ଅନେକ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆମର କେତେକ ଦୈନନ୍ଦିନ ଖରାପ ଅଭ୍ୟାସ ମଧ୍ୟ ସ୍ପର୍ମ କାଉଣ୍ଟକୁ ଗମ୍ଭୀର ଭାବେ ପ୍ରଭାବିତ କରିଥାଏ । ଯଦି ସମୟ ଥାଉ ଥାଉ ଏହା ଉପରେ ଧ୍ୟାନ ଦିଆନଯାଏ, ତେବେ ଭବିଷ୍ୟତରେ ବାପା ହେବାର ସ୍ୱପ୍ନ ପୂରଣ କରିବାରେ ବଡ଼ ସମସ୍ୟା ଦେଖାଦେଇପାରେ ।
କେବେ ହୋଇଥାଏ ସ୍ପର୍ମ କାଉଣ୍ଟ କମ୍?
ଯେତେବେଳେ ବୀର୍ଯ୍ୟରେ ଥିବା ସ୍ପର୍ମର ସଂଖ୍ୟା ସାଧାରଣ ଠାରୁ କମ୍ ହୋଇଯାଏ, ସେତେବେଳେ ଏହି ସ୍ଥିତିକୁ ମେଡିକାଲ୍ ଭାଷାରେ ‘ଲୋ-ସ୍ପର୍ମ କାଉଣ୍ଟ’ ବା ଓଲିଗୋସ୍ପର୍ମିଆ କୁହାଯାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରତିଷ୍ଠିତ ୱେବସାଇଟ୍ ‘Mayoclinic’ ର ରିପୋର୍ଟ ଅନୁଯାୟୀ, ଯଦି ପ୍ରତି ମିଲିଲିଟର ବୀର୍ଯ୍ୟରେ ୧.୫ କୋଟିରୁ କମ୍ ସ୍ପର୍ମ ଥାଏ, ତେବେ ଏହାକୁ ସାଧାରଣ ଠାରୁ କମ୍ ବୋଲି ଧରାଯାଏ । ଅନ୍ୟପଟେ ଯଦି ବୀର୍ଯ୍ୟରେ ସ୍ପର୍ମ ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ଶୂନ ଥାଏ, ତେବେ ସେହି ସ୍ଥିତିକୁ ଏଜୁସ୍ପର୍ମିଆ କୁହାଯାଏ । ଏଭଳି ପରିସ୍ଥିତିରେ ପ୍ରାକୃତିକ ଉପାୟରେ ଗର୍ଭଧାରଣ ହେବାର ସମ୍ଭାବନା ବହୁତ କମିଯାଏ ।
ଏହାର ମୁଖ୍ୟ ଲକ୍ଷଣ କ’ଣ?
କମ୍ ସ୍ପର୍ମ କାଉଣ୍ଟର ସବୁଠାରୁ ବଡ଼ ସଙ୍କେତ ହେଉଛି ଦୀର୍ଘ ସମୟ ଧରି ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଗର୍ଭଧାରଣ ନହେବା । ଅନେକ କ୍ଷେତ୍ରରେ ଏହା ବ୍ୟତୀତ ବାହାରକୁ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ । ତଥାପି କେତେକ ପୁରୁଷଙ୍କ କ୍ଷେତ୍ରରେ ହରମୋନ୍ ଜନିତ ସମସ୍ୟା ଯୋଗୁଁ ଯୌନ ଇଚ୍ଛା କମିଯିବା, ଇରେକ୍ସନ୍ ସମସ୍ୟା ଦେଖାଦେବା । ଟେଷ୍ଟିକଲ୍ (ଅଣ୍ଡକୋଷ) ରେ ଯନ୍ତ୍ରଣା, ଫୁଲା କିମ୍ବା ଗଣ୍ଠି ହେବା ଭଳି ଲକ୍ଷଣ ନଜର ଆସିପାରେ ।
କେବଳ ଧୂମ୍ରପାନ କିମ୍ବା ମଦ୍ୟପାନ ନୁହେଁ, ବରଂ ଅତ୍ୟଧିକ ମୋଟାପଣ, କ୍ରମାଗତ ମାନସିକ ଚାପ ବା ଟେନସନ, ନିଶାଦ୍ରବ୍ୟ ସେବନ ଏବଂ ହରମୋନ୍ ଅସନ୍ତୁଳନ ଯୋଗୁଁ ମଧ୍ୟ ସ୍ପର୍ମ କାଉଣ୍ଟ କମିଥାଏ । ଏହା ବ୍ୟତୀତ ଶରୀରରେ କୌଣସି ସଂକ୍ରମଣ, ଭାରିକୋସିଲ୍ ଭଳି ରୋଗ, ଥାଇରଏଡ୍ ସମସ୍ୟା ଏବଂ କେତେକ ଔଷଧର ଦୀର୍ଘଦିନ ଧରି ବ୍ୟବହାର ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ଖରାପ ପ୍ରଭାବ ପକାଇଥାଏ ।
ବିଶେଷଜ୍ଞଙ୍କ ମତରେ, ଯଦି କୌଣସି ଗର୍ଭନିରୋଧକ ବ୍ୟବହାର ନକରି ଏକ ବର୍ଷ ପର୍ଯ୍ୟନ୍ତ ନିୟମିତ ସମ୍ପର୍କ ରଖିବା ପରେ ମଧ୍ୟ ଗର୍ଭଧାରଣ ନହୁଏ, ତେବେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
ଏହାର ପ୍ରତିକାର ବା ଚିକିତ୍ସା ସମ୍ଭବ କି?
ଆଶ୍ଵାସନାର କଥା ହେଉଛି, ସବୁ କ୍ଷେତ୍ରରେ ଲୋ-ସ୍ପର୍ମ କାଉଣ୍ଟର ଅର୍ଥ ସମ୍ପୂର୍ଣ୍ଣ ବାଞ୍ଝପଣ ନୁହେଁ । ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଅନେକ ପ୍ରକାରର ଔଷଧ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଆଧୁନିକ ଫର୍ଟିଲିଟି ଟ୍ରିଟମେଣ୍ଟ ସାହାଯ୍ୟରେ ଗର୍ଭଧାରଣର ସମ୍ଭାବନାକୁ ବହୁ ଗୁଣ ବଢ଼ାଯାଇପାରୁଛି ।
ସ୍ପର୍ମର ଗୁଣବତ୍ତା ବଢ଼ାଇବା ପାଇଁ କିଛି ସହଜ ଟିପ୍ସ
- ପୁଷ୍ଟିକର ଓ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ ।
- ନିୟମିତ ବ୍ୟାୟାମ କରନ୍ତୁ ଏବଂ ଓଜନ ନିୟନ୍ତ୍ରଣରେ ରଖନ୍ତୁ ।
- ମାନସିକ ଚାପ ବା ଟେନସନଠାରୁ ଦୂରରେ ରୁହନ୍ତୁ ।
- ଧୂମ୍ରପାନ, ମଦ୍ୟପାନ ଏବଂ ତମାଖୁ ସେବନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ ।
