ବିହାର : ଆଜି ବିହାର ବିଧାନସଭାକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି। ଘଟଣାକୁ ନେଇ ବିଧାନସଭା ପରିସରରେ ବ୍ୟାପକ ପୁଲିସ ମୃତୟନ କରାଯାଇଛି। ଘଟଣାକୁ ନେଇ ସଚିୱାଲେ-୧ ସବଡିଭିଜନାଲ୍ ପୁଲିସ ଅଧିକାରୀ (SDPO) ଅନୁ କୁମାରୀ କହିଛନ୍ତି, ଆମେ ସୂଚନା ପାଇଲୁ ଯେ ବିହାର ବିଧାନସଭା ଅଧିକାରୀମାନେ ବୋମା ଧମକ ସମ୍ବଳିତ ଏକ ଇମେଲ୍ ପାଇଛନ୍ତି। ପୁଲିସ ଏବେ ବିଧାନସଭା ପରିସରରେ ସମ୍ପୂର୍ଣ୍ଣ ଯାଞ୍ଚ କରୁଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ବିଧାନସଭା ପରିସରରେ ବୋମା ଏବଂ କୁକୁର ସ୍କ୍ବାଡ୍ ଦଳ ନିୟୋଜିତ କରାଯାଇଛି। ତଲାସି ଜୋରଦାର କରାଯାଉଛି ବୋଲି ସେ କହିଛନ୍ତି। ମାର୍ଚ୍ଚ ୧୩ ତାରିଖରେ ମଧ୍ୟ ବିଧାନସଭାକୁ ସମାନ ଧମକ ମିଳିଥିଲା। ଯାହା ପରେ ମିଥ୍ୟା ବୋଲି ଜଣାପଡ଼ିଲା।
ଇ-ମେଲଟି ସକାଳ ୮.୧୪ ରେ ବିଧାନସଭା ସହିତ ଜଡିତ ଥିବା ସମେତ ଅନେକ ସରକାରୀ ମେଲରେ ପହଞ୍ଚିଥିଲା। ଏହି ଚିଠିରେ ବିଧାନସଭା, ସଚିବାଳୟ, କିଛି ସ୍କୁଲ ଏବଂ ଏକ ମେଟ୍ରୋ ଷ୍ଟେସନରେ ଦିନର ବିଭିନ୍ନ ସମୟରେ ସମ୍ଭାବ୍ୟ ବିସ୍ଫୋରଣ ହେବାର ଧମକ ଦିଆଯାଇଥିଲା। ଇମେଲରେ ଉଲ୍ଲେଖ କରାଯାଇଥିବା ସମସ୍ତ ସ୍ଥାନ ଯାଞ୍ଚ କରାଯାଉଛି। କେନ୍ଦ୍ରୀୟ ଏବଂ ସମ୍ବେଦନଶୀଳ ଜୋନରେ ସୁରକ୍ଷା ବୃଦ୍ଧି କରାଯାଇଛି। ଅତିରିକ୍ତ କର୍ମଚାରୀ ନିୟୋଜିତ ଏବଂ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଉପରେ କଡ଼ା ନଜର ରଖାଯାଇଛି। ଇମେଲର ଉତ୍ପତ୍ତି ଖୋଜିବା ଏବଂ ପ୍ରେରକଙ୍କୁ ଚିହ୍ନଟ କରିବା ପାଇଁ ସାଇବର ଦଳ ନିୟୋଜିତ କରାଯାଇଛି।
