କଟକ : ଆଉ ଦିନ କେଇଟା ପରେ ଧରା ପୃଷ୍ଠକୁ ଅବତରଣ କରିବେ ମା’ ମହିଷମର୍ଦିନୀ । ମା’ଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର । ଏହି ଅବସରରେ କଟକର ବିଭିନ୍ନ ଶକ୍ତି ପୀଠରେଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏଁ ରିତିନୀତି ଅନୁଯାୟୀ ଚାଲିବ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଏଥିପାଇଁ ମନ୍ଦିର ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ମା କଟକ ଚଣ୍ଡୀ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ । ଗତ କାଲି ମାତଙ୍ଗି ବେଶ ରେ ଦର୍ଶନ ଦେଇଥିଲେ ମା । ସେହି ପରି ଆଜି ମା ଗଡ଼ ଚଣ୍ଡୀ ନାରାୟଣୀ ବେଶ ରେ ଦର୍ଶନ ଦେବେ । ଗତ କାଲି ବାଗଳାମୁଖି ବେଶରେ ଦର୍ଶନ ଦେଉଥିଲେ ମା । ମାଙ୍କ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।
କେବଳ କଟକ ଚଣ୍ଡୀ ମନ୍ଦିର ନୁହେଁ ସହରର ଅନ୍ୟତମ ପୁରାତନ ଶକ୍ତି ପୀଠ ମା’ ଗଡ ଚଣ୍ଡୀଙ୍କ ପୀଠରେ ମଧ୍ୟ ଷୋଡଶ ଉପଚାର ପୂଜା ଚାଲିଛି । ମଣ୍ଡପ ଗୁଡିକରେ ଦଶହରାର ପୂଜା ଆରମ୍ଭ ହେବା ପୂର୍ବରୁ ଶକ୍ତି ପୀଠଗୁଡିକରେ ମା’ଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥାଏ । ରାଧାଷ୍ଟମୀରୁ ମୂଳାଷ୍ଟମୀ ଗୋଟିଏ ପକ୍ଷ ପାଇଁ ଅର୍ଥାତ୍ ୧୫ଦିନ ପର୍ଯ୍ୟନ୍ତ ମା’ ଶୟନରେ ଯାଆନ୍ତି । ମୂଳାଷ୍ଟମୀ ଦିନ ମା’ଙ୍କଠାରେ ସହସ୍ରା କୁମ୍ଭାଭିଶେକ କରାଯାଇ ଶୟନରୁ ଜାଗ୍ରତ କରାଯାଏ ।