ନୂଆଦିଲ୍ଲୀ : ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ । ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି ଇରାନର ଅନ୍ୟ କେଉଁ ଦେଶ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ପେଜେଶ୍କିଆନ କହିଛନ୍ତି । ଏକ ଟିଭି ଚ୍ୟାନେଲରେ ସେ କହିଛନ୍ତି, ଇରାନର ଅସ୍ଥାୟୀ ନେତୃତ୍ୱ ପରିଷଦ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ସ୍ଥଗିତ ରଖିବା ଏବଂ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଯଦି ଏହି ଦେଶଗୁଡ଼ିକ ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ ନ କରନ୍ତି, ତେବେ ଇରାନ ସେମାନଙ୍କ ଉପରେ ଆକ୍ରମଣ କରିବ ନାହିଁ ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।
ପେଜେଶ୍କିଆନ କହିଛନ୍ତି ଯେ ପଡ଼ୋଶୀ ଦେଶଗୁଡ଼ିକ ବିରୁଦ୍ଧରେ ଆକ୍ରମଣ ବନ୍ଦ କରିବା ପାଇଁ ଇରାନ ନେତୃତ୍ୱ ପରିଷଦ ନିଷ୍ପତ୍ତିକୁ ଅନୁମୋଦନ ଦେଇଛନ୍ତି । ସୈନ୍ୟବଳକୁ ଏକ ନିର୍ଦ୍ଦେଶ ଦିଆଯାଇଛି । ଏବେ ଠାରୁ ପଡୋଶୀ ଦେଶକୁ ସେତେବେଳ ଯାଏଁ ଆକ୍ରମଣ କରାଯବିନି, ଯେପର୍ଯ୍ୟନ୍ତ ଆମ ଉପରେ ଆକ୍ରମଣ ହୋଇନି । ତେବେ ଇରାନ ଉପରେ ଆକ୍ରମଣ ହେଲେ ଏହାର ଜବାବ ଦେବାକୁ ମଧ୍ୟ ଅଧିକାର ରଖାଯାଇଛି ବୋଲି ସେ କହିଛନ୍ତି । ପଡ଼ୋଶୀଙ୍କ ଉପରେ ଆକ୍ରମଣ ବନ୍ଦ କରିଥିଲେ ବି ଇରାନ ଇସ୍ରାଏଲ୍ ଉପରେ ଆଟାକ ଜାରି ରଖିଛି ।
