ସୋରୋ: ଦୁଇ ମାସ ହେଲାଣି ନିଦ ହଜେଇ ଦେଲେଣି ଚୋର ମାନେ । ସନ୍ଧ୍ୟା ହେବା ବେଳକୁ ଗାଁ ଲୋକଙ୍କୁ ଘାରୁଛି କୋକୁଆ ଭୟ । ସନ୍ଧ୍ୟା ହେବା କ୍ଷଣି ଗାଁରେ ତାଟି କବାଟ ପଡି ଯାଉଛି । ଆଜ୍ଞା ହଁ ଗାଁ ଲୋକଙ୍କୁ ଘାରିଛି ଚୋରଙ୍କ ଭୟ । ରାଜ୍ୟରେ ଦିନକୁ ଦିନ ଲୁଟେରାମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ପୋଲିସକୁ ଚକମା ଦେଇ ଆଖି ପିଛୁଳାକେ ଲୁଟ କରୁଛନ୍ତି । ଦିନରେ ନଜର ରଖୁଛନ୍ତି ରାତି ହେଲେ ଲୁଟ କରୁଛନ୍ତି । ଟିକିଏ ସୁଯୋଗ ମିଳିଲେ ସର୍ବସ୍ୱାନ୍ତ କରିଦେଉଛନ୍ତି । ଠିକ ସେହିପରି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅବଜୁଣା ପଞ୍ଚାୟତ ସୋମନାଥପୁର ଗାଁରେ ଲୋକମାନଙ୍କ ନିଦ ହଜେଇ ଦେଲେଣି ଲୁଟେରା ।
ସନ୍ଧ୍ୟା ହେବା ବେଳକୁ ଗାଁ ଭିତରେ ପଶୁଛନ୍ତି କାହା ହାତ ଗୋଡ଼ ବାନ୍ଧି ଲୁଟ କରୁଛନ୍ତି ତ କାହାକୁ ନିର୍ଧୁମ ପିଟି ଲୁଟୁଛନ୍ତି । ଏମାନଙ୍କର ପୋଲିସ ପ୍ରତି ଟିକିଏ ଭୟ ନାହିଁ । ଲୋକେ ଆତଙ୍କିତ ହୋଇ ରାତି ରାତି ଉଜାଗର ରହୁଛନ୍ତି ତ ଆଉ କିଏ ଏକୁଟିଆ ଘର ଡରରେ ଆଉ କାହା ଘରେ ଯାଇ ଆଶ୍ରୟ ନେଉଛନ୍ତି ।ବାରମ୍ବାର ଗଣମାଧ୍ୟମରେ ଲୁଟ ଘଟଣା ସମ୍ପର୍କରେ ପ୍ରଚାର ପ୍ରସାର ହେଲା ପରେବି ସିମୁଳିଆ ପୋଲିସ ବାବୁ ଚେଇଁ ଶୋଇଲା ଭଳି ରହୁଛନ୍ତି । ଲୋକେ କହିବେ କାହାକୁ ?
ଗତକାଲି ଗ୍ରାମବାସୀ ଏକ ଚୋରକୁ କାବୁ କରି ନିର୍ଧୁମ ପିଟିବା ସହିତ ତା ସାଇକେଲକୁ ଜାଳି ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଥାନାକୁ ଆଣି ପଚରାଉଚରା କରୁଛି । ତେବେ ଗ୍ରାମବାସୀ କେବେ ଏ ଦୁଃଖରୁ ବର୍ତ୍ତିବେ ତାହା ଦେଖି ବାକୁ ବାକି ରହିଲା ।