Monday, September 28, 2026
24.7 C
Odisha

    ପ୍ରକୃତ ଭକ୍ତି

    ଆଗକୁ ପଢନ୍ତୁ

    ଏକଦା ନାରଦ ମୂନି ପୃଥିବୀ ଭ୍ରମଣ ରେ ଆସିଥିଲେ । କୌଣସି ଏକ ଗାଁରେ ବୁଲୁଥିବା ସମୟରେ ସେ ଦେଖିଲେ ଯେ ଏକ ତେନ୍ତୁଳି ଗଛ ମୂଳରେ ଦୁଇଜଣ ବ୍ୟକ୍ତି ତପସ୍ୟା କରୁଛନ୍ତି । ନାରଦ ମୁନିଙ୍କୁ ଦେଖି ସେମାନେ ତାଙ୍କ ପାଖକୁ ଆସି ପ୍ରଣାମ କଲେ ଓ କହିଲେ, “ହେ ଦେବର୍ଷି! ଆମେ ବିଗତଂ ଦଶ ବର୍ଷ ହେବ ଏହିଠାରେ ତପସ୍ୟା କରି ଆସୁଛୁ । ଆପଣ ତ ବୈକୁଣ୍ଠ ଯିବା ଆସିବା କରନ୍ତି । ଦୟାକରି ଆପଣ କହି ପାରିବେ କି, ଭଗବାନ ବିଷ୍ଣୁ ଆମକୁ କେବେ ଦର୍ଶନ ଦେବେ?” ଏହାଶୁଣି ନାରଦ ମୁନି କହିଲେ, “ନାରାୟଣ, ନାରାୟଣ । ଠିକ୍ ଅଛି, ମୁଁ ବୈକୁଣ୍ଠ ଗଲେ ଏହି କଥା ଭଗବାନ ବିଷ୍ଣୁ ଙ୍କୁ ପଚାରି ଆପଣଙ୍କୁ ଜଣାଇବି ।” ଏହା କହି ଦେବର୍ଷି ସେହିଠାରୁ ସ୍ଵର୍ଗଲୋକକୁ ଫେରି ଆସିଲେ ।

    ଦିନେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଦର୍ଶନ ନିମନ୍ତେ ବୈକୁଣ୍ଠପୁର ଯାଇଥିବା ସମୟରେ ଦେବର୍ଷି ନାରଦ ସେହି ଦୁଇଜଣ ମନୁଷ୍ୟଙ୍କ କଥା ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଉପସ୍ଥାପନ କଲେ ଓ ପ୍ରଭୁ କେବେ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହେବେ ବୋଲି ପ୍ରଶ୍ନ କଲେ । ଏହାଶୁଣି ଭଗବାନ ବିଷ୍ଣୁ ଉତ୍ତର ଦେଲେ, ” ହେ ଦେବର୍ଷି ! ମୁଁ ସେମାନଙ୍କ ତପସ୍ୟା ବିଷୟରେ ଜାଣିଛି । ସେମାନଙ୍କୁ ଦଶ ବର୍ଷ ହେବ କଠିନ ତପସ୍ୟା କରିଥିବାର ମଧ୍ୟ ଦେଖିଛି । ହେଲେ ମୁଁ ଏଯାଏଁ ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇପାରି ନାହିଁ । ସେହି ତେନ୍ତୁଳୀ ଗଛରେ ଯେତିକି ସଂଖ୍ୟକ ପତ୍ର ଅଛି ସେତିକି ବର୍ଷ ଯାଏଁ ତପସ୍ୟା କରିବା ପରେ ଯାଇ ମୁଁ ସେମାନଙ୍କୁ ଦର୍ଶନ ଦେବି ।” ପ୍ରଭୁଙ୍କ କଥା ଶୁଣି ନାରଦ ମୁନି ଦୁଇ ହାତ ଯୋଡି ପ୍ରଣାମ ଜଣାଇଲେ ଏବଂ ବୈକୁଣ୍ଠ ପୁରରୁ ଫେରି ଆସିଲେ ।

    ଏହାପରେ ସେ ପୁଣିଥରେ ମର୍ତ୍ତ୍ୟଲୋକ କୁ ଯାଇ ସେହି ଦୁଇ ଭକ୍ତଙ୍କ ପାଖରେ ପହଞ୍ଚିଲେ । ତାଙ୍କୁ ଦେଖିବା ମାତ୍ରେ ଦୁଇ ଭକ୍ତର ତାଙ୍କୁ ପ୍ରଣାମ କରି ପଚାରିଲେ,” ଦେବର୍ଷି ନାରଦ, କଣ ଆପଣ ଆମ ପ୍ରଶ୍ନର ଉତ୍ତର ଆଣି ଆସିଛନ୍ତି ?” ନାରଦ ମୂନି କହିଲେ,”ଭଗବାନ ବିଷ୍ଣୁ ଆପଣ ଦୁହିଁଙ୍କ ତପସ୍ୟାରେ ଆଦୌ ପ୍ରସନ୍ନ ନୁହନ୍ତି । ସେ କହିଛନ୍ତି,ଏହି ତେନ୍ତୁଳି ଗଛରେ ଯେତିକି ପତ୍ର ଅଛି ସେତିକି ବର୍ଷ ଯାଏଁ ତପସ୍ୟା କଲେ ଯାଇ ଦୁହିଁଙ୍କ ତପସ୍ୟା ସଫଳ ହେବ ଓ ଭଗବାନ ବିଷ୍ଣୁ ପ୍ରସନ୍ନ ହେବେ । ଏହାପରେ ସେ ଆପଣ ମାନଙ୍କୁ ଦର୍ଶନ ଦେବାକୁ ପୃଥିବୀ ଲୋକକୁ ଆସିବେ ।” ଏକଥା ଶୁଣି ସେମାନଙ୍କ ଭିତରୁ ଜଣେ ଭକ୍ତ ଖୁବ ରାଗିଗଲା । ଅତ୍ୟନ୍ତ କ୍ରୋଧିତ ହୋଇ ସେ ଉଚ୍ଚ ସ୍ଵରରେ କହିବାକୁ ଲାଗିଲା,”ଆମେ ଦୀର୍ଘ ଦଶବର୍ଷ ହେଲାଣି ଏହିଠାରେ ତପସ୍ୟା କରୁଛୁ । ଏହାପରେ ବି ସେ ସନ୍ତୁଷ୍ଟ ନୁହନ୍ତି । ଆହୁରି ଏତେ ବର୍ଷ ତପସ୍ୟା କଲେ ସେ ପ୍ରସନ୍ନ ହେବେ ବୋଲି କଣ ଭରସା ଅଛି ? ଏମିତି ଏତେ ବର୍ଷ ତପସ୍ୟା ର କିଛି ବି ଫଳାଫଳ ମିଳିବାର ନାହିଁ ।” ଏହାକହି ସେ ସେଠାରୁ ଚାଲିଗଲେ । ଦେବର୍ଷି ନାରଦ ଦ୍ଵିତୀୟ ଭକ୍ତଙ୍କ ଆଡକୁ ଚାହିଁ ଦେଖିଲେ, ସେ ଖୁବ ସ୍ଥିର ଓ ଶାନ୍ତ ଭାବରେ ଛିଡା ହୋଇଛନ୍ତି । ତାଙ୍କ ମୁହଁରେ କ୍ରୋଧ ନୁହେଁ ବରଂ ଏକ ପ୍ରସନ୍ନତା ର ଆଭାସ ଦେଖିପାରିଲେ ସେ । ଏହାଦେଖି ସେ ସେହି ଭକ୍ତଙ୍କୁ ପଚାରିଲେ,”ଆପଣଙ୍କ ଏତେ ବର୍ଷର ତପସ୍ୟା ପରେ ବି ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ପ୍ରସନ୍ନ ନୁହନ୍ତି । ବରଂ ସେ ଆପଣଙ୍କୁ ଆହୁରି ଏତେ ବର୍ଷ ଯାଏଁ ତପସ୍ୟା କରିବାକୁ କହୁଛନ୍ତି । କଣ ଆପଣ କ୍ରୋଧିତ ନୁହନ୍ତି ?” ଏକଥା ଶୁଣି ଭକ୍ତ ଜଣକ କହିଲେ,”ଛାର ମଣିଷଟିଏ ହୋଇ ମୁଁ କଣ ମୋ ଆରାଧ୍ୟ ପ୍ରଭୁଙ୍କ ଉପରେ କ୍ରୋଧିତ ହୋଇପାରିବି? ବରଂ ମୁଁ ଏହି କଥା ଜାଣି ଖୁବ ଖୁସି ଯେ ଭଗବାନ ବିଷ୍ଣୁ ମୋର ତପସ୍ୟା କୁ ଦେଖିଛନ୍ତି, ମୋ ବିଷୟରେ ଭାବିଛନ୍ତି ଓ ମୋତେ ଦର୍ଶନ ଦେବା କଥା ମଧ୍ୟ ଚିନ୍ତା କରିଛନ୍ତି । ଏସବୁ ମୋ ପାଇଁ ବହୁତ ବଡ଼ କଥା । ମୁଁ ଏତିକି କଥା ଭଲଭାବରେ ଜାଣିଛି ଯେ ଭଗବାନ କେବେ ନା କେବେ ମୋତେ ଦର୍ଶନ ଦେଇ ମୋ ଇଚ୍ଛା ପୂର୍ଣ୍ଣ କରିବେ । ମୋର ପୁରା ବିଶ୍ବାସ ।”

    ଭକ୍ତଟିର ମୁହଁରୁ କଥା ସାରିବା ମାତ୍ରେ ଭଗବାନ ବିଷ୍ଣୁ ହଠାତ ସେହିଠାରେ ପ୍ରକଟ ହୋଇଗଲେ । ଭକ୍ତ ସମ୍ମୁଖରେ ବିରାଜିତ ହୋଇ ତାକୁ ଦର୍ଶନ ଦେଲେ । ନିଜ ଆରାଧ୍ୟଙ୍କୁ ସାକ୍ଷାତ ଦର୍ଶନ କରି ଭକ୍ତଟି ଖୁସିରେ ଗଦଗଦ ହୋଇଗଲା । ତାର ଆଖିରୁ ଅନନ୍ଦାଶ୍ରୁ ଝରି ପଡ଼ିଲା । ଭକ୍ତି ଭାବରେ ଲୀନ ହୋଇ ସେ ପ୍ରଭୁଙ୍କ ଚରଣ କମଳରେ ଲୋଟିଗଲା । ଭଗବାନ ତାକୁ କୋଳେଇ ନେଲେ ଓ ତାର ମନସ୍କାମନା ପୁରାଣ କଲେ । ପାଖରେ ଠିଆ ହୋଇ ଏସବୁ ଦେଖୁଥିବା ନାରଦ ମୁନି ପ୍ରଭୁଙ୍କୁ ପ୍ରଶ୍ନ କଲେ,”ପ୍ରଭୁ ! ଆପଣ ତ କହିଥିଲେ ଯେ ଆପଣ ଏଯାଏଁ ତପସ୍ୟାରେ ପ୍ରସନ୍ନ ନୁହନ୍ତି ବୋଲି । ହେଲେ ଆପଣ ସନ୍ତୁଷ୍ଟ ନହୋଇ ଭକ୍ତକୁ କିପରି ଦର୍ଶନ ଦେଇଦେଲେ ? ଦୟାକରି ମୋ ମନର ସଂଶୟ ଦୂର କରନ୍ତୁ ଭଗବାନ ।” ଭଗବାନ ବିଷ୍ଣୁ କହିଲେ, ” ଦେବର୍ଷି ନାରଦ, ଏହା କେବଳ ଭକ୍ତର ଭକ୍ତିକୁ ପରୀକ୍ଷା କରିବା ନିମନ୍ତେ ମୋର ଏକ ମାୟା ଥିଲା । ମୁଁ ପରଖିବାକୁ ଚାହୁଁଥିଲି, ଦୁହିଁଙ୍କ ମଧ୍ୟରେ ପ୍ରକୃତରେ ମୋ ପ୍ରତି କେତେ ଭକ୍ତି, ଧୈର୍ଯ, ବିଶ୍ୱାସ ଓ ସମର୍ପଣ ଭାବ ରହିଛି । ମୁଁ ଏହି ଭକ୍ତଟିର ଭରସା ଓ ବିଶ୍ବାସ ଭାବ ଦେଖି ଅତ୍ୟନ୍ତ ଭାବମଗ୍ନ ହୋଇପଡ଼ିଲି ଓ ଦର୍ଶନ ନଦେଇ ରହି ପରିଲି ନାହିଁ ।”

    ଏହାଶୁଣି ଦେବର୍ଷି ନାରଦ ଖୁସି ହୋଇଗଲେ ଓ ନାରାୟଣ ନାରାୟଣ ଜପ କରିବାକୁ ଲାଗିଲେ । ମନେରଖନ୍ତୁ ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ସମର୍ପଣ ଭାବ ନେଇ ଈଶ୍ବରଙ୍କ ପୂଜାର୍ଚ୍ଚନା କରେ, ଭଗବାନ ପାଖରେ ନିଜକୁ ସମର୍ପି ଦିଏ, ତାର ଭକ୍ତି ଭଗବାନ ନିଶ୍ଚୟ ଗ୍ରହଣ କରନ୍ତି । ଆମକୁ କେବଳ ତାଙ୍କ ଉପରେ ବିଶ୍ୱାସ ରଖି ଧୈର୍ଯ ଧରିବାକୁ ପଡିବ । ସେ ନିହାତି ଆମ ଡାକ ଶୁଣିବେ ।

    Story By- Bijaylaxmi

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ