ବର୍ତ୍ତମାନ ସମୟରେ ଫୋନର ନିଶା ସମସ୍ତଙ୍କୁ ବାୟା କରିଛି । ବୁଢା ହେଉ ଅବା ପିଲା ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ଲୋକ ସ୍ମାର୍ଟଫୋନ୍ ଚଲାଇବା ପାଇଁ ଖାଇବା ପିଇବାକୁ ମଧ୍ୟ ପଛରେ ପକାଇ ଦେଉଛନ୍ତି । ଦିନକୁ ଦିନ ଫୋନ୍ ଚଲାଇବାର ନିଶା ସେମାନଙ୍କ ଭବିଷ୍ୟତକୁ ଅନ୍ଧାର ଦିଗ ଆଡକୁ ନେଇଯାଉଛି । ବଶେଷ କରି ଏବେ ଛୋଟ ଛୁଆ ମାନେ ଫୋନ୍ ପଛରେ ବେଶୀ ଧାଉଁଛନ୍ତି । ଯାହା ଛୋଟ ଛୁଆଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଖାସ୍ କରି ୧୩ବର୍ଷରୁ କମ୍ ପିଲା ସ୍ମାର୍ଟଫୋନ୍ ବ୍ୟବହାର କରିବା ଉଚିତ୍ ନୁହେଁ । ତେଣୁ ସେମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରରେ ରଖିବା ଆବଶ୍ୟକ । ନଚେତ୍ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।
ଆଜିକାଲି ସ୍ମାର୍ଟଫୋନ୍ ସାଧାରଣ କଥା ହୋଇଗଲାଣି । ତେଣୁ ପିଲାମାନେ ଦୁଷ୍ଟାମୀ କରୁଥିଲେ କିମ୍ବା ଖାଇବାକୁ ହଇରାଣ କରୁଥିଲେ ସେମାନଙ୍କ ଘର ଲୋକ ପିଲାଙ୍କୁ ଫୋନ୍ ଚଲାଇବାକୁ ଦେଇଦେଉଛନ୍ତି । ଯାହା ପିଲାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ସେମାନଙ୍କ ଫୋନ୍ ବ୍ୟବହାର ଅଭ୍ୟାସରେ ପରିଣତ ହୋଇଯାଏ । ଯାହା ଦ୍ବାରା ସେମାନେ ଜିଦ୍ କରିବା ଆରମ୍ଭ କରିଦେଇଥାନ୍ତି । ପିଲା ହଇରାଣ ନ କରିବା ପାଇଁ ପିଲାର ଘର ଲୋକ ଏହି ଅଭ୍ୟାସରେ ସେମାନଙ୍କୁ ପକାଇ ଦେଇଥାନ୍ତି । କିନ୍ତୁ ହୁଏ ତ ପରେ ବାପା, ମା’ଙ୍କୁ ବେଶୀ ହଇରାଣ କରିଥାନ୍ତି । ଯାହାକୁ ନେଇ ବାପା, ମା’ ଚିନ୍ତାରେ ରହିଥାନ୍ତି । ତେଣୁ ପିଲାଙ୍କୁ ଏଭଳି ଅପ ଅଭ୍ୟାସଠାରୁ ଦୂରରେ ରଖନ୍ତୁ । ତେବେ ଆସନ୍ତୁ କେଉଁ ବର୍ଷର ପିଲାଙ୍କ ପାଇଁ ଫୋନ୍ ଚଲାଇବାର ଅଭ୍ୟାସ କେଉଁ ସବୁ କ୍ଷତି କରିଥାଏ ସେ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ ।
୧୧ରୁ ୧୨ ବର୍ଷର ପିଲାମାନେ ପ୍ରାୟତଃ ସୋସିଆଲ ମିଡିଆ ସହିତ ବେଶୀ ଜଡିତ ହୋଇ ରହୁଛନ୍ତି । ଯାହା ଅଧ୍ୟୟନରୁ ଜଣାପଡିଛି । ସେମାନଙ୍କର ବୟସ ବୃଦ୍ଧି ହେବା ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ବଢ଼ିବାରେ ଲାଗିଥାଏ । ସେହିପରି ଭାବେ ଆଉ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯୁବ ବୟସର ପିଲା ଫୋନ୍ ସହିତ ଅଧିକ ଯୋଡ଼ି ହେବା ଦ୍ବାରା ଏକା ଅନୁଭବ କରିବା, ଦେଖାଯିବା ଏବଂ ଶୁଣାଯିବା ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ୧୩ବର୍ଷରୁ କମ୍ ବର୍ଷର ପିଲା ଫୋନ୍ ବ୍ୟବହାର କରିବା ଫଳରେ ମାନସିକ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାର ଆଶଙ୍କା ଥାଏ ।
ସ୍ମାର୍ଟଫୋନ ଯୋଗୁଁ ପିଲାମାନେ କମ୍ ବୟସରେ ସୋସିଆଲ ମିଡିଆ ବ୍ୟବହାର କରିବା ଆରମ୍ଭ କରନ୍ତି । ଯାହା ସାଇବରବୁଲିଂ, ନିଦ୍ରା ବ୍ୟାଘାତ ଏବଂ ପରିବାର ସହିତ ସମ୍ପର୍କରେ ଦୂରତାର ବିପଦକୁ ବୃଦ୍ଧି କରେ । ସ୍ମାର୍ଟଫୋନ ଏବଂ ସୋସିଆଲ ମିଡିଆ ବ୍ୟବହାର ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଯାହା ସେମାନଙ୍କୁ ଡିପ୍ରେସନ୍ ଆଡକୁ ଟାଣି ନେଇଥାଏ । ତେଣୁ କମ୍ ବୟସର ପିଲାଙ୍କୁ ଆଦୌ ଫୋନ୍ ଦିଅନ୍ତୁ ନାହିଁ । ଜିଦ୍ କରିବେ ସତ କିନ୍ତୁ ସେଥି ପାଇଁ ସେମାନଙ୍କ ଉପରେ ହଠାତ୍ ରାଗି ଯାଆନ୍ତୁ ନାହିଁ । ବରଂ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ ।
ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ହେଲେ ପିଲାଙ୍କ ସହ ନିଜର କିଛି ସମୟ ବାହାର କରି ସେମାନଙ୍କୁ ଦିଅନ୍ତୁ । ହୁଏ ତ ଆପଣଙ୍କ ଟିକେ ସମୟ ସେମାନଙ୍କୁ ଖରାପ ଅଭ୍ୟାସ ଏବଂ ଗମ୍ଭୀର ସମସ୍ୟାଠାରୁ ଦୂରେଇ ଦେଇପାରିବ । ଏହା ଛଡ଼ା ପିଲାମାନଙ୍କୁ ମୋନଙ୍କ ବୟସ ଅନୁସାରେ ସମସ୍ତ ଜିନିଷର ସଠିକ୍ ବ୍ୟବହାର ସମ୍ପର୍କରେ ଶିଖାଇବା ଉଚିତ୍ । ଯେମିତିକି କେଉଁ ବୟସରେ କେଉଁ କାମ କରିବା ଆବଶ୍ୟକ । ସେଥିପାଇଁ ପିଲାଙ୍କୁ ବେଶୀ ଶାସନ ନକରି ସେମାନଙ୍କ ସାଙ୍ଗ ହୋଇ ବଦଳାଇବାକୁ ଚେଷ୍ଟା କରନ୍ତୁ ।