ରେଙ୍ଗାଳି / କଣିଁହା : ସମାଜରେ ବଡ ଭାଉଜଙ୍କୁ ମାଆର ସମ୍ମାନ ଦିଆଯାଇଥିବା ବେଳେ, ଦିଅର ଭାଉଜ ସମ୍ପର୍କରେ ଲାଗିଲା କଳଙ୍କ । ଦିଅର ଅତ୍ୟାଚାରରେ ଭାଉଜ ହେଲେ ଥାନାର ଦ୍ଵାରସ୍ଥ ।ଥରେ ନୁହେଁ କି ଦୁଇଥର ନୁହେଁ, ବାରମ୍ବାର ଦିଅରର ଏଭଳି ଅମାନୁଷିକତା ସହ୍ୟ ନକରିପାରି ପୋଲିସର ଆଶ୍ରୟ ନେଲେ ମହିଳା ଓ ତାଙ୍କ ପରିବାର ଲୋକ । ସୂଚନା ଅନୁଯାଇ, ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ଅନ୍ତର୍ଗତ ରେଙ୍ଗାଳି ଥାନା ଅଞ୍ଚଳରେ ରହନ୍ତି (ଭାଉଜ )ଉକ୍ତ ମହିଳା ।
ନିଜର ପନ୍ଦର ବର୍ଷର ଝିଅ, ଶାଶୁ, ତିନିଜଣ ଦିଅର ଓ ଦୁଇଜଣ ଜାଆଙ୍କ ସହ ରୁହନ୍ତି ଉକ୍ତ ମହିଳା । ମହିଳାଙ୍କ ସ୍ୱାମୀ ଆଜୀବନ କାରା ଦଣ୍ଡାଦେଶରେ ତାଳଚେର ଜେଲ୍ ରେ ଥିବାବେଳେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଝିଅକୁ ନେଇ ରୁହନ୍ତି ଉକ୍ତ ମହିଳା । ଦୁଇଜଣ ଦିଅର ବାହାଘର ହୋଇଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ପରିବାର ଠାରୁ ଦୂରରେ ରହନ୍ତି । ପରିବାରର ଭଲମନ୍ଦ ବୁଝିବାପାଇଁ ଘରେ ରହୁଥିଲେ ଅଭିଯୁକ୍ତ ଦିଅର ।
ଦିଅର ଖରାପ ନଜର ରଖିଆସୁଥିଲେ ଭାଉଜଙ୍କ ଉପରେ । ଭାଉଜଙ୍କ ସହିତ ଜୋରଜବରଦସ୍ତ ସମ୍ପର୍କ ରଖିବାକୁ ପୂର୍ବରୁ ଚେଷ୍ଟା କରିଆସୁଥିଲେ । ଏଭଳି ଘୃଣ୍ୟ କର୍ମରେ ପୂର୍ବରୁ ସଫଳ ହେଇପାରି ନଥିବାବେଳେ ନିଶାସକ୍ତ ଅବସ୍ଥାରେ ପୁଣି ପ୍ରେମ ନିବେଦନ କରିଥିଲେ ଭାଉଜଙ୍କୁ । ଭାଉଜ ନିଜ ଦିଅରମାନଙ୍କୁ ପୁଅ ଭଳି ଦେଖୁଥିବାବେଳେ ଏଭଳି କୁକର୍ମ ପାଇଁ ମନାକରି ଦେଇଥିଲେ ।
ଅଭିଯୁକ୍ତ ଦିଅର ନିଜର କାମୁକ ଭାବନାରେ ସଫଳ ନହେବାରୁ ଭାଉଜଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟାକରି ମରଣାନ୍ତକ ଆକ୍ରମଣ କରିଥିଲେ । ହେଲେ ଭାଉଜ ଓ ଝିଅ ସେଠାରୁ ଖସି ପଳାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ପରିବାର ଲୋକଙ୍କ ବୟାନ ନେଇ ଅଭିଯୁକ୍ତ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପିଡିତାଙ୍କର ଡାକ୍ତରୀ ମାଏନା କରିଛି ।