କଳାହାଣ୍ଡି : ଦୁଇ ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ମାଟିଗାଁର ବୃଦ୍ଧା ନିଳା ପ୍ରଧାନ ଓ ତାଙ୍କ ଦୁଇ ନାତିନାତୁଣୀଙ୍କୁ ସହାୟତାପ୍ରଦାନ କରାଯାଇଛି । ଗଣମାଧ୍ୟମରୁ ଦୁଇ ଅନାଥ ଶିଶୁଙ୍କ ଖବର ଜାଣି ସହାୟତାର ହାତ ବଢାଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ନିଜ ପ୍ରତିନିଧିଙ୍କୁ ପଠାଇ ସେମାନଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଦୁଇ ଶିଶୁଙ୍କ ପାଠ ପଢିବା ଓ ପରିବାର ପୋଷଣ ପାଇଁ ମାସିକ ୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଗତ କିଛିବର୍ଷ ତଳେ ମାଟିଗାଁର ମଦନ ପ୍ରଧାନୀଙ୍କ ମୃତ୍ୟୁ ହୋଇଥିଲା । ଏବେ ତାଙ୍କ ପତ୍ନୀ ତ୍ରିଫଳାଙ୍କ ମୃତ୍ୟୁ ହୋଇଛି । ସେମାନଙ୍କର ଦୁଇ ଛୁଆଙ୍କ ସାହା ପାଲଟିଛନ୍ତି ବୃଦ୍ଧା ଜେଜେମାଆ । ନାତୁଣୀ ପ୍ରିୟଙ୍କା ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବାବେଳେ ନାତି ମାଧବ ତୃତୀୟ ଶ୍ରେଣୀରେ ପଢୁଛନ୍ତି । ଏହି ଦୁଇ ଶିଶୁଙ୍କୁ ଶିକ୍ଷା ଦେଇ ସେମାନଙ୍କ ଭବିଷ୍ୟତ ଉଜ୍ବଳ କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ଡକ୍ଟର ସାମନ୍ତ । ଏବେ ସେମାନଙ୍କ ଜେଜେମାଆଙ୍କ ଭତ୍ତା ଟଙ୍କାରେ ପରିବାର ଚଳୁଛି। ତାଙ୍କୁ କିସ୍ ଫାଉଣ୍ଡେସନ ପକ୍ଷରୁ ସହାୟତା ଯୋଗାଇଦିଆଯାଇଥିବାରୁ ପ୍ରତିଷ୍ଠାତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।