ବିହାର : ବିହାର ବୋର୍ଡରେ ଆଜି ୧୦ମ ପରୀକ୍ଷା ଆରମ୍ଭ ହୋଇଛି । ପରୀକ୍ଷାରେ କିଛି ଭୁଲ ନହେବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଦୁଇଟି ସିପ୍ଟରେ ପରୀକ୍ଷା ହେବ । ପରୀକ୍ଷା ପାଇଁ ସାରା ରାଜ୍ୟରେ ୧୬୯୯ଟି ସେଣ୍ଟର କରାଯାଇଛି । ପରୀକ୍ଷାର ପ୍ରଥମ ଦିନରେ ବିହାରର ଅଲଗା ଅଲଗା ଜିଲ୍ଲାରେ ଛାତ୍ରଛାତ୍ରୀମାନେ ବିଳମ୍ବରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ଏଣ୍ଟ୍ରି କରାଯାଇନଥିଲା । ଯାହାଦ୍ବାରା ସେମାନେ ଗେଟ୍ ପାଖରେ କାନ୍ଦିବାକୁ ଆରମ୍ଭ କରିଥିଲେ ।
ସେହି ସମାନ ଦୃଶ୍ୟ ପାଟନାର ଦୁଇଟି ଭିନ୍ନ ଭିନ୍ନ ସେଣ୍ଟରରେ ଦେଖିବାକୁ ମିଳିଥିଲା । ପରୀକ୍ଷା ସେଣ୍ଟରର ଗେଟ୍ ଠିକ୍ ୯ଟାରେ ବନ୍ଦ ହୋଇଯାଇଥିଲା । କମଳା ନେହେରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଝିଅ ଡେରିରେ ପହଞ୍ଚିବାରୁ ତାଙ୍କୁ ଭିତରକୁ ଛଡ଼ାଯାଇ ନଥିଲା । କିନ୍ତୁ ଝିଅଟିର ବାପା ତାଙ୍କୁ ଗେଟ୍ ପାର କରିବାରେ ସାହାଯ୍ୟ କରିଥିଲେ ।
ପାଟନାର ଆଉ ଏକ ସେଣ୍ଟର ଚିତକୋହରା ସ୍ଥିତ ଶ୍ରୀ ଦାରୋଗା ପ୍ରସାଦ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଖିଲ ନାମକ ଜଣେ ଛାତ୍ରଙ୍କୁ ପରୀକ୍ଷା ଦେବାରୁ ବାରଣ କରାଯାଇଥିଲା । ସେ କିଛି ମିନିଟ୍ ଡେରିରେ ପହଞ୍ଚିଥିଲେ । ନିଖିଲଙ୍କ ଅନୁଯାୟୀ, ସେ ମାତ୍ର ଦୁଇ ମିନିଟ୍ ବିଳମ୍ବରେ ଆସିଥିଲେ । ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା । ସେ ମାନେରରୁ ଆସିଛନ୍ତି ବୋଲି କହିଥିଲେ । ପରୀକ୍ଷା ସେଣ୍ଟରଠାରୁ ୨୦୦ ମିଟର ଦୂରରେ ପ୍ରବଳ ଟ୍ରାଫିକ ଜାମ୍ ଥିବାରୁ ସେ ବିଳମ୍ବରେ ପହଞ୍ଚିଥିଲେ ।
ସେହିପରି ପାଟନା ସମେତ ବେଟିଆରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ମାଟ୍ରିକ୍ ପରୀକ୍ଷା ଦେଉଥିବା କିଛି ଝିଅ ଠିକ୍ ସମୟରେ ପରୀକ୍ଷା ସେଣ୍ଟରରେ ପହଞ୍ଚି ପାରି ନଥିଲେ । ତେଣୁ ସେମାନେ ସେଣ୍ଟର ଭିତରେ ପ୍ରବେଶ କରିପାରି ନଥିଲେ । ପ୍ରବଳ ଟ୍ରାଫିକ୍ ଭିଡ଼ ଯୋଗୁଁ ଛାତ୍ରମାନେ ଡେରିରେ ପହଞ୍ଚିଥିବା ଅଭିଯୋଗ କରିଥିଲେ । ଯେତେବେଳେ ସେମାନେ ପରୀକ୍ଷା ସେଣ୍ଟରରେ ପହଞ୍ଚିଲେ ସେତେବେଳେ ଗେଟ୍ ବନ୍ଦ ଥିଲା ଏବଂ ସେମାନଙ୍କୁ ଏଣ୍ଟ୍ରି କରିବାକୁ ବାରଣ କରାଯାଇଥିଲା । ସେଣ୍ଟରରେ ଏଣ୍ଟ୍ରି ନକରିପାରିବାରୁ ଝିଅମାନେ ଗେଟ୍ ପାଖରେ କାନ୍ଦିବାକୁ ଲାଗିଲେ । ଏହି ଘଟଣା ଆମନା ଉର୍ଦ୍ଦୁ ପ୍ଲସ୍ ଟୁ ସ୍କୁଲ ପରୀକ୍ଷା ସେଣ୍ଟରରେ ଘଟିଥିଲା । ଯେଉଁଠାରେ ଅନେକ ଛାତ୍ରୀଙ୍କୁ ଏଣ୍ଟ୍ରି ପାଇଁ ମନା କରାଯାଇଥିଲା ।

