ବ୍ରହ୍ମପୁର : ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ତୃତୀୟ ତମ କୁଳପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଫ୍ରଫେସର ଅସୀମା ସାହୁ । ବିଶ୍ୱବିଦ୍ୟାଳୟ କୁଳପତି ଦାୟିତ୍ୱରେ ଥିବା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଅନୁଷ୍ଠାନିକ ଭାବେ ନୂତନ କୁଳପତି ଫ୍ରଫେସର ଅସୀମା ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। କୁଳପତି ଭାବେ ଅସୀମା ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପିତ ହରିହର ମର୍ଦ୍ଦରାଜ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପରେ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ନୂତନ କୁଳପତିଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱବିଦ୍ୟାଳୟର ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଏବଂ ବିଭିନ୍ନ ବିଭାଗର ପୁନଃ ସ୍ଥାପନ ପାଇଁ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ଏହାସହିତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସହିତ ଆଲୋଚନା କରି ବିଶ୍ୱବିଦ୍ୟାଳୟର ସମାସ୍ୟକୁ ସମାଧାନ କରିବେ ବୋଲି କୁଳପତି ପ୍ରଫେସର ଅସୀମା ସାହୁ ସମାଜକୁ ସୂଚନା ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଘୋଷଣା ହେବା ପରେ ପ୍ରଥମ କୁଳପତି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ୦୧.୦୮.୨୦୨୧ ଠାରୁ ୩୧.୦୧.୨୦୨୪ ପର୍ଯ୍ୟନ୍ତ ନିଜ କାର୍ଯ୍ୟ ନିର୍ବାହ କରିଥିଲେ। ପରବର୍ତ୍ତୀ କୁଳପତି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେ ୩୧.୦୧.୨୦୨୪ ଠାରୁ ୦୧.୦୪.୨୦୨୬ ପର୍ଯ୍ୟନ୍ତ ଅତିରକ୍ତ ଦାୟିତ୍ୱରେ ଥିଲେ। ଆଜି ନୂତନ କୁଳପତି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ପ୍ରଫେସର ଥିବା ଅସୀମା ସାହୁ ଆଜିଠାରୁ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି।
