Monday, January 19, 2026
13.6 C
Odisha

    ବେକାର ଗଲା କୋହଲିଙ୍କ ଲଢ଼ୁଆ ଶତକ, ଭାରତ ମାଟିରେ ନ୍ୟୁଜିଲାଣ୍ଡର ଐତିହାସିକ ଶୃଙ୍ଖଳା ବିଜୟ

    ଆଗକୁ ପଢନ୍ତୁ

    ଭାରତୀୟ କ୍ରିକେଟ୍‌ ଦଳର ଆଉ ଏକ ଘରୋଇ ଦୁର୍ଗ ଭୁଶୁଡ଼ିଛି । ଘରୋଇ ପରିବେଶରେ ଟିମ୍‌ ଇଣ୍ଡିଆର ଦିନିକିଆ ଶୃଙ୍ଖଳା ବିଜୟ ଧରାରେ ଅପ୍ରତ୍ୟାଶିତ ଭାବେ ବ୍ରେକ୍‌ ଲାଗିଛି । ୬ଜଣ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ରବିବାର ତୃତୀୟ ଦିନିକିଆକୁ ୪୧ ରନ୍‌ରେ ଜିତି ନ୍ୟୁଜିଲାଣ୍ଡ ତାରକା ଖଚିତ ଭାରତୀୟ ଦଳକୁ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ହରାଇ ଦେଇଛି । ଭାରତୀୟ ପ୍ରଶଂସକଙ୍କ ପାଇଁ ଏହି ପରାଜୟ କୌଣସି ବଡ଼ ଝଟକାଠାରୁ କିଛି କମ୍ ହୋଇନି । ଅନଭିଜ୍ଞ ନ୍ୟୁଜିଲାଣ୍ଡଠାରୁ ଟିମ୍‌ ଇଣ୍ଡିଆ ଘରୋଇ ପରିବେଶରେ ଶୃଙ୍ଖଳା ହାରିବା ପରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଯୁବ ଅଧିନାୟକ ଶୁବମନ୍‌ ଗିଲ୍‌ଙ୍କ ରଣନୈତିକ ଦକ୍ଷତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯୮୮ ମସିହା ପରେ ୮ଟି ପ୍ରୟାସ ପରେ ଭାରତରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ଏକଦିବସୀୟ ଶୃଙ୍ଖଳା ବିଜୟ ଥିଲା । ଦୁଇବର୍ଷ ତଳେ ନ୍ୟୁଜିଲାଣ୍ଡ ହିଁ ଭାରତର ଟେଷ୍ଟ୍‌ ଦୁର୍ଗକୁ ଭାଙ୍ଗି ୩-୦ରେ ଶୃଙ୍ଖଳା ମୂଳପୋଛ କରିଥିଲା। ଏବେ ଦିନିକିଆରେ ୦-୧ରେ ପଛୁଆ ରହିବା ସତ୍ତ୍ବେ ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଜିତି ଭାରତ ବିପକ୍ଷରେ ଭାରତ ମାଟିରେ ୨-୧ରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିଛି। ରବିବାର ନିର୍ଣ୍ଣାୟକ ତୃତୀୟ ମୁକାବିଲାରେ ଭାରତୀୟ ଦଳ ସମ୍ମୁଖରେ ନ୍ୟୁଜିଲାଣ୍ଡ ୩୩୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ କିଂବଦନ୍ତି ବିରାଟ କୋହଲିଙ୍କ ଲଢ଼ୁଆ ଓ ସାହସିକ ଶତକ ସତ୍ତ୍ବେ ଭାରତ ୪ ଓଭର ପୂର୍ବରୁ ୨୯୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଦିନିକିଆ କ୍ରିକେଟ୍‌ରେ ଆଉ ଏକ ଲଜ୍ଜାଜନକ ସ୍ତର ଛୁଇଁଥିଲା । ୨୦୨୨ ଅକ୍ଟୋବର ମାସ ପରେ ଭାରତୀୟ ଦଳ ମଧ୍ୟ ଟସ୍‌ ଜିତିବା ପରେ ପ୍ରଥମ ପରାଜୟ ବରଣ କରିଥିଲା । ଏହା ପରେ ଭାରତୀୟ ଦଳ ଘରେ ଲଗାତାର ୧୩ଟି ଦିନିକିଆ ଜିତିଥିଲା । ରବିବାର ୧୩୭ ରନ୍‌ର ଦ୍ରୁତ ପାଳି ଖେଳିବା ସହ ଶୃଙ୍ଖଳାରେ ମୋଟ ୩୫୨ ରନ୍‌ କରିଥିବା ଡାରିଲ ମିଚେଲ ଉଭୟ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳଳି ବିବେଚିତ ହୋଇଥିଲେ ।
    ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୫୦ ଓଭରରେ-୩୩୭/୮ (ଡାରିଲ ବିଚେଲ ୧୩୭, ଗ୍ଲେନ୍‌ ଫିଲିପ୍ସ ୧୦୬, ମାଇକେଲ ବ୍ରାସୱେଲ୍ ୨୮, ଅର୍ଶଦୀପ ସିଂହ ୩/୬୩, ହର୍ଷିତ ରାଣା ୩/୮୪) । ଭାରତ ୪୬ ଓଭରରେ-୨୯୬ (ବିରାଟ କୋହଲି ୧୨୪, ନୀତୀଶ କୁମାର ରେଡ୍ଡୀ ୫୩, ହର୍ଷିତ ରାଣା ୫୨, କ୍ରିଷ୍ଟିନ କ୍ଲାର୍କ ୩/୫୪, ଜେଡେନ ଲେନକ୍ସ ୨/୪୨, ଜ୍ୟାକ୍‌ ଫକ୍ସ ୩/୭୭)

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.6 ° C
    13.6 °
    13.6 °
    57 %
    1.2kmh
    0 %
    Mon
    31 °
    Tue
    31 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ