କ ରଖିଥିଲେ । ବର୍ଷକ ପରେ ସେ ତାଙ୍କ ବାପାଙ୍କ ମାଡ଼ରେ ମୃତ୍ୟୁବରଣ କରିଛନ୍ତି । ସାଧନା ନିଟ୍ ମକ୍ ଟେଷ୍ଟରେ କମ୍ ମାର୍କ ରଖିବାରୁ ବାପା ଧୋନ୍ଦିରାମ ଭୋଂସଲା, ଯିଏ କି ଜଣେ ସ୍କୁଲ୍ ପ୍ରିନ୍ସିପାଲ୍ ତାଙ୍କୁ ବାଡିରେ ପିଟିଥିଲେ । ଫଳରେ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ୧୭ ବର୍ଷୀୟା ଝିଅ ଅତି ଗୁରୁତର ଆହତ ହୋଇଥିଲେ । ଏଥି ସହ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଚିକିତ୍ସା ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ସାଧନାଙ୍କ ବାପା ତାଙ୍କୁ ମାରି ଦେଇଥିବା ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଛି । ସାଧନାଙ୍କ ମା’ ଏନେଇ ଥାନାରେ ଏତଲା ରୁଜୁ କରିଥିଲେ । ବର୍ତ୍ତମାନ ଉକ୍ତ ମାମଲାରେ ତଦନ୍ତ ଚାଲିଛି ।