Friday, April 3, 2026
29.7 C
Odisha

    ପଙ୍ଗୁ ହୋଇଯିବ ଓୟୁଏଟି! ୩ ମାସରେ ଅବସର ନେବେ ୨୦ ପ୍ରଫେସର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟର ପ୍ରଥମ ତଥା ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ପଙ୍ଗୁ କରିବାକୁ ଷଡ୍‌ଯନ୍ତ୍ର ଚାଲିଛି। ଗୋଟିଏ ପରେ ଗୋଟିଏ ସ୍ଥାନରୁ ରାଜ୍ୟ ସରକାର ଏହି ବିଶ୍ୱବିଦ୍ୟାଳୟର ଜମି ନେଇ ଅନ୍ୟ ସଂସ୍ଥାକୁ ଦେଉଥିବା ବେଳେ ଏବେ ପ୍ରଫେସର ତଥା ବୈଜ୍ଞାନିକ ସଙ୍କଟ ଆଉ ଏକ ସମସ୍ୟା ଭାବେ ଉଭା ହୋଇଛି। ଏବେ କୃଷି, ପ୍ରାଣୀ ଚିକିତ୍ସା ଓ କୃଷି ଯାନ୍ତ୍ରିକ ମହାବିଦ୍ୟାଳୟରେ ୪୦ଟି ପ୍ରଫେସର ପଦବି ମଧ୍ୟରୁ ୬ଟି ଖାଲିପଡ଼ିଛି। ୨୦୨୬ ସୁଦ୍ଧା ୧୮ଟି କୃଷି, ୧୨ଟି ପ୍ରାଣୀ ଚିକିତ୍ସା ଓ ୪ଟି କୃଷି ଯାନ୍ତ୍ରିକ ସମେତ ୩୪ଟି ପ୍ରଫେସର ପଦବି ଖାଲି ହେବ। ଚିନ୍ତାର କାରଣ ହେଉଛି ଯେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ତଥା‌ ଆସନ୍ତା ଏପ୍ରିଲରୁ ଜୁନ୍‌ ମଧ୍ୟରେ ୨୦ଜଣ ଡିନ୍, ନିର୍ଦ୍ଦେଶକ, ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ପ୍ରଫେସର ଅବସର ଗ୍ରହଣ କରିବେ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ଜ୍ଞାନକୌଶଳ, ଯନ୍ତ୍ରପାତି ଏବଂ ଅଧିକ ଅମଳକ୍ଷମ ବିହନ, ପ୍ରାଣୀ ତଥା କୁକୁଡ଼ା, ବତକ ଓ ମତ୍ସ୍ୟ ପ୍ରଜାତି ଆଦି ଯୋଗାଇଦେବା କ୍ଷେତ୍ରରେ ଯେଉଁ ପ୍ରଫେସର ତଥା ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ରହିଛି ସେମାନଙ୍କ ଅବସର ପରେ ବିଶ୍ୱବିଦ୍ୟାଳୟ କେଉଁମାନଙ୍କୁ ନେଇ ଚାଲିବ ତାହାକୁ ନେଇ ପ୍ରଶ୍ନ ଉଠିଛି।
    ବିଶ୍ୱବିଦ୍ୟାଳୟ ଅଧୀନ ୩ଟି କୃଷି ମହାବିଦ୍ୟାଳୟ, ଗୋଟିଏ ଲେଖାଏଁ ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ମହାବିଦ୍ୟାଳୟ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ, ଉଦ୍ୟାନ କୃଷି ମହାବିଦ୍ୟାଳୟ, କୃଷି ଯାନ୍ତ୍ରିକ ମହାବିଦ୍ୟାଳୟ, ବନ ବିଜ୍ଞାନ ମହାବିଦ୍ୟାଳୟ ଆଦି ନିରବିଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି। ଯେଉଁ ସମୟରେ ଓଡ଼ିଶାର କୃଷିରେ ନୂଆ ସମ୍ଭାବନା ସୃଷ୍ଟି ହେବା କଥା ସେ ସମୟରେ ନୂତନ ନିଯୁକ୍ତି ହେଉ ନ ଥିବା ବେଳେ ପ୍ରଫେସରଙ୍କ ଅବସର ବୟସ ସୀମା ବୃଦ୍ଧି ନ କରିବା‌ ଏକ ବଡ଼ ସମସ୍ୟା ହୋଇ ଉଭା ‌ହୋଇଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଅବସର ବୟସ ସୀମା ବଢ଼ାଇ ଥିବାବେଳେ ଏଠାରେ କିନ୍ତୁ ତାହା ସମ୍ଭବପର ହେଉ ନାହିଁ। ଓୟୁଏଟି ଅଧିନିୟମ, ୧୯୬୫ରେ ବିଶ୍ବବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଅବସର ବୟସ ସୀମା ୬୦ବର୍ଷ ହୋଇଥିଲା, ଯାହାକି ସରକାରୀ କର୍ମଚାରୀଙ୍କ ପାଇଁ ୫୫ ବର୍ଷର ସୀମାଠାରୁ ପାଞ୍ଚ ବର୍ଷ ଅଧିକ ଥିଲା। ବର୍ଦ୍ଧିତ ଆୟୁ ଓ ଦୀର୍ଘକାଳୀନ କାର୍ଯ୍ୟକ୍ଷମ ବର୍ଷକୁ ବିଚାରକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ତତ୍କାଳୀନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ୨୦୦୮ ଓ ୨୦୧୭ରେ ବିଶ୍ବବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ୬୫ ବର୍ଷର ଅବସର ବୟସ ସୁପାରିସ କରିଥିଲେ। ମଧ୍ୟପ୍ରଦେଶ, ଗୁଜରାଟ, ଆସାମ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର, ପଶ୍ଚିମବଙ୍ଗ ସମେତ ୧୮ରୁ ଅଧିକ ରାଜ୍ୟ ୨୦୧୦ରୁ ୨୦୨୩ ମଧ୍ୟରେ ଅବସର ବୟସ ୬୦/୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି। ୨୦୨୫ ଜାନୁଆରିରେ ତେଲେଙ୍ଗାନା ରାଜ୍ୟ ମଧ୍ୟ ବିଶ୍ବବିଦ୍ୟାଳୟ ଶିକ୍ଷକମାନଙ୍କ ଅବସର ବୟସ ୬୦ରୁ ୬୫ ବର୍ଷକୁ ବଢ଼ାଇଛନ୍ତି। ସୁତରାଂ ଏହି ସବୁ ରାଜ୍ୟରେ ମଧ୍ୟ କୃଷି ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କ ଅବସର ବୟସ ୬୫ ବର୍ଷ ହୋଇଛି। ଓୟୁଏଟି ଶିକ୍ଷକମାନଙ୍କ ପାଇଁ ୬୦ ବର୍ଷର ଅବସର ବୟସକୁ ଗତ ୬୦ ବର୍ଷ ମଧ୍ୟରେ ବଢ଼ାଯାଇନାହିଁ।
    ଯେ‌ତେବେଳେ କି ରାଜ୍ୟ ସରକାର ୨୦୧୩ରେ ମେଡିକାଲ କଲେଜ ଶିକ୍ଷକମାନଙ୍କ ଅବସର ବୟସକୁ ୬୦ରୁ ୬୫ବର୍ଷକୁ ଏବଂ ୨୦୧୪ରେ ସରକାରୀ କର୍ମଚାରୀଙ୍କ ଅବସର ବୟସକୁ ୫୮ରୁ ୬୦ ବର୍ଷକୁ ବୃଦ୍ଧି କରିଛନ୍ତି। ଏବେ ବହୁ ଯୋଗ୍ୟ ଶିକ୍ଷକ ୬୫ ବର୍ଷର ସେବା ପାଇଁ ଅନ୍ୟ ରାଜ୍ୟ ଆଡ଼କୁ ମୁହାଁଉଛନ୍ତି ଏବଂ ବହୁ ସଂଖ୍ୟକ ବରିଷ୍ଠ ପ୍ରଫେସର, ଡିନ୍, ନିର୍ଦ୍ଦେଶକ ଓ ବିଭାଗୀୟ ମୁଖ୍ୟମାନେ ଆସନ୍ତା ଏପ୍ରିଲ୍ ମାସରୁ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଅଭିଜ୍ଞତାର ଅଭାବ କାରଣରୁ ବର୍ତ୍ତମାନର ଯୁବ ଶିକ୍ଷକମାନଙ୍କ ଦ୍ୱାରା ଏହି ପଦବି ପୂରଣ କରାଯାଇପାରିବ ନାହିଁ କିମ୍ବା ଅନ୍ୟ ରାଜ୍ୟର ଶିକ୍ଷକମାନେ ୬୦ ବର୍ଷରେ ଅବସର ନେବାକୁ ଆମ ରାଜ୍ୟକୁ ଆସିବେ ନାହିଁ। ଯଦି ୬୦ବର୍ଷର ଅବସର ବୟସ ଜାରି ରୁହେ ତେବେ ବର୍ତ୍ତମାନର ଶିକ୍ଷକମାନେ ଆବଶ୍ୟକୀୟ ଯୋଗ୍ୟତା ଓ ଅଭିଜ୍ଞତା ହାସଲ ନ କରିବା ପର୍ଯ୍ୟନ୍ତ ଅନେକ ପ୍ରଫେସର ପଦବି ଖାଲି ରହିବ। ଏହି ଶୂନ୍ୟ ସ୍ଥାନ ବିଶ୍ବବିଦ୍ୟାଳୟ ଶିକ୍ଷା ଓ ଗବେଷଣା ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି। ଅବସର ବୟସ ବଢ଼ାଇବାକୁ ଓୟୁଏଟି ଶିକ୍ଷକ ସଂଘ ଇତିମଧ୍ୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବଙ୍କୁ ବିଭିନ୍ନ ସମୟରେ ଦାବିପତ୍ର ଦେଇଛନ୍ତି। ଓୟୁଏଟି କୁଳସଚିବ ନଭେମ୍ବର ୧୩ରେ କୃଷି ବିଭାଗ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ରାଜ୍ୟରେ ଉଚ୍ଚଶିକ୍ଷାର ମାନ ଏବଂ କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତଥା ଅନ୍ୟ ରାଜ୍ୟଗୁଡ଼ିକ ଭଳି କୃଷି ବିଶ୍ୱବିଦ୍ୟାଳୟ ଶିକ୍ଷକଙ୍କ ଅବସର ବୟସକୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୬୫ ବର୍ଷକୁ ବୃଦ୍ଧି କରି ଉତ୍କଳ ଦିବସରେ ଲାଗୁ କରିବାକୁ ବିଶ୍ୱବିଦ୍ୟାଳୟ
    ପ୍ରଫେସରମାନେ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ