Sunday, August 16, 2026
25.2 C
Odisha

    ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ, ଟିଏମସି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଅଗଷ୍ଟ ୧୬ ସକାଳ ସମୟରେ ତାଙ୍କ ଘର ନିକଟ ପାର୍ଟି ଅଫିସରେ ତାଙ୍କ ମୃତଦେହ ମିଳିଛି । ବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ମାମଲାର ଯାଞ୍ଚ ଆରମ୍ଭ କରିଛି ।

    ପୋଲିସ ଅନୁସାରେ, ରାମପୁରହାଟ ପୌରାଞ୍ଚଳର ୱାର୍ଡ ନମ୍ବର ୫ ଅନ୍ତର୍ଗତ ହତାତଲାପଡ଼ାରେ ଥିବା ତାଙ୍କ ଘର ନିକଟ ପାର୍ଟି ଅଫିସରେ ଆଶିଷ ବାନାର୍ଜୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଘଟଣା ଜଣାପଡିବା ପରେ ବହୁ ସଂଖ୍ୟାରେ ଟିଏମସି କର୍ମୀ ଓ ସ୍ଥାନୀୟ ଲୋକ ତାଙ୍କ କାର୍ଯ୍ୟାଳୟ ବାହାରେ ଏକାଠି ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ପୋଲିସ ମୃତଦେହକୁ ଜବତ କରିବା ସହ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଅନ୍ୟପଟେ ଆଶିଷ ବାନାର୍ଜୀଙ୍କ ପାର୍ଟି କାର୍ଯ୍ୟାଳୟରୁ ଏକ ଚିଠି ମିଳିଛି । ତେବେ ଏହି ଚିଠିରେ କ’ଣ ଲେଖାଯାଇଛି ତାହା ଏଯାଏଁ ଜଣାପଡିନାହିଁ ।

    ଆଶିଷ ବାନାର୍ଜୀ ପଶ୍ଚିମବଙ୍ଗ ରାଜନୀତିରେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ । ସେ ରାମପୁରହାଟ ବିଧାନସଭା ଆସନରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ସେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସ୍କୁଲ ଶିକ୍ଷା, କୃଷି ଓ ଆୟୁଷ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ଅଧୀନରେ ରହିଥିଲା । ପରେ ସେ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତି ପଦରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ରୁ ୨୦୨୧ ରାଜ୍ୟର କୃଷି ମନ୍ତ୍ରୀ ରହିଥିଲେ । ଚଳିତ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ଆଶିଷ ବାନାର୍ଜୀ ରାମପୁରହାଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ବିଜେପି ପ୍ରାର୍ଥୀ ଧ୍ରୁବ ସାହାଙ୍କ ସହ କଡ଼ା ମୁକାବିଲାରେ ସେ ପରାଜିତ ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.2 ° C
    25.2 °
    25.2 °
    93 %
    2.1kmh
    100 %
    Sun
    25 °
    Mon
    25 °
    Tue
    25 °
    Wed
    29 °
    Thu
    30 °

    ସମ୍ବନ୍ଧିତ