Tuesday, April 7, 2026
25.2 C
Odisha

    ବାରୁଣୀରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ଯାଜପୁର  :   ବାରୁଣୀରେ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଗତକାଲି ପ୍ରାତଃ ୫ଟା ୩୯ରୁ ସକାଳ ୮ଟା ୩ ମଧ୍ୟରେ ବାରୁଣୀ ସ୍ନାନଯୋଗ ରହିଥିବାବେଳେ ଶ୍ରଦ୍ଧାଳୁ ସକାଳୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବୁଡ଼ ପକାଇଥିଲେ। ଯୋଗ ସମୟରେ ବାରୁଣୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସି ବୈତରଣୀରେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଜନସମାଗମ ଯୋଗୁଁ ରାସ୍ତାଘାଟ ଲୋକାରଣ୍ୟ ହୋଇପଡ଼ିଥିଲା। ନିର୍ଦ୍ଧାରିତ ସ୍ଥାନରେ ଶ୍ରଦ୍ଧାଳୁ ଭକ୍ତ ନିଜର ଚାରି ଚକିଆ ଓ ଦୁଇ ଚକିଆ ଯାନ ରଖି ସ୍ନାନ ନିମନ୍ତେ ବୈତରଣୀର ଦଶାଶ୍ୱମେଧ ଘାଟକୁ ଯାଇଥିଲେ। ଶ୍ରଦ୍ଧାଳୁ ସ୍ନାନ କରିବା ପରେ ପିଣ୍ଡଦାନ କରିବା ସହ କେତେକ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଅସ୍ଥି ନଦୀରେ ବିସର୍ଜନ କରିଥିଲେ। ପୌର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇଥିଲା।

    ଅଘଟଣକୁ ପ୍ରତିହତ କରିବା ନିମନ୍ତେ ନଦୀର ଦୁଇ ପାର୍ଶ୍ବରେ ବ୍ୟାରିକେଡ କରାଯିବା ସହ ଅଗ୍ନିଶମ ବିଭାଗର ବୋଟ୍‌‌ ନଦୀରେ ପଇଁତରା ମାରିଥିଲା। ଏପରିକି ବୈତରଣୀ ଜଳ ଯେପରି ଅପରିଷ୍କାର ନ ହୁଏ ସେଥିପ୍ରତି ପୌର ପ୍ରଶାସନ ଗୁରୁତ୍ୱ ଦେଇ ନଦୀର ଦୁଇ ପାର୍ଶ୍ବରେ ଅସ୍ଥାୟୀ ପୁଷ୍କରିଣୀ କରାଯାଇ ପିଣ୍ଡ ସାମଗ୍ରୀ ପକାଯାଇଥିଲା। ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ପୁଲିସ ମୁତାୟନ ହେବା ସହ ନଦୀ ପାର୍ଶ୍ବରେ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝୀ ଓ ଅନ୍ୟ ପୁଲିସ ଅଧିକାରୀ ଜଗି ବସିଥିଲେ। ବହୁ ସ୍ଥାନରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସୂଚନା କେନ୍ଦ୍ର ଖୋଲାଯିବା ସହ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାନୀୟ ଯୋଗାଇ ଦିଆଯାଇଥିଲା। ବାରୁଣୀରେ ସାଧୁସନ୍ଥ ନିର୍ଦ୍ଧାରିତ ସମୟରେ ବୁଡ଼ ପକାଇଥିଲେ।

    ଏଥି ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟ ପଦାଧିକାରୀ ବାରୁଣୀ ସ୍ଥାନରେ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଦେଇଥିଲେ। ବାରୁଣୀରେ ଶ୍ରଦ୍ଧାଳୁ ସ୍ନାନ କରିବା ପରେ ପ୍ରଭୁ ବରାହ, ପ୍ରଭୁ ଜଗନ୍ନାଥ, ସପ୍ତମାତୃକା, ମା’ ଲକ୍ଷ୍ମୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଫଳରେ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏପରିକି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ