ଭୁବନେଶ୍ୱର : ପୁଣି ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ବିବାଦ। ବିଜେପି ସାଂସଦ ନିଶିକାନ୍ତ ଦୁବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଦେଇଛନ୍ତି ବିବାଦୀୟ ବୟାନ। ନିଶିକାନ୍ତ ଦାବି କରିଛନ୍ତି ବିଜୁ ପଟ୍ଟନାୟକ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମେରିକୀୟ ଗୁପ୍ତଚର ସଂସ୍ଥା ସିଆଇଏ ମଧ୍ୟରେ ଯୋଗସୂତ୍ର ରଖୁଥିଲେ।
୧୯୬୨ ମସିହା ଚୀନ ଯୁଦ୍ଧ ବେଳେ ତତ୍କାଳୀନ ନେହେରୁ ସରକାର ଏବଂ CIA ମଧ୍ୟରେ ବିଜୁ ବାବୁ ମଧ୍ୟସ୍ଥି ସାଜିଥିଲେ ବୋଲି ଦୁବେ ଅଭିଯୋଗ କରିଛନ୍ତି। ଭାରତ ଆମେରିକା ଟଙ୍କାରେ ଚୀନ ବିରୋଧରେ ଲଢିଥିଲା। ସେହିପରି ବିଜୁ ବାବୁଙ୍କ ସହଯୋଗରେ କଟକର ଚାରବାଟିଆ ଏୟାରବେସରେ ସିଆଇଏର ଗୁପ୍ତଚର ବିମାନ ଅବତରଣ ଓ ଉଡାଣ ଭରୁଥିଲା।
ଏହାସହିତ ୧୯୬୪ ମସିହାରେ ନନ୍ଦାଦେବୀ ପାହାଡ଼ରେ ଆମେରିକା ସାହାଯ୍ୟରେ ସର୍ଭେଲାନ୍ସ ଯନ୍ତ୍ର ଲଗାଇବା ପଛରେ ବିଜୁ ପଟ୍ଟନାୟକଙ୍କ ଭୂମିକା ଥିଲା ବୋଲି ନିଶିକାନ୍ତ ଅଭିଯୋଗ ଆଣିଛନ୍ତି। ସେପଟେ ନିଶିକାନ୍ତଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ବିଜୁ ବାବୁ କେବଳ ଓଡିଶାରେ ସୀମିତ ନଥିଲେ ଜାତୀୟ ରାଜନୀତିରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।
ତେଣୁ ତାଙ୍କ ଭଳି ଜଣେ ମହାନ ନେତାଙ୍କ ବିରୋଧରେ ଶାସକ ଦଳ ସଦସ୍ୟଙ୍କ ଏପରି ମନ୍ତବ୍ୟକୁ ଅସମ୍ମାନ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏହି ବୟାନ ପ୍ରତିବାଦରେ ନିଶିକାନ୍ତ ଦୁବେ ଅଧ୍ୟକ୍ଷ ଥିବା ସଂସଦୀୟ କମିଟିରୁ ସସ୍ମିତ ଇସ୍ତଫା ଦେଇଛନ୍ତି।
