ଭୁବନେଶ୍ୱର : ଜାନୁଆରୀ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ସ୍କୁଲ ରଗ୍ବୀ ସେଭେନ୍ସ ଚାମ୍ପିୟନ୍ସିପ୍ ରେ କିସ୍ର ଉଭୟ ବାଳକ ଓ ବାଳିକା ରଗବୀ ଦଳ ଭାରତକୁ ପ୍ରତିନିଧିତ୍ୱ କରିବେ । ଏହି ଚାମ୍ପିୟନ୍ସିପ୍ ରେ ବିଭିନ୍ନ ଏସୀୟ ଦେଶର ସ୍କୁଲ ଓ କଲେଜ ଦଳ ଅଂଶଗ୍ରହଣ କରିବେ । ଥାଇ ରଗବୀ ୟୁନିଅନ୍ ଦ୍ୱାରା ଆୟୋଜିତ ଏହି ଚାମ୍ପିୟନ୍ସିପ୍ ରେ ଆୟୋଜକ ଥାଇଲ୍ୟାଣ୍ଡ ବ୍ୟତୀତ ଲାଓସ୍ , ମାଲେସିଆ, ପାକିସ୍ତାନ, ଚାଇନିଜ୍ ତାଇପେଇ ଭଳି ଦେଶ ଅଂଶଗ୍ରହଣ କରୁଛନ୍ତି ।
୧୪ ଜଣିଆ କିସ୍ ଇଣ୍ଡିଆ ବାଳକ ଦଳର ଅଧିନାୟକ ବିଦ୍ୟାଧର ମାଝୀ ରହିଥିବା ବେଳେ ପ୍ରଶିକ୍ଷକ ଯଶୋବନ୍ତ କୁମୁରା ଓ ମ୍ୟାନେଜର ଅଛନ୍ତି କନ୍ଦନ ମୁର୍ମୁ । ସେହିପରି ୧୪ ଜଣିଆ କିସ୍ ଇଣ୍ଡିଆ ବାଳିକା ଦଳର ଅଧିନାୟକ ମାମାଲି ସିଂହ ରହିଥିବା ବେଳେ ପ୍ରଶିକ୍ଷକ ହିରାନୋ ମିକିନୋରି ଓ ମ୍ୟାନେଜର ନିର୍ମାଲ୍ୟ ରାଉତ ଦଳରେ ସାମିଲ ହୋଇଛନ୍ତି। ଦଳ ୭ ତାରିଖରେ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିବ । ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଉଭୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ଏହା ସହ ସେ ଚାମ୍ପିୟନସିପ୍ ରେ ଉଭୟ ଦଳର ସଫଳତା କାମନା କରିଛନ୍ତି । ଭାରତୀୟ ରଗବୀ ଫୁଟବଲ୍ ୟୁନିଅନ୍ ଓ ଓଡ଼ିଶା ରଗବୀ ଫୁଟବଲ୍ ଆସୋସିଏସନ୍ ର ସଦସ୍ୟମାନେ ମଧ୍ୟ ଉଭୟ ଦଳକୁ ଅଭିନନ୍ଦନ ଜଣାଇ ଚାମ୍ପିୟନସିପ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଓଡ଼ିଶା ରଗବୀ ଫୁଟବଲ୍ ଆସୋସିଏସନ୍ ର ଉପସଭାପତି ଉପେନ୍ଦ୍ର ମହାନ୍ତି, କିଟ୍ ର କ୍ରୀଡ଼ା ଏବଂ ଯୋଗ ସ୍କୁଲ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

