ବିହାର : ବିହାର ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଏହା ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜେପି । ବିଜେପି ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି । ବିହାର ସମେତ ତିନୋଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ ମୁଖପାତ୍ର ନିଯୁକ୍ତ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେ ପୂର୍ବରୁ ବିହାର ନିର୍ବାଚନ ପାଇଁ ବିଜେପିର ସହ-ପ୍ରଭାରୀ ଏବଂ ରାଜ୍ୟ ପ୍ରଭାରୀ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ଏହାସହିତ ସି.ଆର ପାଟିଲଙ୍କୁ ସହ ମୁଖପାତ୍ର ଏବଂ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ ପ୍ରଭାରୀ ନିଯୁକ୍ତି ଦେଇଛି ଦଳ ।
ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଆଜି ଏକ ଚିଠି ଜାରି କରି ନୂତନ ପଦାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିହାର ନିର୍ବାଚନ ବ୍ୟତୀତ ବିଜେପି ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି । ସାଂସଦ ବିପ୍ଳବ ଦେବଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି । ରାଜ୍ୟମନ୍ତ୍ରୀ ମୁରଲୀଧର ମାହୋଲଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଦଳ ।
ତେବେ ଅକ୍ଟୋବର ୬ ପରେ ଯେକୌଣସି ସମୟରେ ନିର୍ବାଚନ ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇପାରେ । ମୁଖ୍ୟ ନିର୍ବାଚନ କମିଶନର ଅକ୍ଟୋବର ୬ ପରେ ବିହାର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ କମିଶନ ବିହାରର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି ଯେ, ସମସ୍ତ ସ୍ଥାନାନ୍ତର ଏବଂ ପୋଷ୍ଟିଂ ପ୍ରକ୍ରିୟା ଅକ୍ଟୋବର ୬ ସୁଦ୍ଧା ସମାପ୍ତ କରି କମିଶନଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ହେବ ।