ଚାଲିଗଲେ ଆଉ ଜଣେ ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ । କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେହିଠାରେ ଆଜି ସନ୍ଧ୍ୟା ୬.୧୮ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ।ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ହାର ମାନିଗଲେ ଡାକ୍ତର । ଗତ ଗୁରୁବାର ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷାରୁ ମସ୍ତିସ୍କାଘାତ ହୋଇଥିବା ଜଣା ପଡ଼ିବା ପରେ ସେହି ଅନୁସାରେ ଚିକିତ୍ସା ଚାଲିଥିଲା । ତେବେ ତାଙ୍କୁ ଆଉ ବଞ୍ଚାଇ ହେଲା ନାହିଁ ।
ଅଭିଜିତ୍ ମଜୁମଦାର ଓ ହ୍ୟୁମାନ ସାଗରଙ୍କ ପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ ହୋଇଛି । ଗୀତାଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।
ଓଡ଼ିଆ ଚଳଚ୍ଚିତ୍ର ସମେତ ଅନେକ ଆଧୁନିକ ଓ ଲଘୁ ସଙ୍ଗୀତ ଗାଇଛନ୍ତି ଗୀତା ପଟ୍ଟନାୟକ । ସ୍ବର୍ଗତ ସଂଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏକକୁ ଆରକେ ବଳି ହିଟ୍ ଗୀତ ଦେଇଛନ୍ତି । ୧୯୫୪ ମସିହା ଡିସେମ୍ବର ୧୦ ତାରିଖରେ ଜନ୍ମ ଗୀତାଙ୍କର । ପ୍ରଥମେ ରେଡ଼ିଓରୁ ଲତା ମଙ୍ଗେସକରଙ୍କ ଗୀତ ଶୁଣି ନିଜେ ନିଜେ ଗାଇବାକୁ ଚେଷ୍ଟା କରିଥିଲେ । ୧୯୭୫ ମସିହାରେ କଟକ କଳା ବିକାଶ କେନ୍ଦ୍ରରେ ଯୋଗ ଦେଇ ସଙ୍ଗୀତ ଶିକ୍ଷା ନେଇଥିଲେ । ତାଙ୍କର ପ୍ରଥମ ଗୁରୁ ଥିଲେ ରଘୁନନ୍ଦ ଆଉ ତାପରେ ରାଖାଲ ଚନ୍ଦ୍ର ମହାନ୍ତି ଓ ବାଳକୃଷ୍ଣ ଦାସଙ୍କ ଠାରୁ ସେ ସଂଗୀତ ଶିଖିଥିଲେ । କଳା ବିକାଶ କେନ୍ଦ୍ରରେ ୬ ବର୍ଷ ଶିକ୍ଷା ଗ୍ରହଣ କରି ସେଠାରୁ ସଙ୍ଗୀତ ଭୂଷଣ ପାସ୍ କରିଥିଲେ । ..୧୯୭୧ ମସିହାରେ ଆକାଶବାଣୀର ଜଣେ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ । ଆକାଶବାଣୀରେ ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ…। ଏହା ପରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଗୀତ ଗାଇଥିଲେ ବିଜେନ ବଜାଏ ବେଣୁ… । ଯାହା ବେଶ୍ ଲୋପ୍ରିୟ ହୋଇଥିଲା । ପରେ ପରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନେକ ଗୀତ ଗାଇଥିଲେ ଗୀତା । ସେ ମାତ୍ର ପନ୍ଦର ବର୍ଷ ବୟଷରେ ‘ଅଦିନ ମେଘ’ ଚଳଚ୍ଚିତ୍ରରେ ପ୍ରଥମ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଗୀତ ଗାଇଥିଲେ । ସେ ମଧ୍ୟ ଦିଲ୍ଲୀ ପିସିସି ଆକାଶବାଣୀରେ କଣ୍ଠଦାନ କରିଛନ୍ତି । କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ, ଗୁଜରାଟି, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ସେ ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଓ ବିଭନ୍ନ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଶାରେ ନୁହେଁ ଭାରତ ବାହାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି ।
ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଓ ହେମଲତା ପଟ୍ଟନାୟକଙ୍କ ଝିଅ ଥିଲେ ଗୀତା । ଗୀତାଙ୍କ ବାପା ସୁରେନ୍ଦ୍ର ଚନ୍ଦ୍ର ଜଣେ ଏଗ୍ରିକଲଚର ଇଞ୍ଜିନିୟର ଥିଲେ । ଓଡ଼ିଶାରେ ପ୍ରଥମେ ଫୁଟବଲ ମ୍ୟାଚ ଆରମ୍ଭ କରିଥିଲେ ଗୀତାଙ୍କ ଜେଜେ ବାପା । ଗୀତାଙ୍କ ମାଆ ଏବଂ ମାଉସୀ ତଥା ତାଙ୍କ ବାପାଙ୍କର ମଧ୍ୟ ଗୀତ ପ୍ରତି ସଉକ ଥିଲା । ତେଣୁ ଗୀତ ପ୍ରତି ଗୀତାଙ୍କର ଆଗ୍ରହ ପିଲାଟି ଦିନରୁ ହିଁ ରହିଥିଲା ।
‘ଯାଯାବର’ ଚଳଚ୍ଚିତ୍ରର ଫୁର କିନା ଉଡ଼ିଗଲା ବଣି, ମନ ମୋର । ‘ନାଗଫାଶ’ ଚଳଚ୍ଚିତ୍ରର ନଦୀ ଫେରେ ସାଗରକୁ । ‘ତଅପୋଇ’ଚଳଚ୍ଚିତ୍ରର ଭିଣେଇ ବାବୁ ଭିଣେଇ ବାବୁ ପଇଡ଼ରେ ପାଣି ଡାବୁ ଡାବୁ । ‘ଆହୁତି’ ଚଳଚ୍ଚିତ୍ରର ହୃଦୟକୁ କରିଦିଅ ପାନ୍ଥଶାଳା । ‘ଅଦିନ ମେଘ ‘ ଚଳଚ୍ଚିତ୍ରର ଏଇ ଆମରି ଗାଆଁ । ‘ସଂସାର’ ଚଳଚ୍ଚିତ୍ରର ଆଲୋ କଳାଶାରୀ କିଏ ତୋ ଶୁଆ, ଜାଇଫୁଲରେ ….. । ‘ଅକ୍ଷିତୃତୀୟା’ ଫିଲ୍ମରେ ‘ଏଇ ତାର ଭରା ଜହ୍ନ ରାତି …. ଗୀତଟି ବେଶ୍ ଲୋକପ୍ରିୟ ହୋଇଥିଲା । ସେହିପରି ‘ଅଶାନ୍ତ ଗ୍ରହ’ ଚଳଚ୍ଚିତ୍ରର ବିଶ୍ୱ ଦେଖ ମଧୁମୟରେ ଜୀବନ……। ତଅପୋଇ ଫିଲ୍ମରେ ଆ ବଉଳ ବହୂ ବହୂକା ଖେଳ ଖେଳିବା ଆଦି ସଂଗୀତରେ ଗୀତା କଣ୍ଠ ଦାନ କରିଥିଲେ । ଏସବୁ ଗୀତ ଆଜିବି ଲୋକଙ୍କ ମନରେ ଘର କରି ରହିଛି । ଏବେ ୭୨ ବର୍ଷ ବୟସରେ ସବୁଦିନ ପାଇଁ ନିରବୀ ଯାଇଛନ୍ତି କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ।..

