ମୌସୁମୀ ପରିବର୍ତ୍ତନ ହେବା ସହ ଅନେକ ଲୋକ ସିଜନାଲ୍ ଫ୍ଲୁରେ ଆକ୍ରାନ୍ତ ହୁଅନ୍ତି । ଏଥିରେ ଜ୍ୱର, ଥଣ୍ଡା, କାଶ, ଗଳା ଦରଜ, ଶରୀରରେ ଯନ୍ତ୍ରଣା ଓ ଦୁର୍ବଳତା ଭଳି ସମସ୍ଯା ଦେଖାଦେଇପାରେ । ଅନେକ ଲୋକ ଏହାକୁ ପାଣିପାଗ ପରିବର୍ତ୍ତନର ପ୍ରଭାବ ଭାବି ଅଣଦେଖା କରିଦିଅନ୍ତି । କିନ୍ତୁ ଏପରି କରିବା ଅନୁଚିତ୍ । ଏହି ସମୟରେ କେବଳ ଔଷଧ ନୁହେଁ, ସଠିକ୍ ଖାଦ୍ୟପାନୀୟ ମଧ୍ୟ ଶୀଘ୍ର ସୁସ୍ଥ ହେବାରେ ସହାୟକ ହୋଇଥାଏ । ଯଦି ଆପଣ ମଧ୍ୟ ସିଜନାଲ୍ ଫ୍ଲୁରେ ପୀଡ଼ିତ, ତେବେ ନିଜ ଖାଦ୍ୟରେ କିଛି ସହଜ ଓ ସ୍ବାସ୍ଥ୍ୟକର ଖାଦ୍ୟ ନିଶ୍ଚିତ ଭାବେ ସାମିଲ କରନ୍ତୁ ।
ଶରୀରରେ ଜଳୀୟଅଂଶ ଅଭାବ:ସିଜନାଲ୍ ଫ୍ଲୁ ସମୟରେ ଶରୀରରେ ପାଣିର ଅଭାବ ହୋଇପାରେ । ତେଣୁ ଦିନସାରା ଅଳ୍ପ ଅଳ୍ପ କରି ପାଣି ପିଅନ୍ତୁ । ଏହା ସହ ନଡ଼ିଆ ପାଣି, ଲେମ୍ବୁ ପାଣି, ସୁପ୍ ଓ ଗରମ ହର୍ବାଲ୍ ଡ୍ରିଙ୍କ୍ ମଧ୍ୟ ପିଇପାରିବେ ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଦୁର୍ବଳତା କମାଇବାରେ ସହାୟକ ହୋଇଥାଏ ।
ହାଲୁକା ଓ ପୌଷ୍ଟିକ ଖାଦ୍ୟ ଖାଆନ୍ତୁ:ଫ୍ଲୁ ହୋଇଥିବା ସମୟରେ ତେଲଭଜା ଓ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ଏହା ବଦଳରେ ଖେଚୁଡ଼ି, ଦଲିଆ, ମୁଗ ଡାଲି, ସାଧା ରୁଟି ଓ ସିଝା ପନିପରିବା ଖାଆନ୍ତୁ । ଏହି ଖାଦ୍ୟ ସହଜରେ ହଜମ ହେବା ସହ ଶରୀରକୁ ଆବଶ୍ଯକ ପୋଷକତତ୍ତ୍ୱ ଯୋଗାଇବ ।
ଫଳ ଓ ପନିପରିବା ନିଶ୍ଚିତ ଖାଆନ୍ତୁ:କମଳା, ମୌସମ୍ବି, ପିଜୁଳି, କିଓ୍ୱି ଓ ଅମୃତଭଣ୍ଡା ଭଳି ଫଳରେ ଭିଟାମିନ୍ ସି ରହିଥାଏ । ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଏହା ସହ ପାଳଙ୍ଗ ଶାଗ, ଗାଜର, ଟମାଟୋ ଓ କ୍ଯାପ୍ସିକମ୍ ଭଳି ପନିପରିବା ମଧ୍ୟ ଖାଇପାରିବେ ।
ଗରମ ସୁପ୍ ଓ କାଢ଼ା:ଯଦି ଗଳା ଦରଜ କିମ୍ବା ନାକ ବନ୍ଦ ହୋଇଥାଏ । ତେବେ ଗରମ ପନିପରିବା ସୁପ୍ ପିଇପାରିବେ ଅଦା, ତୁଳସୀ ଓ ଗୋଲମରିଚରେ ପ୍ରସ୍ତୁତ କାଢ଼ା ମଧ୍ୟ ଆରାମ ଦେଇଥାଏ । ତେବେ ଏହାକୁ ଅତ୍ଯଧିକ ପରିମାଣରେ ପିଇବା ଅନୁଚିତ୍ ।
ପ୍ରୋଟିନ୍ ଯୁକ୍ତ ଖାଦ୍ୟ:ଏହି ସମୟରେ ଶରୀରକୁ ଅଧିକ ଶକ୍ତିର ଆବଶ୍ଯକତା ହୋଇଥାଏ । ତେଣୁ ଡାଲି, ପନିର, ଦହି, କ୍ଷୀର, ଅଣ୍ଡା ଭଳି ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ନିଜ ଡାଏଟ ସାମିଲ କରନ୍ତୁ । ଏହା ଶରୀରକୁ ଶୀଘ୍ର ସୁସ୍ଥ ହେବାରେ ସହାୟତା କରିବ ।
