କଟକ : ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ନାତକ ପରେ ଦୁଇବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) ପାସ୍ କରିଥିବା ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା ସହିତ ତାଙ୍କ ପ୍ରାର୍ଥିତ୍ବ ଖାରଜ କରି ୨୦୨୪ ଜୁଲାଇ ୨୫ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । କନିଷ୍ଠ ଶିକ୍ଷକ ପଦ ପାଇଁ ୨୦୨୩ ସେପ୍ଟେମ୍ବର ୧୦ର ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାର ପ୍ରକାଶିତ ପ୍ରୋଭିଜନାଲ୍ ମେଧା ତାଲିକାରେ ଆବେଦନକାରୀଙ୍କ ନାଁ ପୁନଃସ୍ଥାପିତ କରାଯିବ । ଏହାପରେ ଆବେଦନକାରୀଙ୍କ ନିଯୁକ୍ତି ପ୍ରସଙ୍ଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠ ସନ୍ତୋଷ କୁମାର ବେହେରାଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପ୍ରାର୍ଥିତ୍ବ ଖାରଜ ନିର୍ଦ୍ଦେଶକୁ ବିରୋଧ କରି ଆବେଦନକାରୀ ଦାୟର କରିଥିବା ଆବେଦନକୁ ୨୦୨୪ ଅକ୍ଟୋବର ୪ରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ । ଏହି ରାୟକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ । ପୂର୍ବରୁ ସମାନ ଅବସ୍ଥାରେ ଥିବା ଅନ୍ୟ ପ୍ରାର୍ଥୀଙ୍କ ମାମଲାରେ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ପ୍ରଦାନ କରିଥିବା ୨୦୨୫ ଫେବ୍ରୁଆରି ୧୭ର ରାୟ ପ୍ରସଙ୍ଗରେ ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩, ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ୨୦୨୩, ଅଗଷ୍ଟ ୨୨ରେ ପ୍ରକାଶିତ ସର୍ତ୍ତାବଳୀ ଲାଗୁ ହେବ ବୋଲି କୁହାଯାଇଥିଲା । ଏନ୍ସିଟିଇ ବିଜ୍ଞପ୍ତି ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଥିବା କୁହାଯାଇଥିଲା । ପ୍ରାର୍ଥୀ ଅନ୍ୟ ଶିକ୍ଷାଗତ ଯୋଗ୍ୟତା ସହିତ ଏକବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) କରିଥିଲେ ଏହି ପଦବି ପାଇଁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା । ଆବେଦନକାରୀ ଦୁଇବର୍ଷିଆ ବିଏଡ୍ (ସ୍ବତନ୍ତ୍ର ଶିକ୍ଷା) କରିଥିବା ବେଳେ ଏହି ପଦବି ପାଇଁ ଦରଖାସ୍ତ ଦାଖଲ କରିଥିଲେ । ପ୍ରକାଶିତ ଚିଠା ମେଧା ତାଲିକାରେ ଆବେଦନକାରୀ ସ୍ଥାନ ପାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏକବର୍ଷିଆ ବିଏଡ୍ କରି ନଥିବାରୁ ଆବେଦନକାରୀଙ୍କ ପ୍ରାଥିତ୍ୱକୁ ଖାରଜ କରି ଦିଆଯାଇଥିଲା ।