Friday, October 2, 2026
22.2 C
Odisha

    ବିଧାୟକଙ୍କ ବଡ଼ ସୂଚନା: ପିପିପି ମୋଡ୍‌ରେ ଚାଲିବ ବରଗଡ଼ କ୍ୟାନ୍‌ସର ହସ୍ପିଟାଲ

    ଆଗକୁ ପଢନ୍ତୁ

    ବରଗଡ଼ : ବରଗଡ଼ କ୍ୟାନ୍‌ସର ହସ୍ପିଟାଲରେ ଦୀର୍ଘଦିନ ହେଲା ତାଲା ଝୁଲୁଛି। ଏହାକୁ ନେଇ ଗତମାସ ବିରୋଧୀ ବିଜେଡି ଶାସକ ଭାଜପା ସରକାରକୁ କଡ଼ା ସମାଲୋଚନା କରିଥିବାବେଳେ ୟୁନାଇଟେଡ୍‌ ଫୋରମ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ ବରଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହୋଇ କ୍ୟାନ୍‌ସର ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି। ଏହାପରେ ରାଜ୍ୟ ସରକାର ଏଥିପ୍ରତି ତତ୍ପରତା ପ୍ରକାଶ କରିଛନ୍ତି। ରବିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଏନିମିଆ ଓ କ୍ୟାନ୍‌ସର ରୋଗ ଚିହ୍ନଟ ଶିବିରରେ ଯୋଗ ଦେଇ ସ୍ଥାନୀୟ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାର ବରଗଡ଼ କ୍ୟାନ୍‌ସର ହସ୍ପିଟାଲକୁ ପ୍ରାଇଭେଟ-ପବ୍ଲିକ-ପାର୍ଟନରଶିପ (ପିପିପି) ଅର୍ଥାତ୍‌ ସର୍ବସାଧାରଣ ବେସରକାରୀ ଭାଗୀଦାରି ମୋଡ୍‌ରେ ଚଳାଇବାକୁ ଯୋଜନା କରିଛନ୍ତି। ଏହି କ୍ରମରେ ରବିବାର ହାଇଦ୍ରାବାଦର ଏକ ସଂସ୍ଥାର ଟିମ୍‌ ପହଞ୍ଚି ତାଙ୍କ ସହିତ ୪୫ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିବା ପରେ କ୍ୟାନ୍‌ସର ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଯଦି ଉଦ୍ଦିଷ୍ଟ ଗାଇଡଲାଇନ ଅନୁଯାୟୀ, ଉଭୟ ରାଜ୍ୟ ସରକାର ଓ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ସହମତି ପ୍ରକାଶ ପାଇବ, ତେବେ ଆସନ୍ତା ୪ରୁ ୬ମାସ ମଧ୍ୟରେ ଉକ୍ତ କ୍ୟାନ୍‌ସର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ବିଧାୟକ ଷଡ଼ଙ୍ଗୀ କହିଥିଲେ। ସେହିପରି ସେ ଆହୁରି କହିଥିଲେ, ଫୋରମ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏଟ ବରଗଡ଼ ତଥା ଫାଇଟର୍ସ ଗ୍ରୁପ୍‌ର ଏକ ପ୍ରତିନିଧି ଦଳ ସମେତ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା ଏବଂ ବରଗଡ଼ କ୍ୟାନ୍‌ସର ହସ୍ପିଟାଲକୁ ନେଇ ହୋଇଥିବା ଦାବି ସମୂହ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ଉକ୍ତ କ୍ୟାନ୍‌ସର ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଏବଂ ଇତିମଧ୍ୟରେ ୧୨୦ ଶଯ୍ୟା ଏବଂ ଆବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ବରଗଡ଼ କ୍ୟାନସର ହସ୍ପିଟାଲକୁ ପହଞ୍ଚି ସାରିଛି ବୋଲି ବିଧାୟକ ଷଡ଼ଙ୍ଗୀ କହିଛନ୍ତି। ସେହିପରି କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲ ମାଧ୍ୟମରେ ବରଗଡ଼ କ୍ୟାନ୍‌ସର ହସ୍ପିଟାଲକୁ ଔଷଧ ନ ଆସି ଯେଭଳି ସିଧାସଳଖ ଉକ୍ତ ହସ୍ପିଟାଲକୁ ଉଦ୍ଦିଷ୍ଟ ଔଷଧ ପହଞ୍ଚି ପାରିବ, ସେ ନେଇ ମଧ୍ୟ ତାଙ୍କଠାରେ ଦାବି ହୋଇଥିଲା। ଏ ନେଇ ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିରେ ଅବଗତ କରିଥିଲେ ଓ ଚିଠିର ମଧ୍ୟ ଉତ୍ତର ଆସି ଯାଇଛି ଏବଂ ସେହି ଦାବି ମଧ୍ୟ ପୂରଣ ହୋଇଯାଇଛି ବୋଲି ବିଧାୟକ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ। ତେବେ ଡାକ୍ତରଖାନାକୁ ଯେଭଳି ଯିବାକୁ ପଡିବ ନାହିଁ, ସେଥିପ୍ରତି ସମସ୍ତେ ସଚେତନ ହୋଇ ନୀରୋଗ ରହିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

    ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାରେ ଦିନକୁ ଦିନ କ୍ୟାନସର ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢିବାରେ ଚାଲିଛି। ଏହା ଚିନ୍ତାଜନକ ହୋଇ ପଡିଥିବାବେଳେ ଦେଶରେ ବରଗଡ଼ ଜିଲ୍ଲା କ୍ୟାନସର ରୋଗର ଏକ ହବ୍‌ ପାଲଟିଥିବା ସାଧାରଣରେ ଆଲୋଚିତ ହେଉଛି।
    ଏହି କ୍ରମରେ ଫୋରମ ଫର୍‌ କ୍ୟାନ୍‌ସର ହସ୍ପିଟାଲ ଏବଂ ବରଗଡ଼ ଫାଇଟର୍ସ ଗ୍ରୁପ ସମେତ ବିଭିନ୍ନ ଅନୁଷ୍ଠାନ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଦାବି କରିଥିଲେ। ସେହି ଦାବିକୁ ସମ୍ମାନ ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପିତ କରିଥିଲେ। ୨୦୨୧ ଶେଷଭାଗକୁ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥି ସଙ୍ଗେସଙ୍ଗେ ହସ୍ପିଟାଲ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲା ଏବଂ ୨୦୨୪ ଜାନୁଆରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକାର୍ପିତ ହୋଇଥିଲା। ଏଥିସହିତ ୩ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦିଆଯାଇ କ୍ୟାନସର ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଥିଲା। କିନ୍ତୁ ଉଚ୍ଚଶିକ୍ଷା ପାଇଁ ସମ୍ପୃକ୍ତ ଡାକ୍ତରମାନେ ରାଜ୍ୟ ବାହାରକୁ ଚାଲିଯିବା ପରେ ସେହିଦିନଠାରୁ ଉକ୍ତ କ୍ୟାନସର ହସ୍ପିଟାଲରେ ତାଲା ଝୁଲୁଛି। କ୍ୟାନସର ହସ୍ପିଟାଲର ଏଭଳି ଅଚଳାବସ୍ଥାକୁ ନେଇ ବରଗଡ଼ ଜିଲା ବିଜେଡି ଗତମାସ ୧୬ତାରିଖ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଆନ୍ଦୋଳନ ଚେତାବନୀ ଦେଇଥିବାବେଳେ ଗତ ୨୦ତାରିଖ ଫୋରମ ଫର୍‌ କ୍ୟାନସର ହସ୍ପିଟାଲ ଏଟ ବରଗଡ଼ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଉକ୍ତ କ୍ୟାନସର ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି ଜଣାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ