ରାସ ବିହାରୀ ବେହେରା ଜଣେ ସାହିତ୍ୟିକ ମଧ୍ୟ ଥିଲେ। ତାଙ୍କ ରଚିତ ଉପନ୍ୟାସ-ବିଜୟୀ ଓ ଭ୍ରମଣ ସାହିତ୍ୟ-ଅନନ୍ୟସୃଷ୍ଟି କାନାଡ଼ା ବେଶ୍ ଲୋକାଦୃତ ହୋଇଥିଲା। ସେ ଅନନ୍ୟସୃଷ୍ଟି କାନାଡ଼ା ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲେ।

କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ଭବାନୀପାଟଣାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ଶୁଣି ଜିଲାରେ ଶୋକର ଛାୟା ଖେଳିଯାଇଛି।
୧୯୩୮ ମସିହା ଏପ୍ରିଲ ମାସ ୧୨ ତାରିଖରେ ସେ ଜୁନାଗଡ଼ ବ୍ଲକ ମହିଚଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଓ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି। ୧୯୭୭ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ କଂଗ୍ରେସରୁ ସେ କୋକସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ୧୯୮୦ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ କୃଷି ମନ୍ତ୍ରୀ ମଧ୍ୟ ରହିଥିଲେ। ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ଆଦର୍ଶବାଦୀ ନେତା ଭାବରେ ସେ ରାଜ୍ୟ ରାଜନୀତି ସହ ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି। ନିଜର ଦୀର୍ଘ ରାଜନୈତିକ ଜୀବନ ମଧ୍ୟରେ ସେ ଜନସେବା ଏବଂ ଅଞ୍ଚଳର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କ ପରଲୋକରେ ଝୁରୁଛି କଳାହାଣ୍ଡି।