Thursday, April 2, 2026
26.4 C
Odisha

    ବିନ୍ନିଙ୍କ ସ୍ଥାନରେ ନୂଆ ସଭାପତି ଖୋଜୁଛି ବିସିସିଆଇ

    ଆଗକୁ ପଢନ୍ତୁ

    ମୁମ୍ବାଇ   :   ଜଲ୍‌ଦି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବିସିସିଆଇର ଗୁମାସ୍ତାମାନେ ନୂତନ ସଭାପତି ଖୋଜିବା ଆରମ୍ଭ କରିଛନ୍ତି। ଗତ କିଛିଦିନ ହେଲା ଅନୌପଚାରିକ ବୈଠକ ବସୁଛି ଏବଂ ବିସିସିଆଇର ପଡ଼ ପଣ୍ଡମାନେ ଫୋନ୍‌ରେ ନୂତନ ସଭାପତି କିଏ ହେବେ; ତାହା ବିଷୟରେ ଆଲୋଚନା ଚଳାଇଛନ୍ତି। ୭୦ ବର୍ଷ ବୟସରେ ପଦାର୍ପଣ କରିଥିବାରୁ ଗତ ଶୁକ୍ରବାର ବିସିସିଆଇର ସଭାପତି ଥିବା ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ରଜର ବିନ୍ନି ଇସ୍ତଫା ଦେଇଥିଲେ। ଜଷ୍ଟିସ୍ ଲୋଧା କମିଟି ସୁପାରିସରେ ସୁପ୍ରିମକୋର୍ଟ ନିର୍ଦେଶରେ ପ୍ରଣିତ ବିସିସିଆଇ ସମ୍ବିଧାନ ଅନୁସାରେ, ୭୦ ବର୍ଷ ପୂରଣ କରିଥିବା କୌଣସି ବ୍ୟକ୍ତି ବିସିସିଆଇର କର୍ମକର୍ତ୍ତା ହୋଇପାରିବେ ନାହିଁ। ଏହା ଅନୁସାରେ ରଜର ବିନ୍ନି ଇସ୍ତଫା ଦେଇଥିଲେ।
    ବିନ୍ନିଙ୍କ ଇସ୍ତଫା ପରେ ବିସିସିଆଇର ଉପସଭାପତି ଥିବା ରାଜୀବ ଶୁକ୍ଳା ଏବେ ଅସ୍ଥାୟୀ ଭାବେ ସଭାପତି ଦାୟିତ୍ବରେ ଅଛନ୍ତି। ଆସନ୍ତା ଏଜିଏମ୍‌ରେ ବିସିସିଆଇର ସଭାପତି ଭାବେ ନିର୍ବାଚିତ ହେବା ଦୌଡ଼ର ସର୍ବାଗ୍ରେ ରହିଛନ୍ତି ରାଜୀବ। କ୍ରିକେଟ ପ୍ରଶାସକ ଭାବେ ଏବେ ବିସିସିଆଇରେ ଥିବା ବ୍ୟକ୍ତିତ୍ବଙ୍କ ମଧ୍ୟରୁ ରାଜୀବ ଶୁକ୍ଳାଙ୍କ ଅଭିଜ୍ଞତା ସବୁଠାରୁ ଅଧିକ। ଦୀର୍ଘ ଦିନର ଅଭିଜ୍ଞତା ଯୋଗୁଁ ରାଜୀବ ଶୁକ୍ଳା ବିସିସିଆଇ ସଭାପତି ହେବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ବୋଲି ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ। ଗତ ଜୁଲାଇ ୧୯ ସୁଦ୍ଧା ବିସିସିଆଇ କିମ୍ବା ରାଜ୍ୟ କ୍ରିକେଟ୍‌ ଆସୋସିଏସ୍‌ରେ ୭୦ ବର୍ଷ ବୟସ ପାର କରିଥିବା ବ୍ୟକ୍ତି ପଦ ହରାଇଥିଲେ। ତେଣୁ ଗତ ବୁଧବାର ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକରେ ରାଜୀବ ଶୁକ୍ଳା ଅଧ୍ୟକ୍ଷତା କରିଥିଲେ। ୨୦୧୫ରେ କଂଗ୍ରେସ ନେତା ରାଜୀବ ଶୁକ୍ଳା ଆଇପିଏଲ୍‌ର ଅଧ୍ୟକ୍ଷ ଦାୟିତ୍ବ ପାଇଥିଲେ। ପରେ ୨୦୨୦ ଡିସେମ୍ବରରେ ଶୁକ୍ଳା ବିନା ପ୍ରତିଦ୍ବନ୍ଦ୍ବିତାରେ ବିସିସିଆଇ ଉପସଭାପତି ନିର୍ବାଚିତ ହୋଇଥିଲେ। ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଏବେ ବିସିସିଆଇର ସମ୍ପାଦକ ଥିବା ଦେବଜିତ ସାଇକିଆ, ଆଇପିଏଲ୍‌ ଅଧ୍ୟକ୍ଷ ଥିବା ଅରୁଣ ସିଂହ ଧୁମଲ ଓ କୋଷାଧ୍ୟକ୍ଷ ଥିବା ଅନିରୁଦ୍ଧ ଚୌଧୁରୀଙ୍କ ମଧ୍ୟରୁ ଜଣେ ସମ୍ପାଦକ ନିର୍ବାଚିତ ହୋଇପାରନ୍ତି। ତେବେ ଆସାମର​‌ ଦେବଜିତ ସାଇକିଆ ସମ୍ପାଦକ ପଦ ବଜାୟ ରଖିବା ସମ୍ଭାବନାକୁ ଏଡ଼ାଇ ଦିଆ ଯାଇପାରିବ ନାହିଁ। ଅନ୍ୟପକ୍ଷରେ ଅନିରୁଦ୍ଧ ଚୌଧୁରୀଙ୍କୁ ଆଇପିଏଲ୍‌ ଅଧ୍ୟକ୍ଷ କରା ଯାଇପାରେ। ୩ ବର୍ଷ ଧରି ବିସିସିଆଇ ଯୁଗ୍ମ ସମ୍ପାଦକ ରହିବା ପରେ ହିମାଚଳ ପ୍ରଦେଶର ଅରୁଣ ଧୁମଲ ୨୦୨୨ରୁ ଆଇପିଏଲ୍‌ ଅଧ୍ୟକ୍ଷ ରହିଛନ୍ତି। ତେବେ ଧୁମଲଙ୍କୁ କୁଲିଂ ଅଫ୍ ପିରିଅଡ୍‌ ଆବଶ୍ୟକ କି ନାହିଁ; ତାହା କିଛିଦିନ ମଧ୍ୟରେ ଜଣାପଡ଼ିବ। ୨୦୧୫ ଜାନୁଆରୀ ୧୨ରୁ ବିସିସିଆଇ ସମ୍ପାଦକ ଥିବା ଦେବଜିତ ସାଇକିଆଙ୍କ କାମରେ ସମସ୍ତେ ସନ୍ତୁଷ୍ଟ ଅଛନ୍ତି। ପୂର୍ବରୁ ସାଇକିଆ ଆସାମ କ୍ରିକେଟ୍‌ ଆସୋସିଏସନ୍‌ର ସମ୍ପାଦକ ଓ ବିସିସିଆଇର ଯୁଗ୍ମ ସମ୍ପାଦକ ଥିଲେ। ପୁଣି ଗୋଆର ରୋହଣ ଦେଶାଇ ବିସିସିଆଇର ଯୁଗ୍ମ ସମ୍ପାଦକ ଓ ଛତିଶଗଡ଼ର ପ୍ରଭତେଜ ସିଂହ ଭାଟିଆ କୋଷାଧ୍ୟକ୍ଷ ଭାବେ ଆଉ ଏକ କାର୍ଯ୍ୟକାଳ ରହିପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    49 %
    2.1kmh
    0 %
    Wed
    27 °
    Thu
    40 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ