Tuesday, March 31, 2026
25.7 C
Odisha

    ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତ ବିଶ୍ବର ଦ୍ବିତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ରଭାବେ ମାନ୍ୟତା ହାସଲ କରିଛି। ବିଶ୍ବରେ ଆମଦାନୀ ହେଉଥିବା ମୋଟ ଅସ୍ତ୍ରଶସ୍ତ୍ରର ୮ ପ୍ରତିଶତ ଭାରତ କ୍ରୟ କରୁଛି। ଦୁଇ ପଡୋଶୀ ରାଷ୍ଟ୍ର ଚୀନ ଓ ପାକିସ୍ତାନ ପାଇଁ ଭାରତ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାକୁ ବାଧ୍ୟ ହେଉଛି ବୋଲି ସ୍ବିଡେନ ସଂସ୍ଥା ସିପ୍ରି (ଷ୍ଟକ୍‌ହୋମ ଇଣ୍ଟରନ୍ୟାସନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଅବଶ୍ୟ ‘ଆତ୍ମନିର୍ଭର ଭାରତ’ ଯୋଜନା ଅନୁଯାୟୀ ଭାରତ ନିଜ ଦେଶରେ ଅଧିକାଂଶ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି। ତେବେ ଏହା ମୋଟ ଆବଶ୍ୟକତାକୁ ପୂରଣ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇପାରୁନାହିଁ। ଭାରତ ନିକଟରେ ୧୧୪ ରାଫେଲ ଯୁଦ୍ଧବିମାନ କିଣିବାକୁ ଫ୍ରାନ୍ସ ସହ ରାଜିନାମା ସ୍ବାକ୍ଷର କରିଥିବାବେଳେ ଜର୍ମାନୀ ନିକଟରୁ ୬ଟି ବୁଡାଜାହାଜ ମଧ୍ୟ କିଣିବାକୁ ଯୋଜନା ରଖିଛି। ଅବଶ୍ୟ ୨୦୧୬-୨୦୨୦ ଏବଂ ୨୦୨୧-୨୦୨୫ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀ ୪ ପ୍ରତିଶତ ହ୍ରାସ ପାଇଛି। ଅସ୍ତ୍ରଶସ୍ତ୍ର ଆମଦାନୀ ପ୍ରସଙ୍ଗରେ ୟୁକ୍ରେନ ତାଲିକାର ଶୀର୍ଷରେ ରହିଛି।

    ୨୦୨୧ରୁ ୨୦୨୫ ପର୍ଯ୍ୟନ୍ତ ୟୁକ୍ରେନ ୯.୭ ପ୍ରତିଶତ ଅସ୍ତ୍ରଶସ୍ତ୍ର ଆମଦାନୀ କରିଥିବା ଜଣାପଡିଛି। ଭାରତ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ରୁଷ୍‌ ସର୍ବୋଗ୍ରେ ରହି ଆସୁଛି। ତେବେ ଆତ୍ମନିର୍ଭର ଭାରତ ଯୋଜନା କାର୍ଯ୍ୟକାରୀ ହେବାପରଠାରୁ ରୁଷ୍‌ରୁ ଅସ୍ତ୍ରଶସ୍ତ୍ର ଆମଦାନୀ ଯଥେଷ୍ଟ ହ୍ରାସ ପାଇଥିବା କୁହାଯାଇଛି। ରୁଷ୍‌ ପରେ ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ରାଷ୍ଟ୍ର ଭାବେ ଫ୍ରାନ୍ସ ଓ ଇସ୍ରାଏଲ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରୁଷ୍‌ ଭାରତକୁ ଆବଶ୍ୟକତାର ୪୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ରପ୍ତାନି କରୁଥିବାବେଳେ ଫ୍ରାନ୍ସ ୨୯ ପ୍ରତିଶତ ଏବଂ ଇସ୍ରାଏଲ ୧୫ ପ୍ରତିଶତ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି। ଅପରପକ୍ଷରେ ୨୦୧୬ରୁ ୨୦୨୫ ମଧ୍ୟରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଆମଦାନୀ ୬୬ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡିଛି। ୨୦୧୬-୨୦ ମଧ୍ୟରେ ଚୀନ ପକ୍ଷରୁ ପାକିସ୍ତାନକୁ ୮୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିବାବେଳେ ୨୦୨୧-୨୦୨୫ ମଧ୍ୟରେ ଏହା ୭୩ ପ୍ରତିଶତ ରହିଥିବା ପ୍ରକାଶ। ୨୦୨୬-୨୭ ବଜେଟରେ ଭାରତ ପ୍ରତିରକ୍ଷା ବାବଦକୁ ୭.୮୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛି। ଏଥିରେ ଲଢୁଆ ଜେଟ୍‌, ହେଲିକପ୍ଟର, ବୁଡାଜାହାଜ, ତୋପ, କ୍ଷେପଣାସ୍ତ୍ର, ରକେଟ ଏବଂ ଡ୍ରୋନ କିଣାକିଣି ବାବଦକୁ ୨.୧୯ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ