ବିମାନରେ ପାୱାର ବ୍ୟାଙ୍କ ନେବା ମନା । ଏହି ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA । ବିମାନରେ ଯାତ୍ରା ସମୟରେ ଫୋନ୍ ଓ ଅନ୍ୟାନ୍ୟ ଡିଭାଇସ୍ ଚାର୍ଜିଂ ପାଇଁ ବ୍ୟବହୃତ ପାୱାର ବ୍ୟାଙ୍କ ଓ ପୋର୍ଟେବଲ୍ ଚାର୍ଜର ବ୍ୟବହାର ଉପରେ କଟକଣା ଜାରି କରିଛି ଡିଜିସିଏ । ପାୱାରବ୍ୟାଙ୍କରେ ବ୍ୟବହୃତ ଲିଥିୟମ୍ ବ୍ୟାଟେରୀ ହଠାତ ଗରମ ହୋଇ ଯାଉଥିବାରୁ ଓ ଏଥିରେ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଉଥିବାରୁ ଏହାର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ବିଶ୍ବର ବିଭିନ୍ନସ୍ଥାନରେ ଲଗାତାର ଏପରି ଦୁର୍ଘଟଣାମାନ ଘଟୁଥିବାରୁ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ଏହି ନିଷ୍ପତ୍ତି ନେଇଛି DGCA ।
ତେବେ ଗତ ନଭେମ୍ବରରେ ବିମାନରେ ପାୱାର ବ୍ୟାଙ୍କ ଓ ବ୍ୟାଟେରୀ ସ୍ପେୟାରର ବ୍ୟବହାରକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଦର୍ଶାଇଥିଲା ଡିଜିସିଏ । ବିମାନ ଉଡ଼ୁଥିବା ବେଳେ ଯଦି ଏହିପରି ଡିଭାଇସରେ ହଠାତ ନିଆଁ ଲାଗେ, ତେବେ ଏହାକୁ ଚିହ୍ନଟ କରିବା ମୁସ୍କିଲ । ଏଣୁ ବିମାନ ଯାତ୍ରା ବେଳେ ପାୱାରବ୍ୟାଙ୍କ ଭଳି ଚାର୍ଜିଂ ଡିଭାଇସ୍ ପରିବହନ କରିବା ଅମାନ୍ୟ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲା DGCA ।
ସେପଟେ ବିଭିନ୍ନ ବିମାନ କମ୍ପାନୀଗୁଡ଼ିକୁ ମଧ୍ୟ ଏହାର ପରିବହନ ଉପରେ କଟକଣା ଜାରି କରିଛନ୍ତି DGCA । ଯାତ୍ରୀମାନେ ବ୍ୟବହୃତ କରୁଥିବା ପାୱାର ବ୍ୟାଙ୍କ, ପୋର୍ଟେବୁଲ୍ ଚାର୍ଜର ସହ ଜଡ଼ିତ ଡିଭାଇସ୍ ଗୁଡ଼ିକର ଯାଞ୍ଚ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି DGCA । ନିକଟରେ ଚୀନର A୩୨୧ ନାମକ ଏକ ବିମାନରେ ଜଣେ ଯାତ୍ରୀ ବହନ କରିଥିବା ପାୱାର ବ୍ୟାଙ୍କରେ ନିଆଁ ଲାଗି ଯାଇଥିଲା। ବିମାନଟି ହାଙ୍ଗଝୋଉରୁ ସିଓଲ ଅଭିମୁଖେ ଯାଉଥିବା ବେଳେ ମଝି ଆକାଶରେ ଏ ଅଘଟଣ ଘଟିଥିଲା । କ୍ୟାବିନ୍ ସାରା ଧୂଆଁମୟ ହୋଇଯିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ ।

