Tuesday, April 7, 2026
25.2 C
Odisha

    ଭୁବନେଶ୍ବର ବିମାନବନ୍ଦରରେ ରେକର୍ଡ ଯାତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ୨୦୨୫ରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୫୧,୫୨,୭୬୫ ଯାତ୍ରୀ ଯାତାୟାତ କରିଛନ୍ତି। ବର୍ଷକରେ ମୋଟ ୩୮,୫୪୭ଟି ବିମାନ ଉଡ଼ାଣ ଓ ଅବତରଣ କରିଛି। ୨୦୨୫ରେ ବିମାନ ଯାତ୍ରୀ ଯାତାୟାତ କ୍ଷେତ୍ରରେ ଉକ୍ତ ବିମାନବନ୍ଦର ସର୍ବକାଳୀନ ରେକର୍ଡ ହାସଲ କରିଛି। ପୂର୍ବବର୍ଷଗୁଡ଼ିକରେ ଏତେ ସଂଖ୍ୟକ ଯାତ୍ରୀ ଯାତାୟାତ କରୁ ନଥିଲେ। ୭କୋଟି ଯାତ୍ରୀଙ୍କ ଯାତାୟାତ ସହ ଦିଲ୍ଲୀ ବିମାନ ବନ୍ଦର ଦେଶରେ ଶୀର୍ଷରେ ରହିଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାତ୍ରୀ ପରିବହନ କ୍ଷେତ୍ରରେ ଦେଶରେ ୧୩ତମ ସ୍ଥାନରେ ରହିଛି। ବର୍ତ୍ତମାନ ଉକ୍ତ ବିମାନ ବନ୍ଦରରୁ ଦେଶ ଓ ବିଦେଶର ମୋଟ ୨୮ଟି ସହରକୁ ବିମାନ ଉଡ଼ାଣ କରୁଛି।

    ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ୨୦୨୫ ଜାନୁଆରୀରେ ଏଠାରୁ ୪,୫୦,୫୯୬ ଯାତ୍ରୀ ଯାତାୟାତ କରିଥିବା ବେଳେ ୩,୨୦୯ଟି ବିମାନ ଉଡ଼ାଣ ଓ ଅବତରଣ କରିଥିଲା। ଫେବୃଆରୀରେ ୪,୨୬,୦୨୦ଜଣ ଯାତାୟାତ କରିଥିବାବେଳେ ଏବଂ ୩୦୭୭ଟି ବିମାନ ଉଡ଼ାଣ କରିଥିଲା। ମାର୍ଚ୍ଚରେ ୪,୫୪,୦୮୨ଜଣ ଯାତ୍ରୀ ବିଭିନ୍ନ ସହରକୁ ବିମାନ ଦ୍ବାରା ଯାତ୍ରା କରିଥିଲେ। ଏହି ମାସରେ ୩୩୯୩ଟି ବିମାନ ଉଡ଼ାଣ କରିଥିଲା। ସେହିପରି ଏପ୍ରିଲରେ ୪,୫୭,୦୭୨ ଯାତ୍ରୀ ଯାତାୟାତ କରିଥିବା ବେଳେ ୩୪୪୬ଟି ବିମାନ ଉଡ଼ାଣ କରିଥିଲା। ମେ’ରେ ୪,୬୮,୯୫୫ ଯାତ୍ରୀ ଯାତାୟାତ କରିଥିବା ବେଳେ ୩୫୭୮ ବିମାନ ଉଡ଼ାଣ ଓ ଅବତରଣ କରିଥିଲା। ଜୁନ୍‌ରେ ୩୩୬୫ଟି ବିମାନରେ ୪,୩୮,୦୩୬ ଯାତ୍ରୀ ଯାତ୍ରା କରିଥିଲେ। ଜୁଲାଇରେ ଏହି ବିମାନ ବନ୍ଦରରୁ ୩୦୨୬ଟି ବିମାନ ଦେଶ ଓ ବିଦେଶର ବିଭିନ୍ନ ସହରକୁ ୩,୬୭,୭୧୯ ଯାତ୍ରୀଙ୍କୁ ନେବା ଆଣିବା କରିଥିଲା।

    ଅଗଷ୍ଟରେ ୨୯୯୯ଟି ବିମାନ ଉଡ଼ାଣ କରିଥିବା ବେଳେ ୩,୯୦,୧୬୪ ଯାତ୍ରୀ ବିମାନରେ ଯିବା ଆସିବା କରିଥିଲେ। ସେପ୍ଟେମ୍ବରରେ ୩୦୦୪ଟି ବିମାନ ଉଡ଼ାଣ କରିଥିଲା ଏବଂ ୩,୭୯,୯୬୮ ଯାତ୍ରୀ ଯାତ୍ରା କରିଥିଲେ। ଅକ୍ଟୋବରରେ ୩୧୬୧ଟି ବିମାନ ଉଡ଼ାଣ ଓ ଅବତରଣ କରିଥିଲା ଏବଂ ୪,୨୭,୪୩୦ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥିଲେ। ନଭେମ୍ବରରେ ୩୧୬୮ଟି ବିମାନ ଉଡ଼ାଣ କରିଥିଲା ଏବଂ ଏଥିରେ ୪,୪୮,୫୩୫ ଯାତ୍ରୀ ଯାତ୍ରା କରିଥିଲେ। ଡିସେମ୍ବରରେ ୩୧୨୧ଟି ବିମାନ ଉଡ଼ାଣ କରିଥିବା ବେଳେ ୪,୪୪,୧୯୧ ଯାତ୍ରୀ ଯାତାୟାତ କରିଥିଲେ। ଗତବର୍ଷ ଯାତ୍ରୀ ଯାତାୟାତ ସଂଖ୍ୟା ୪.୮ ନିୟୁତ ଥିଲା। ଚଳିତ ବର୍ଷ ମେ’ରେ ସର୍ବାଧିକ ୪,୭୨,୭୩୮ ଯାତ୍ରୀ ବିଭିନ୍ନ ସହରକୁ ଯାତ୍ରା କରିଛନ୍ତି।

    ଅନ୍ୟପକ୍ଷେ ଭୁବନେଶ୍ବର ବିମାନ ବନ୍ଦରରୁ ଲକ୍ଷ୍ନୌ ଓ ଜୟପୁରକୁ ବିମାନ ସେବା ବନ୍ଦ ହୋଇଛି। ଏଣିକି ଏହି ଦୁଇ ସହରକୁ କନେକ୍ଟିଂ ବିମାନରେ ଯିବାକୁ ପଡ଼ିବ, ଯାହା ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିବ। ପୂର୍ବରୁ ଭୁବନେଶ୍ବରରୁ ୩୦ଟି ବିମାନ ବନ୍ଦରକୁ ସିଧାସଳଖ ବିମାନ ସଂଯୋଗ ଥିଲା, ହେଲେ ଏହି ଦୁଇଟି ବିମାନ ବନ୍ଦରକୁ ସେବା ବନ୍ଦ ହେବା ପରେ ୨୮ଟି ବିମାନ ବନ୍ଦରକୁ ବିମାନ ସେବା ଉପଲବ୍ଧ ଅଛି। ଗତ ବର୍ଷ ଶେଷ ଆଡ଼କୁ ଏହି ଦୁଇ ବିମାନ ବନ୍ଦରକୁ ସେବା ବନ୍ଦ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ